Advertisment

ଏସିଆ କପ ହକି: ପ୍ରଥମ ମ୍ୟାଚ୍‌ରେ ଭାରତକୁ ପାଣି ପିଆଇ ଦେଲା ଚାଇନା

ଅଧିନାୟକ ହରମନପ୍ରୀତ ୩ଟି ଗୋଲ କରିଥିବା ବେଳେ ଯୁଗରାଜ ଗୋଟିଏ ଗୋଲ ଦେଇଛନ୍ତି। ୪ଟି ଯାକ ଗୋଲ ପେନାଲଣ୍ଟି କର୍ଣ୍ଣନରରୁ ହିଁ ମିଳିଛି।

Hockey

Hockey

Advertisment

ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବାରେ ଏଯାଏ ସକ୍ଷମ ହୋଇ ନଥିବା ଭାରତୀୟ ପୁରୁଷ ହିକ ଟିମ ଆଜି ଠାରୁ ନିଜର ଏସିଆ କପ ଅଭିଯାନ ଆରମ୍ଭ କରିଛି। ଏସିଆ କପ ଜିତି ଦଳ ବିଶ୍ୱକପକୁ ସିଧାସଳଖ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ଦଳ। କିନ୍ତୁ ଏସିଆ କପର ପ୍ରଥମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଚାଇନା ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମକୁ ପାଣି ପିଆଇ ଦେଇଛି। ଭାରତ ହାରୁ ହାରୁ ଅଳ୍ପକେ ରକ୍ଷା ପାଇ ଯାଇଛି।

Advertisment

ପ୍ରଥମ ମ୍ୟାଚ୍‌କୁ ଭାରତ ଜିତିଥିଲେ ହେଁ ଚାଇନା ଆଗରେ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରି ନାହିଁ। ମ୍ୟାଚ୍‌ରେ ଦଳ ଏକଧିକ ପେନାଲ୍ଟି କର୍ଣ୍ଣରକୁ ମିସ କରିଛି। ସେହିପରି ଅଧିନାୟକ ହରମନପ୍ରୀତ ଗୋଟିଏ ପେନାଲ୍ଟ ଷ୍ଟ୍ରୋକକୁ ମଧ୍ୟ ହାତ ଛଡ଼ା କରିବା ସମସ୍ତଙ୍କୁ ଚକିତ କରିଛି। ଚାଇନା ହକି ବିଶ୍ୱ ରାଙ୍କିଙ୍ଗର ୨୩ ନମ୍ବର ସ୍ଥାନରେ ଥିବା ବେଳେ ଭାରତ ୭ ନମ୍ବରରେ ଅଛି। ତଥାପି ଚାଇନା ବିପକ୍ଷ ମ୍ୟାଚ୍‌କୁ ଭାରତ ୪-୩ ଗୋଲ ବ୍ୟବଧାନରେ ଅନେକ ସଂଘର୍ଷ କରି ଜିତି ପାରିଛି।

ଏପରି ସ୍ଥିତିରେ ଜାପାନ ଓ କୋରିଆ ଭଳି ଏସୀୟ ଟିମକୁ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ଭାରତ କେମିତି ମୁକାବିଲା କରିବ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସିଆ କପ ହକି ଟିମରେ ଓଡ଼ିଶାର ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ରହିଛନ୍ତି। ଅମିତ ଷ୍ଟାର୍ଟିଂ ଏକାଦଶରେ ଥିବା ବେଳେ ଶିଳାନନ୍ଦ ସବିଷ୍ଟିଚ୍ୟୁଟରେ ଆସିଥିଲେ। ହେଲେ ଉଭୟ ଖେଳାଳି କୌଣସି ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି। ଅଧିନାୟକ ହରମନପ୍ରୀତ ୩ଟି ଗୋଲ କରିଥିବା ବେଳେ ଯୁଗରାଜ ଗୋଟିଏ ଗୋଲ ଦେଇଛନ୍ତି। ୪ଟି ଯାକ ଗୋଲ ପେନାଲଣ୍ଟି କର୍ଣ୍ଣନରରୁ ହିଁ ମିଳିଛି।

Advertisment

ମ୍ୟାଚ୍‌ର ପ୍ରଥମ ୧୦ ମିନିଟ ଭାରତ ଦବଦବା ଦେଖାଇଥିଲେ ହେଁ ଚାଇନା ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଜଳକା କରିଥିଲା। ପ୍ରଥମ କ୍ୱାର୍ଟର ଶେଷ ହେବାକୁ ୩ ମିନିଟ ବାକି ଥିବା ବେଳେ ଅମିତ ରୋହିଦାସ ତ୍ରୁଟି କରିଥିଲେ। ଏଥିଯୋଗୁ ଚାଇନାକୁ ପିସି ମିଳିଥିଲା। ଏହାକୁ ଡୁ ଶିହାଓ ଗୋଲରେ ପରିଣତ କରି ଚାଇନାକୁ ୧-୦ରେ ଆଗୁଆ କରି ଦେଇଥିଲେ। ତେବେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଭାରତ କମବ୍ୟାକ କରିଥିଲା।

୧୮ତମ ମିନିଟରେ ଯୁଗରାଜ ପିସିକୁ ଗୋଲରେ ପରିଣତ କରି ସ୍ଥିତି ୧-୧ କରି ଦେଇଥିଲେ। ଏହାର ଦୁଇ ମିନିଟ ପରେ ହରମନପ୍ରୀତ ମ୍ୟାଚରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଭାରତକୁ ଏହାପରେ ମଧ୍ୟ ଏକାଧିକ ସୁଯୋଗ ମିଳିଥିଲା। କିନ୍ତୁ ଏହାର ଫାଇଦା ହରମନପ୍ରୀତ ଆଣ୍ଡ କୋ ଉଠାଇ ପାରି ନଥିଲେ।

ହାଫ ଟାଇମ ସୁଦ୍ଧା ଭାରତ ୨-୧ରେ ଲିଡ କରୁଥିଲା। ତୃତୀୟ କ୍ୱାର୍ଟରର ୩ୟ ମିନିଟରେ ଭାରତ ଆଉ ଏକ ଗୋଲ କରିଥିଲା। ଏହା ମଧ୍ୟ ହରମନଙ୍କ ଷ୍ଟିକରୁ ବାହାରି ଥିଲା। ଲାଗୁଥିଲା ଭାରତୀୟ ଖେଳାଳି ଲୟକୁ ଫେରିଛନ୍ତି ଓ ଚାଇନାକୁ ଏକତରଫା ଭାବେ ହରାଇବେ। କିନ୍ତୁ ୩୫ତମ ମିନିଟ ଓ ୪୨ତମ ମିନିଟରେ ଚାଇନା ଡବଲ ଗୋଲ କରି ସ୍ଥିତିକୁ ବରାବର କରି ଦେଇଥିଲା। ଏହାପୂର୍ବରୁ ୩୯ତମ ମିନିଟରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ସ୍ଥିତିକୁ ଭାରତ ୪-୧ କରିବାର ସୁଯୋଗ ରହିଥିଲା। କିନ୍ତୁ ଅଧିନାୟକ ହରମନପ୍ରୀତ ଏହାକୁ ହାତ ଛଡ଼ା କରିଥିଲେ।

ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ସ୍ଥିତି ୩-୩ ରହିଥିଲା। ଭାରତକୁ ୪ର୍ଥ କ୍ୱାର୍ଟରରେ ନିଜର ସବୁ କିଛି ଦେବାର ଥିଲା। ଭାରତୀୟ ଖେଳାଳି ମଧ୍ୟ ସେମିତି କିଛି କରିଥିଲେ। ମ୍ୟାଚ୍‌ର ୪୭ତମ ମିନିଟରେ ହରମନପ୍ରୀତ ସିଂହ ନିଜର ହ୍ୟାଟ୍ରିକ ହାସଲ କରିଥିଲେ। ଏଥିସହ ସ୍ଥିତି ୪-୩ ହୋଇ ଯାଇଥିଲା। ଏହାପରେ ଚାଇନା ଘନଘନ ଆକ୍ରମଣ କରିଥିଲା। ଭାରତର ଡି’ ଭିତରେ ଚାଇନା ବାରମ୍ବାର ପ୍ରବେଶ କରି ଛନକା ସୃଷ୍ଟି କରିଥିଲା।

ହେଲେ ଶେଷ ଭାଗରେ ଭାରତର ରକ୍ଷଣ ବିଭାଗ ନିଜର ଅଭିଜ୍ଞତା ଦେଖାଇଥିଲେ। ଏଥିସହ ଚାଇନାକୁ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଭାରତ ୪-୩ରେ ମ୍ୟାଚ୍‌ ଜିତିଥିବା ବେଳେ ଚାଇନା କଡ଼ା ଟକ୍କର ଦେଇ ହାରିଛି। ମ୍ୟାଚ୍‌ରେ ହ୍ୟାଟ୍ରିକ ଗୋଲ କରିଥିବା ହରମନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। 

Hockey Indian Hockey Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe