Advertisment

ହକିରେ ଭାରତ ଜିତିଲା ସ୍ୱର୍ଣ୍ଣ, ଫାଇନାଲରେ ଗୋଲ ଦେଲେ ଓଡ଼ିଆ ପୁଅ ଅମିତ ରୋହିଦାସ

ଭାରତ ୪ର୍ଥ ଥର ପାଇଁ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ଶେଷ ଥର ପାଇଁ ୨୦୧୪ରେ ସୁନା ପଦକ ଜିତିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Hockey

Hockey

ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ହରାଇ ଏସିଆନ ଗେମ୍ସ ହକିରେ ଭାରତ ଜିତିଛି ସ୍ୱର୍ଣ୍ଣ। ଭାରତୀୟ ପୁରୁଷ ଟିମ ଆଜି ଫାଇନାଲରେ ୨୦୧୮ର ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ମାତ ଦେଇଛି। ଏହି ସ୍ୱର୍ଣ୍ଣ ପଦକ ଲଢ଼େଇରେ ଭାରତ ପାଇଁ ଗୋଲ କରିଛନ୍ତି ଓଡ଼ିଆ ପୁଅ ଅମିତ ରୋହିଦାସ। ତାଙ୍କ ବ୍ୟତୀତ ଦଳର ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ, ବର୍ତ୍ତମାନର ଅଧିନାୟକ ହରମନପ୍ରୀତ ସିଂହ(୨ଟି) ଓ ଅଭିଷେକ ମଧ୍ୟ ଗୋଲ ସ୍କୋର କରିଛନ୍ତି। 

Advertisment

ଭାରତ ୪ର୍ଥ ଥର ପାଇଁ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ଶେଷ ଥର ପାଇଁ ୨୦୧୪ରେ ସୁନା ପଦକ ଜିତିଥିଲା। ୨୦୧୮ରେ ଦଳ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲା। ଏଥର କିନ୍ତୁ ଦଳ ସୁନା ଜିତିଛି। ୨୦୧୪ ପୂର୍ବରୁ ୧୯୯୮ ଓ ୧୯୬୬ରେ ଭାରତୀୟ ପୁରୁଷ ହକି ଟିମ ଏସୀୟ କ୍ରୀଡ଼ାରେ ଚାମ୍ପିୟନ ହୋଇଥିଲା।

ଆଜି ଚାମ୍ପିୟନ ହେବା ସହ ଭାରତୀୟ ପୁରୁଷ ହକି ଟିମ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗତ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ଜିତିଥିଲା। ୪୧ ବର୍ଷ ପରେ ଭାରତକୁ ହକିରେ ପଦକ ମିଳିଥିଲା। 

Advertisment

ଚଳିତ ଏସିଆନ ଗେମ୍ସରେ ଭାରତୀୟ ଟିମ ଗ୍ରୁପ ପର୍ଯ୍ୟାୟରେ ୪ଟି ଯାକ ମ୍ୟାଚ୍‌ ଜିତି ଥିଲା। ସେହିପରି ସେମିରେ ଦଳ ଦକ୍ଷିଣ କୋରିଆକୁ ୫-୩ରେ ହରାଇଥିଲା। ସେମି ଫାଇନାଲରେ ମଧ୍ୟ ଅମିତ ରୋହିଦାସ ଗୋଲ ସ୍କୋର କରିଥିଲେ।

ଭାରତୀୟ ପୁରୁଷ ହକି ଟିମ ଆଜି ଯାଏ କେବେ ହେଲେ ଏସିଆନ ଗେମ୍ସରେ ଜାପାନ ଠାରୁ ହାରି ନଥିଲା। ଏହି ରେକର୍ଡକୁ ଆଜି ମଧ୍ୟ ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମ କାଏମ ରଖିବାକୁ ସକ୍ଷମ ହୋଇଛି।

ଆଜିର ଫାଇନାଲ ମୁକାବିଲା ବେଶ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଆରମ୍ଭରୁ ଉଭୟ ଦଳ ବେଶ ସତର୍କତାର ସହ ଖେଳିଥିଲେ। ତେବେ ପ୍ରଥମ କ୍ୱାର୍ଟର ଶେଷ ଆଡ଼କୁ ଭାରତ ଫୁଲପ୍ରେସ କରିଥିଲା। ଏହାର ଫାଇଦା ଦଳକୁ ପେନାଲଣ୍ଟି କର୍ଣ୍ଣର ରୂପରେ ମିଳିଥିଲା। କିନ୍ତୁ ଏହାକୁ ଦଳ ଗୋଲରେ ପରିଣତ କରି ପାରି ନଥିଲା। ପ୍ରଥମ ହାଫ ସୁଦ୍ଧା ସ୍ଥିତି ୦-୦ ରହିଥିଲା।

ଦ୍ୱିତୀୟ ହାଫ ଆରମ୍ଭରୁ ମଧ୍ୟ ଦଳକୁ ପିସି ମିଳିଥିଲା। ପୁଣି ଭାରତ ଫେଲ ମାରିଥିଲା। କିନ୍ତୁ ମ୍ୟାଚ୍‌ର ୨୫ତମ ମିନଟରେ ମନପ୍ରୀତ ଚମତ୍କାର ଗୋଲ କରି ଦଳକୁ ପ୍ରଥମଥର ପାଇଁ ଫାଇନାଲରେ ଆଗୁଆ କରି ଦେଇଥିଲେ। ହାଫଟାଇମ ସୁଦ୍ଧା ସ୍ଥିତି ୧-୦ରେ ଭାରତ ସପକ୍ଷରେ ରହିଥିଲା।

ହାଫଟାଇମ ପରେ ଭାରତ ତା’ର ଆକ୍ରମଣକୁ ଆହୁରି ଶାଣିତ କରିଥିଲା। ୩୨ତମ ମିନିଟରେ ଭାରତକୁ ପିସି ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରିଥିଲେ। ଏହାର ୪ ମିନିଟ ପରେ ଭାରତ ପାଇଁ ୩ନଂ ଗୋଲ କରିଥିଲେ ଓଡ଼ିଶାର ଅମିତ ରୋହିଦାସ।

ଦ୍ୱିତୀୟ ବ୍ୟାଟେରୀରେ ଥିବା ଅମିତ ବେଶ ଦମଦାର ଢଙ୍ଗରେ ଭାରତକୁ ମିଳିଥିବା ପିସିକୁ ଜାପାନ ଗୋଲପୋଷ୍ଟ ଭିତରକୁ ମାରି ଦେଇଥିଲେ। ଓଡ଼ିଆ ତାରକାଙ୍କ ଗୋଲ ପରେ ଭାରତ ୩-୦ରେ ଆଗୁଆ ହୋଇଯାଇଥିଲା। ତଥାପି ଦଳ ଆକ୍ରମଣ କରିବାକୁ ପଛାଇ ନଥିଲା।

ତୃତୀୟ କ୍ୱାର୍ଟର ସୁଦ୍ଧା ଭାରତ ୩-୦ରେ ଲିଡ୍‌ କରିଥିଲା। ୪ର୍ଥ କ୍ୱାର୍ଟର ଆରମ୍ଭରୁ ଅର୍ଥାତ ୪୮ତମ ମିନିଟରେ ଅଭିଷେକ ଫିଲ୍ଡ ଗୋଲ ଦେଇ ବ୍ୟବଧାନକୁ ୪-୦ କରି ଦେଇଥିଲେ।

୪-୦ରେ ଆଗୁଆ ଥିବା ମ୍ୟାଚ୍‌କୁ ସାମାନ୍ୟ ଧିମା କରିବାକୁ ଚେଷ୍ଟା କରିଥିଲା। ଏହାର ଫାଇଦା ଜାପାନ ଉଠାଇବା ସହ ମ୍ୟାଚ୍‌ ଶେଷ ହେବାକୁ ୯ମ ମିନିଟ ଥିବା ବେଳେ ପ୍ରଥମ ପିସି ହାସଲ କରିଥିଲା। ଏହାକୁ ତାନାକା ସେରେନ ଗୋଲରେ ପରିଣତ କରି ଜାପାନ ପାଇଁ ଗୋଲ ଖାତା ଖୋଲିଥିଲେ।

ମ୍ୟାଚ୍‌ର ୫୩ ତମ ମିନିଟରେ ଭାରତର ଫରୱାର୍ଡ ମନଦୀପ ସିଂହ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। କିନ୍ତୁ ଏହାର ବିଶେଷ ଫାଇନା ଜାପାନ ଉଠାଇ ପାରି ନଥିଲା। ଶେଷ ଭାଗରେ ଜାପାନ ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ଡିଫେଣ୍ଡର ଦଳର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲା।

ବରଂ ଭାରତ କାଉଣ୍ଟର ଆଟାକ କରି ମ୍ୟାଚ୍‌ ଶେଷ ହେବାକୁ ଦୁଇ ମିନିଟ ଥିବା ବେଳେ ପୁଣି ପିସି ଆଦାୟ କରିଥିଲା। ଏହାକୁ ହରମନପ୍ରୀତ ଗୋଲରେ ପରିଣତ କରି ସ୍କୋରକୁ ୫-୧ କରି ଦେଇଥିଲେ। ଏଥିସହ ଭାରତ ଏହି ମ୍ୟାଚକୁ ୫-୧ରେ ଜିତି ଏସିଆନ ଗେମ୍ସରେ ଚାମ୍ପିୟନ ହୋଇଯାଇଛି। 

Asian Games Asian Games Update Asian Games Hockey 19th Asian Games