Advertisment

ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଲେ ଓଡ଼ିଶାର ଦୀପ୍‌ଗ୍ରେସ୍‌ ଏକ୍କା

ଦୀପଗ୍ରେସ ଏକ୍କା ତାଙ୍କ କ୍ୟାରିୟରରେ ଦୁଇଟି ଅଲିମ୍ପିକ୍ସରେ ଖେଳିଛନ୍ତି। ୨୦୧୬ରେ ରିଓ ଅଲିମ୍ପିକ୍ସ ଓ ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ସେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Deep Grace Ekka

Deep Grace Ekka

ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଇଛନ୍ତି ଓଡ଼ିଆ ଝିଅ ଦୀପ୍‌ଗ୍ରେସ୍‌ ଏକ୍କା। ୧୩ ବର୍ଷ ଧରି ଭାରତୀୟ ମହିଳା ହକି ଦଳର ନିୟମିତ ସଦସ୍ୟ ଥିବା ଦୀପଗ୍ରେସ ସୋଶାଲ ମିଡିଆ ଯୋଗେ ତାଙ୍କ ଅବସର ଘୋଷଣା କରିଛନ୍ତି। 

Advertisment

ଜଣେ ବଢ଼ିଆ ଡିଫେଣ୍ଡର ଓ ପେନାଲ୍‌ଟି କର୍ଣ୍ଣର ସ୍ପେଶାଲିଷ୍ଟ ଭାବେ ପରିଚିତ ଦୀପଗ୍ରେସ ଏକ୍କାଙ୍କ ଅନ୍ତର୍ଜାତୀୟ ହକି କ୍ୟାରିୟର ଆରମ୍ଭ ହୋଇଥିଲା ୨୦୧୧ ମସିହାରେ। ତାଙ୍କୁ ସେତେବେଳେ ମାତ୍ର ୧୭ ବର୍ଷ ହୋଇଥିଲା। ସେହି ବର୍ଷ ଆର୍ଜେଣ୍ଟିନାରେ ୪ଟି ଦେଶକୁ ନେଇ ଆୟୋଜିତ ହୋଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ ଦୀପଗ୍ରେସ। ତା’ପରେ ସେ ୧୮ ବର୍ଷରୁ କମ୍‌ ବାଳିକା ଏସିଆ କପ୍‌ରେ ଭାଗ ନେଇଥିଲେ। ବ୍ୟାଙ୍କକରେ ଅନୁଷ୍ଠିତ ଏହି କପ୍‌ରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ଆଉ ତା’ପରଠୁ ସେ ପଛକୁ ଚାହିଁ ନାହାନ୍ତି। ସେ ଭାରତର ଜାତୀୟ ମହିଳା ହକି ଦଳର ନିୟମିତ ସଦସ୍ୟ ହୋଇ ରହିଥିଲେ। ସେ ଦେଶ ପାଇଁ ୨୬୮ଟି ମ୍ୟାଚ୍ ଖେଳିଛନ୍ତି। 

ଦୀପଗ୍ରେସଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲୁଲକିଡ଼ିହିରେ। ୨୦୧୩ରେ ଜର୍ମାନୀରେ ଅନୁଷ୍ଠିତ ମହିଳା ଜୁନିୟର ହକି ବିଶ୍ୱ କପ୍‌ରେ ଭାରତର ଜୁନିୟର ଦଳ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲା। ସେହି ଦଳର ସଦସ୍ୟ ଥିଲେ ଦୀପଗ୍ରେସ ଏକ୍କା। ସେହିବର୍ଷ ତାଙ୍କୁ ଉଭୟ ଜୁନିୟର ଓ ସିନିୟର ଦଳର ସଦସ୍ୟ ଭାବେ ବଛା ଯାଇଥିଲା। ୨୦୧୩ ମହିଳା ଏସିଆ କପ୍‌ରେ ସିନିୟର ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ସେହିପରି ସେହି ବର୍ଷ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ମହିଳା ସିନିୟର ଦଳ ରୌପ୍ୟ ପଦକ ଜିତିଥିବା ବେଳେ ଦୀପଗ୍ରେସ ଏକ୍କା ମଧ୍ୟ ଏହାର ସଦସ୍ୟ ଥିଲେ।

Advertisment

ଦୀପଗ୍ରେସ ଏକ୍କା ତାଙ୍କ କ୍ୟାରିୟରରେ ଦୁଇଟି ଅଲିମ୍ପିକ୍ସରେ ଖେଳିଛନ୍ତି। ୨୦୧୬ରେ ରିଓ ଅଲିମ୍ପିକ୍ସ ଓ ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ସେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ। ରିଓ ଅଲିମ୍ପିକ୍ସରେ ଖେଳିବା ପାଇଁ ଭାରତୀୟ ମହିଳା ଦଳ ଯୋଗ୍ୟତା ଅର୍ଜନ କରିବାରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦୀପଗ୍ରେସ ଏକ୍କା। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳ ଚତୁର୍ଥ ସ୍ଥାନରେ ରହିଥିଲା। ପଦକ ଜିତି ନଥିଲେ ବି ଦଳ ଦେଶବାସୀଙ୍କ ହୃଦୟ ଜିତିଥିଲା। ଭାରତୀୟ ମହିଳା ହକି ଦଳ ତିନି ଥର (୧୯୮୦, ୨୦୧୬ ଓ ୨୦୨୧) ଅଲିମ୍ପିକ୍ସରେ ଭାଗ ନେଇଥିବା ବେଳେ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସବୁଠୁ ଭଲ ପ୍ରଦର୍ଶନ କରିଥିଲା। ଆଉ ଏଥିରେ ଡିଫେନ୍ସ ଲାଇନ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦୀପଗ୍ରେସ। ୨୦୨୨ରେ ଭାରତ ସରକାର ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ। 

ଦୀପଗ୍ରେସ ଅବସର ଘୋଷଣା କରିବା ପରେ ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ କହିଛନ୍ତି, ହକିରେ ତାଙ୍କର ସଫଳତା କେବଳ ଓଡ଼ିଶାର ଯୁବପିଢ଼ି ପାଇଁ ନୁହେଁ, ପୂରା ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ପୂରା କ୍ୟାରିୟରେ ସେ ସବୁବେଳେ ଖେଳୁଆଡ଼ ମନୋଭାବ ଦେଖାଇଛନ୍ତି ଓ ଦଳର ଉନ୍ନତିରେ ତାଙ୍କର ବହୁତ ଯୋଗଦାନ ରହିଛି। ହକି ଇଣ୍ଡିଆ ପକ୍ଷରୁ ମୁଁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ଏବଂ ଏକ ଚମତ୍କାର କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଉଛି।

Hockey Deep Grace Ekka