/odisha-reporter/media/post_attachments/uploadimage/library/16_9/16_9_0/Abhisekh_1725800640.jpg)
Abhisekh
ପୁରୁଷ ଏସିଆନ ଚାମ୍ପିୟନ୍ସ ଟ୍ରଫିର ଅଷ୍ଟମ ସଂସ୍କରଣ ଆଜିଠାରୁ ଚାଇନାର ହୁଲୁନବୁଇରରେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ରେ ୩-୦ ଗୋଲରେ ଚାଇନାକୁ ପରାସ୍ତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଭାରତ। ଭାରତୀୟ ଟିମ୍ ପକ୍ଷରୁ ସୁଖଜୀତ ସିଂହ, ଉତ୍ତମ ସିଂହ ଓ ଅଭିଷେକ ଏହି ତିନୋଟି ଗୋଲ୍ କରିଥିଲେ।
ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ ସୁଖଜୀତ ସିଂହ। ୧୪ତମ ମିନିଟ୍ରେ ସେ ଏହି ଗୋଲ୍ କରିଥିଲେ। ତା’ପରେ ଆଉ ପଛକୁ ଦେଖି ନଥିଲା ଦଳ। ଭାରତ ଦ୍ୱିତୀୟ ଗୋଲ ଆସିଥିଲା ଦ୍ୱିତୀୟ କ୍ୱାର୍ଟରରେ। ଉତ୍ତମ ସିଂହ ଚାଇନରେ ଡିଫେନ୍ସ ଲାଇନକୁ ଭାଙ୍ଗି ଗୋଲ୍ ଦେବାରେ ସଫଳ ହୋଇଥିଲେ। ଭାରତୀୟ ଦଳ ଅଧିକ ସମୟ ଧରି ବଲ୍କୁ ନିଜ ପାଖରେ ରଖିବାରେ ସଫଳ ହୋଇଥିଲା।
ଖେଳ ଆରମ୍ଭରେ ବେଶ୍ କିଛି ସମୟ ପାଇଁ ଚାଇନାର ଡିଫେଣ୍ଡରମାନେ ଅଭିଷେକଙ୍କୁ ହଇରାଣ କରିଥିବା ବେଳେ ୩୨ତମ ମିନିଟ୍ରେ କିନ୍ତୁ ସବୁ ଓଲଟପାଲଟ ହୋଇଯାଇଥିଲା। ଚାଇନର ଡିଫେଣ୍ଡରଙ୍କୁ ଚକମା ଦେଇ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲେ।
ପ୍ୟାରିସ ଅଲିମ୍ପିକ୍ସ ପରେ ପିଆର ଶ୍ରୀଜେଶ ଅବସର ନେଇ ଯାଇଥିବାରୁ ଆଜି ଭାରତୀୟ ଦଳ ପାଇଁ ଗୋଲ୍ ପୋଷ୍ଟ ସମ୍ଭାଳିଥିଲେ କୃଷ୍ଣ ବାହାଦୂର ପାଠକ। ହେଲେ ଆଜିର ମ୍ୟାଚ୍ ତାଙ୍କ ପାଇଁ କଠିନ ନଥିଲା। କାରଣ ଭାରତୀୟ ଦଳର ଡିଫେନ୍ସ ଖୁବ୍ ସଶକ୍ତ ରହିଥିଲା।
ଭାରତର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଅଛି। କାଲି ଦଳ ଜାପାନ ବିପକ୍ଷରେ ଖେଳିବ। ୧୧ ତାରିଖରେ ଦଳ ତା’ର ତୃତୀୟ ମ୍ୟାଚ୍ ମ୍ୟାଲେସିୟା ବିପକ୍ଷରେ ଖେଳିବାକୁ ଥିବା ବେଳେ ୧୨ରେ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ। ସେପ୍ଟେମ୍ବର ୧୪ ତାରିଖରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।
ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା। ସ୍ପେନ୍କୁ ହରାଇ ଭାର ଏହି ପଦକ ହାସଲ କରିଥିଲା। ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଲଗାତାର ଦୁଇଟି ଅଲିମ୍ପିକ୍ସରେ ଦଳ ପଦକ ଜିତିଥିବାରୁ ଏହାର ମନୋବଳ ଦୃଢ଼ ଅଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
