Advertisment

ହକି ହିରୋଙ୍କ ସ୍ୱାଗତରେ କମ୍ପିଲା ରାଜଧାନୀ ଭୁବନେଶ୍ୱର

ଟିମ୍‌ର ଗୋଲକିପର ପିଆର ଶ୍ରୀଜେସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍‌ଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି।

author-image
Hemant Lenka
Hockey

Hockey

ହକି ହିରୋଙ୍କୁ ମିଳିଲା ବିପୁଳ ସମ୍ବର୍ଦ୍ଧନା। ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରକମ୍ପିତ ହେଲା ରାଜଧାନୀ ଭୁବନେଶ୍ୱର। ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମରୁ ଲୋକସେବା ଭବନ ଯାଏ ସବୁଠାରେ କେବଳ ହକିର ଚର୍ଚ୍ଚା। ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ୍ ଆଜି ଭୁବନେଶ୍ୱର ଆସିଥିବା ବେଳେ ସେମାନଙ୍କୁ ମିଳିଛି ଓଡ଼ିଶାବାସୀଙ୍କ ଭଲପାଇବା।

Advertisment

ରୋଡ ଶୋ’ ବେଳେ ଶହଶହ ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ହକି  ଖେଳାଳିଙ୍କୁ ଦେଖିଛନ୍ତି। ସେମାନଙ୍କ ପାଇଁ ନାରାବାଜୀ କରି ସ୍ୱାଗତ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଘୋଷଣା ମୁତାବକ ଦଳର ସଦସ୍ୟମାନଙ୍କୁ ଆର୍ଥିକ ପୁରସ୍କାରରେ ସମ୍ମାନୀତ କରିଛନ୍ତି। 

ଟିମର ସଦସ୍ୟମାନେ ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ପହଞ୍ଚିଥିଲେ। ବିମାନବନ୍ଦରଠାରେ ପହଂଚିବା ପରେ , କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

Advertisment

ଏହାପରେ ଭାରତୀୟ ହକି ଟିମ୍ କୁ ଏକ ରୋଡ଼ ଶୋ’ ମାଧ୍ୟମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅଣା ଯାଇଥିଲା। ଏହି ଅବସରରେ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ହକି ଟିମକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଭୁବନେଶ୍ୱର ବିମାନବନ୍ଦର ଠାରେ ଘୁମୁରା, ସାହିଜାତ, ଦୁରୁଆ ନାଚ, ସାନ୍ତାଳୀ ନୃତ୍ୟ, କ୍ୟାପିଟାଲ ହସ୍ପିଟାଲ ଛକ ଠାରେ ବଜାସାଲ, ଏଜି ଛକ ଠାରେ ସମ୍ବଲପୁରୀ, ରାଜଭବନ ଠାରେ ଦୁଲଦୁଲି, କଳିଙ୍ଗ ଷ୍ଟାଡିୟମ୍ ଠାରେ ଝାଞ୍ଜ, ଖୋଳ ଓ କରତାଳି ଆଦିର ପ୍ରଦର୍ଶନ କରାଯାଇଥିଲା। 

କଳିଙ୍ଗ ଷ୍ଟାଡିୟମରେ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ। ଏହାପରେ ଅର୍ଥାତ ସନ୍ଧ୍ୟାରେ ଲୋକସେବା ଭବନର କନ୍‌ଭେନସନ ହଲ୍‌ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦେଇଥିଲେ। ଟିମରେ ଥିବା ଓଡ଼ିଆ ଖେଳାଳି ଅମିତ୍‌ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ୪ କୋଟି ଟଙ୍କା ମିଳିଛି।

ଟିମ୍‌ର ଗୋଲକିପର ପିଆର ଶ୍ରୀଜେସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍‌ଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି। 

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ “ଭାରତୀୟ ହକି ଦଳର ଏହି କାଂସ୍ୟ ପଦକ, ଏକ ଦୃଢନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ ପ୍ରଦାନ କରିଛି। ଭାରତୀୟ ହକିର ପୁନର୍ଜନ୍ମରେ ଓଡ଼ିଶାର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ମୁଁ ଗର୍ବିତ। ଓଡ଼ିଶା ସବୁ ସମୟରେ ଭାରତୀୟ ହକି ଦଳ ସହିତ ଜଣେ ସୁଖଦୁଃଖର ସାଥୀ ଭଳି ରହିଆସିଛି।”

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲସ୍‌ ଏଞ୍ଜେଲେସ୍‌ ଅଲମ୍ପିକ୍ସ(୨୦୨୮) ସହିତ ଜାତୀୟ ହକି ଦଳର ଆଗାମୀ ସମସ୍ତ ଅଭିଯାନରେ ଦଳ ପ୍ରତି ଓଡ଼ିଶା ଓ ଓଡ଼ିଶାବାସୀଙ୍କର ଦୃଢ ସମର୍ଥନ ଜାରି ରହିବ। ଆମ ସରକାର ସଂପୂର୍ଣ୍ଣ ଭାବରେ ଆମର ଖେଳାଳିମାନଙ୍କ ସହିତ ଅଛନ୍ତି। ଆଗାମୀ ଦିନରେ ସେମାନେ ଯେପରି ଆହୁରି ବଡ ସଫଳତା ହାସଲ କରିବେ, ସେଥିପାଇଁ ସେମାନଙ୍କୁ ସବୁପ୍ରକାର ସୁବିଧା ଓ ପ୍ରୋତ୍ସାହନ ଦିଆଯିବ। ହକିର ବିକାଶ ପାଇଁ ଆମେ ଆହୁରି ନୂଆ ନୂଆ ପଦକ୍ଷେପ ନେବୁ। ଆମର ଖେଳାଳି ମାନେ ଯେପରି ବିଶ୍ୱସ୍ତରରେ ଶୀର୍ଷରେ ରହିବେ, ତାହା ଆମେ ସୁନିଶ୍ଚିତ କରିବୁ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାର କ୍ରୀଡ଼ାକ୍ଷେତ୍ରରେ ଉପାନ୍ତ ଅଞ୍ଚଳରୁ ଆସୁଥିବା କ୍ରୀଡ଼ାବିତ୍ ମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ନିଜର ଗାଁ ମାଟିରୁ ହିଁ ଆମର କ୍ରୀଡ଼ାବିତ୍ ମାନେ କ୍ରୀଡ଼ା ଜଗତରେ ନିଜର ଦୃଢ଼ନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଯାତ୍ରା ଆରମ୍ଭ କରିଥାନ୍ତି। ତେଣୁ ତୃଣମୂଳ ସ୍ତରରୁ ଆସୁଥିବା ଏହି କ୍ରୀଡା ପ୍ରତିଭା ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଯାହା ବିଶ୍ୱ ପାଇଁ କାଂସ୍ୟ, ତାହା ଆମ ପାଇଁ ସ୍ୱର୍ଣ୍ଣ। ଟୋକିଓରୁ ପ୍ୟାରିସ ପର୍ଯ୍ୟନ୍ତ ଆମ ଖେଳାଳିମାନେ ଆମକୁ ଯେଉଁଭଳି ଗର୍ବ ଅନୁଭବ କରିବାକୁ ଦେଇଛନ୍ତି, ସେଥିପାଇଁ ଆମେ ସମସ୍ତେ ସେମାନଙ୍କ ପ୍ରତି କୃତଜ୍ଞ।

ଭାରତୀୟ ହକି ଟିମ୍‌ର ଗୋଲକିପର ପି.ଆର୍‌. ଶ୍ରୀଜେସ୍‌ ଏପରି ସ୍ୱାଗତ ଓ ଭଲ ପାଇବା ଦେଖି କହିଛନ୍ତି ଯେ ଓଡ଼ିଶା ହେଉଛି ମୋର ଦ୍ୱିତୀୟ ଘର। ଓଡ଼ିଶା ହକି ପାଇଁ ଯେଉଁ ପ୍ରୋତ୍ସାହନ ଦେଇଛି, ତାହା ଆଜି ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି। ଭୁବନେଶ୍ୱର ଓ ରାଉରକେଲାରେ ଆମକୁ ଯେଉଁ ସ୍ନେହଶ୍ରଦ୍ଧା ମିଳୁଛି, ତାହା ଆଉ କେଉଁଠି ମିଳେ ନାହିଁ ବୋଲି ସେ କହିଛନ୍ତି। 

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତୀୟ ହକି ଦଳକୁ ବାଲୁକା କଳାର ଏକ ପୋଟ୍ରେଟ୍‌ ଉପହାର ଦେଇଥିଲେ। ହକି ଇଣ୍ଡିଆ ତରଫରୁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ।

ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ। 

Indian Hockey Indian Hockey Team