/odisha-reporter/media/post_attachments/uploadimage/library/16_9/16_9_0/Hockey__1691600289.jpg)
Hockey
ଚେନ୍ନାଇରେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏକତରଫା ଭାବେ ଧୂଳି ଚଟାଇଛି ଭାରତୀୟ ହକି ଟିମ। ଏସିଆନ ଚାମ୍ପିୟନନ୍ସ ଟ୍ରଫିର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ୪-୦ରେ ପାକିସ୍ତାନକୁ ପରାସ୍ତ କରିଛି।
ଏଥିସହ ୧୩ ପଏଣ୍ଟ ପାଇ ଟେବୁଲ ଟପ୍ ସହ ସେମିରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ(୧୫ ଓ ୨୩ ମିନିଟ) ସ୍କୋର କରିଥିବା ବେଳେ ଯୁଗରାଜ ସିଂ(୩୬ ମିନିଟ ) ଓ ଆକାଶଦୀପ ସିଂହ(୫୫ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି।
ପାକିସ୍ତାନ ଏହି ମ୍ୟାଚ୍ରେ ଗୋଲ ଦେବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ ହେଁ ଭାରତୀୟ ଡିଫେଣ୍ଡରଙ୍କ ଆଗରେ ଦଳର କୌଣସି ରଣନୀତି କାମ କରିନି। ଦଳ ଏବେ ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଛି।
ଆଜିର ହାଇଭୋଲେଟଜ ଭାରତ-ପାକ ଲଢ଼େଇ ବେଶ ଦମଦାର ଢଙ୍ଗରେ ଆରମ୍ଭ ହୋଇଥିଲା। କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ଆଜିର ମ୍ୟାଚ୍ ଦେଖିବାକୁ ଆସିଥିଲେ। ଘରୋଇ ଦର୍ଶକଙ୍କୁ ଭାରତୀୟ ଟିମର ଖେଳ ମଧ୍ୟ ଅଧିକ ଉତ୍ସାହିତ କରିଥିଲା।
ପ୍ରଥମ କ୍ୱାର୍ଟର୍ରୁ ହିଁ ଭାରତୀୟ ଟିମ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ଏହାର ଫାଇଦା ଦଳକୁ ମ୍ୟାଚ୍ର ୧୫ତମ ମିନିଟରେ ମିଳିଥିଲା। ପାକିସ୍ତାନ ଅଧିନାୟକ ଉମର ଭୁଟ୍ଟାଙ୍କୁ ଗ୍ରୀନ କାର୍ଡ ମିଳିବା ସହ ଭାରତକୁ ମ୍ୟାଚ୍ର ପେନାଲ୍ଟି କର୍ଣ୍ଣର ମିଳିଥିଲା।
ଏହାକୁ ବେଶ ଚମତ୍କାର ଢଙ୍ଗରେ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚ୍ର ୨୩ତମ ମିନିଟରେ ଭାରତକୁ ଦ୍ୱିତୀୟ ପିସି ମିଳିଥିଲା। ଏହାକୁ ମଧ୍ୟ ହରମନପ୍ରୀତ ସିଂହ ଗୋଲରେ ପରିଣତ କରିଥିଲେ।
ପ୍ରଥମ ହାଫ ସୁଦ୍ଧା ଭାରତ ୨-୦ରେ ଆଗୁଆ ହୋଇ ଯାଇଥିଲା। ତୃତୀୟ କ୍ୱାର୍ଟରରେ ପାକିସ୍ତାନ ରଣନୀତି ବଦଳାଇ ଥିଲେ ମଧ୍ୟ ଭାରତ ଏହାକୁ ପଣ୍ଡ କରି ଦେଇଥିଲା। ୩୬ତମ ମିନିଟରେ ଭାରତକୁ ଆଉ ଗୋଟିଏ ପିସି ମିଳିଥିଲା। ଏଥର କିନ୍ତୁ ହରମନପ୍ରୀତଙ୍କ ବଦଳରେ ପ୍ରଥମ ବ୍ୟାଟେରୀରେ ଥିବା ଯୁଗରାଜ ସିଂହ ଗୋଲ ସ୍କୋର କରିଥିଲେ।
ଏହି କ୍ୱାର୍ଟର୍ରେ ମଧ୍ୟ ଭାରତ ଗୋଟିଏ ଗୋଲ ସ୍କୋର କରିଥିଲା। ମ୍ୟାଚ୍ ଶେଷ ହେବାକୁ ୫ ମିନିଟ ଥିବା ବେଳେ ନୀଳକଣ୍ଠ ବେଶ ସୁନ୍ଦର ଭାବେ ଆକାଶଦୀପ ସିଂହଙ୍କୁ ଡି’ ଭିତରେ ବଲ ପାସ୍ କରିଥିଲେ। ସେ ମଧ୍ୟ ଏହାକୁ ହାତ ଛଡ଼ା ନ କରି ଗୋଲ ସ୍କୋର କରି ଦେଇଥିଲେ। ଏଥିସହ ଭାରତ ୪-୦ରେ ଆଗୁଆ ହେବା ସହ ମ୍ୟାଚ୍କୁ କବଜା କରି ନେଇଥିଲା।
ଭାରତ ଏବେ ସେମିରେ ଜାପାନକୁ ଭେଟିବ। ପ୍ରଥମ ସେମିରେ ମାଲେସିୟାର ମୁକାବିଲା କୋରିଆ ସହ ହେବ। ପାକିସ୍ତାନ ୫ମ ସ୍ଥାନ ପାଇଁ ଚାଇନା ସହ ଖେଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
