Advertisment

ଏସିଆ କପ ହକି : ସଂଘର୍ଷ କରି ଜାପାନ ଠାରୁ ଜିତିଲା ଭାରତ

ପ୍ରଥମ ମ୍ୟାଚ୍‌ରେ ଚାଇନା ଠାରୁ ୪-୩ରେ ଜିତିଥିବା ଭାରତ ଆଜି ଜାପାନକୁ ୩-୨ରେ ହରାଇ ଦେଇଛି। ଜାପାନ ମ୍ୟାଚ ହାରିଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେଇଛି।

Hockey

Hockey

Advertisment

ବିହାରର ରାଜଗିରରେ ଚାଲିଥିବା ଏସିଆ କପ ହକିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଆଜି ଭାରତୀୟ ଟିମ ଅପେକ୍ଷାକୃତ ଦୁର୍ବଳ ଜାପାନ ବିରୋଧରେ ବେଶ ସଂଘର୍ଷମୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଚାଇନା ଠାରୁ ୪-୩ରେ ଜିତିଥିବା ଭାରତ ଆଜି ଜାପାନକୁ ୩-୨ରେ ହରାଇ ଦେଇଛି। ଜାପାନ ମ୍ୟାଚ ହାରିଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେଇଛି। ବିଶେଷ କରି ଶେଷ କ୍ୱାର୍ଟରରେ ଜାପାନର ଘନଘନ ଆକ୍ରମଣକୁ ଭାରତ ବେଶ କଷ୍ଟ କରି ଅଟକାଇବାକୁ ସକ୍ଷମ ହେବାରୁ ବିଜୟ ସ୍ୱାଦ ଚାଖିଛି।

Advertisment

ଆଜିର ମ୍ୟାଚ୍‌ରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ (୫ମ ଓ ୪୫ମିନିଟ) ସ୍କୋର କରିଥିବା ବେଳେ ମନପ୍ରୀତ ସିଂହ ଗୋଟିଏ ଗୋଲ ଦେଇଛନ୍ତି। ଜାପାନ ପକ୍ଷରୁ ୨ଟି ଯାକ ଗୋଲ କୋସେଇ କାୱାବେଙ୍କ ଷ୍ଟିକରୁ ବାହାରିଛି। ଭାରତ ପାଇଁ ମନପ୍ରୀତ ଫିଲ୍ମ ଗୋଲ କରିଥିବା ବେଳେ ହରମନପ୍ରୀତ ପେନାଲ୍ଟି କର୍ଣ୍ଣର ବଳରେ ୨ଟି ଯାକ ଗୋଲ ଦେଇଛନ୍ତି। ତେବେ ଜାପାନ ପାଇଁ କୋସେଇ ୨ଟି ଫିଲ୍ଡ ଗୋଲ ସ୍କୋର କରି ନିଜ ଯାଦବୁ ଦେଖାଇଛନ୍ତି।

ଚାଇନା ଠାରୁ ଅଳ୍ପକେ ବିଜୟୀ ହୋଇଥିବା ଭାରତୀୟ ହିକି ଟିମ ଆଜି ନୂଆ ଆଶା ଓ ବିଶ୍ୱାସର ସହ ପଡ଼ିଆକୁ ଓହ୍ଲାଇଥିଲା। ମ୍ୟାଚ୍‌ର ୪ର୍ଥ ମିନିଟରେ ମନପ୍ରୀତ ଚମତ୍କାର ଫିଲ୍ଡ ଗୋଲ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ଏହାର ଗୋଟିଏ ମିନିଟ ପରେ ଭାରତକୁ କ୍ରମାଗତ ୩ଟି ପିସି ମିଳିଥିଲା। ଶେଷ ପ୍ରୟାସରେ ହରମନପ୍ରୀତ ଗୋଲ ସ୍କୋର କରି ଦଳକୁ ୨-୦ରେ ଆଗୁଆ କରି ଦେଇଥିଲେ। ଭାରତ ବେଶ ଆକ୍ରମଣାତ୍ମକ ହକି ଖେଳିଥିଲା। ୧୨ତମ ମିନିଟରେ ଜାପାନକୁ ଦୁଇଟି ପିସି ମିଳିଥିଲେ ହେଁ ଏହାକୁ ଦଳ ଗୋଲରେ ପରିଣତ କରି ପାରି ନଥିଲା। ପ୍ରଥମ କ୍ୱାର୍ଟର ଭାରତ ୨-୦ରେ ଶେଷ କରିଥିଲା।

Advertisment

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଦବଦବା ଦେଖିବାକୁ ମିଳିଥିଲା। ଲାଗୁଥିଲା ଆଜି ଜାପାନ ବିରୋଧରେ ହରମନପ୍ରୀତ ସିଂହଙ୍କ ଦଳ ବଡ଼ ବିଜୟ ହାସଲ କରିବ। ହେଲେ ଜାପାନ ସବୁ କିଛି ବଦଳାଇ ଆକ୍ରମଣ କରି ଦେଇଥିଲା। ୨୩ତମ ମିନିଟରେ ଫାଉଲ ପାଇଁ ଅମିତ ରୋହିଦାସ ଗ୍ରୀନ କାର୍ଡ ପାଇଥିଲେ। ତାଙ୍କୁ ପଡ଼ିଆ ବାହାରକୁ ୨ ମିନିଟ ପାଇଁ ଯିବାକୁ ପଡ଼ିଥିଲା। ଏତିକି ବେଳେ ଜାପାନକୁ କ୍ରମାଗତ ୪ଟି ପିସି ମିଳିଥିଲା। ହେଲେ ଭାରତୀୟ ଗୋଲକିପର ଓ ଡିଫେଣ୍ଡର କମାଲ କରିଥିଲେ। ଜାପାନ କୌଣସି ଗୋଲ କରିପାରି ନଥିଲା। ହାଫ ଟାଇମ ସୁଦ୍ଧା ସ୍ଥିତି ଭାରତ ସପକ୍ଷରେ ୨-୦ରେ ରହିଥିଲା।

ତୃତୀୟ କ୍ୱାର୍ଟରରେ ଭାରତ ବେଶୀ ଡିଫେନସିଭ ହୋଇଯାଇଥିଲା। ଏହାର ଫାଇଦା ଉଠାଇଥିଲା ଜାପାନ। ରକ୍ଷଣ ବିଭାଗକୁ ଭେଦ କରି ଜାପାନ ଖେଳାଳି ଭାରତର ଡି’ ଭିତରେ ପଶିଥିଲେ। ଏଥିସହ କୋସେଇ ବେଶ ଚମତ୍କାର ଢଙ୍ଗରେ ମ୍ୟାଚ୍‌ର ୩୮ତମ ମିନିଟରେ ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହି କ୍ୱାର୍ଟର ଶେଷ ମୁହୂର୍ତ୍ତରେ ଟ୍ୱିଷ୍ଟ ଆସିଥିଲା। ଭାରତକୁ ମିଳିଥିଲା ପିସି। ଏହାକୁ ହରମନପ୍ରୀତ ଗୋଲରେ ପରିଣତ କରି ଦେଇଥିଲେ। ବାସ୍‌ ସ୍ଥିତି ୩-୧ ହୋଇ ଯାଇଥିଲା।

ଶେଷ ୧୫ ମିନିଟ ବା ଶେଷ କ୍ୱାର୍ଟରରେ ଭାରତ ଆଉ କିଛି ଗୋଲ କରିବ ବୋଲି ଆଶା କରାଯାଇଥିଲା। ଓଡ଼ିଶାର ଶିଳାନନ୍ଦ ଲାକ୍ରା ଘନଘନ ଆକ୍ରମଣ କରି ଜାପାନର ଡି’ ଭିତରେ ମଧ୍ୟ ପଶୁଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଭାରତୀୟ ଖେଳାଳିଙ୍କ ତ୍ରୁଟି ଯୋଗୁ ଗୋଲ ହୋଇପାରୁ ନଥିଲା। ମ୍ୟାଚ୍‌ ସରିବାକୁ ୨ ମିନିଟରୁ କମ ସମୟ ଥିବା ବେଳେ ଜାପାନ ଆଟକା କରିଥିଲା।

ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ଭାରତର ରକ୍ଷଣ ଭାଗକୁ ଭେଦ କରି କୋସେଇ ଜାପାନ ପାଇଁ ଗୋଟିଏ ଗୋଲ ସ୍କୋର କରିଥିଲେ। ଶେଷ ମିନିଟରେ ମଧ୍ୟ ଜାପାନ ଘନଘନ ଆକ୍ରମଣ କରିଥିଲା। କିନ୍ତୁ ଭାରତ ଠିକଣା ସମୟରେ ଏହାକୁ ପ୍ରତିହତ କରି ମ୍ୟାଚ୍‌କୁ ୩-୨ରେ ଜିତିବାକୁ ସକ୍ଷମ ହୋଇଛି।

Hockey Indian Hockey Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe