/odisha-reporter/media/post_attachments/uploads/2021/08/hockey-6.jpg)
hockey
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛି। ଏହି ସଫଳତା ପାଇଁ ଭାରତୀୟ ହକି ଟିମକୁ ପୁରସ୍କାର ରାଶି ସହ ବିପୁଳ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଉଛି। ଏବେ ପଞ୍ଜାବ ସରକାର ୧୦ ସରକାରୀ ସ୍କୁଲକୁ ହକି ଖେଳାଳିଙ୍କ ନାଁରେ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମରେ ସ୍ଥାନ ପାଇଥିବା ପଞ୍ଜାବର ବିଭିନ୍ନ ହକି ଖେଳାଳିଙ୍କ ନାଁରେ ସ୍କୁଲ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଅନୁମୋଦନ ଦେଇଥିବା କହିଛନ୍ତି ପଞ୍ଜାବ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା। ଶିକ୍ଷା ମନ୍ତ୍ରୀ କହିଛନ୍ତି, ଜଳନ୍ଧରର ମିଥାପୁରରେ ଥିବା ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ୍ (ଜିଏସଏସଏସ)କୁ ମନପ୍ରୀତ ସିଂହ ନାମରେ ନାମିତ କରାଯାଇଛି। ଏବେ ଏହି ସ୍କୁଲ ମନପ୍ରୀତ ସିଂହ ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ୍ ଭାବେ ପରିଚିତ ହେବ।
ସେହିପରି ଅମୃତସରର ତିମ୍ମୋୱାଲରେ ଥିବା ଜିଏସଏସଏସ୍ ସ୍କୁଲ ଭାଇସ୍-କ୍ୟାପଟେନ୍ ହରମନପ୍ରୀତ ସିଂହଙ୍କ ନାଁରେ ନାମିତ ହୋଇଛି। ଏବେ ଏହି ସ୍କୁଲର ନାଁ ଅଲିମ୍ପିଆନ୍ ହରମନପ୍ରୀତ ସିଂହ ଜିଏସଏସଏସ୍ ନାମରେ ନାମିକ ହେବ। ଅମୃତସରର ଅଟ୍ଟାରୀରେ ଥିବା ଜିଏସଏସଏସ୍ ଏବେ ଅଲିମ୍ପିଆନ୍ ଶମଶେର୍ ସିଂହ ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ ନାମରେ ନାମିତ ହୋଇଛି।
ଫରିଦକୋଟରେ ଥିବା ସରକାରୀ ମିଡଲ୍ ସ୍କୁଲ୍ (ବେସିକ୍ ଗର୍ଲ୍ସ) ଏବେ ଅଲିମ୍ପିଆନ୍ ରୂପିନ୍ଦରପାଲ୍ ସିଂହ ସରକାର ମିଡଲ୍ ସ୍କୁଲ ନାମରୋ ନାମିତ ହୋଇଛି।
ଏହାଛଡ଼ା ଅଲିମ୍ପିଆନ୍ ହାର୍ଦ୍ଦିକ ସିଂହଙ୍କ ନାଁରେ ଜଳନ୍ଧରର ଖୁସ୍ରୋପୁରରେ ଥିବା ସରକାରୀ ମିଡଲ୍ ସ୍କୁଲକୁ ନାମିତ କରାଯାଇଥିବା ବେଳେ ହାର୍ଦ୍ଦିକ ସିଂହଙ୍କ ନାଁରେ ଅମୃତସରର ଖାଲାଇହାରର ସରକାରୀ ପ୍ରାଇମେରୀ ସ୍କୁଲ, ସିମରନଜିତ୍ ସିଂହଙ୍କ ନାଁରେ ଗୁରଦାସପୁର ଚହଲ୍ କଲାନର ସରକାରୀ ହାଇସ୍କୁଲକୁ ନାମିତ କରାଯାଇଛି। ଶିକ୍ଷାମନ୍ତ୍ରୀ ସିଙ୍ଗଲା କହିଛନ୍ତି, ଭାରତୀୟ କ୍ରୀଡ଼ାରେ ପଞ୍ଜାବର ସ୍ୱର୍ଣ୍ଣିମ ଯୋଗଦାନ ରହିଆସିଛି। ଟୋକିଓ ଅଲିମ୍ପିକ୍ସ ପାଇଁ ପଞ୍ଜାବ ସର୍ବାଧିକ ୨୦ଜଣ କ୍ରୀଡ଼ାବିତଙ୍କୁ ପଠାଇଥିଲା।
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଥିଲା। ବ୍ରୋଞ୍ଜ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
