Advertisment

ହକି ଇଣ୍ଡିଆ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା ଟିମର ମୁଖ୍ୟ କୋଚ

ରବିବାର ଭାରତୀୟ ମହିଳା ଟିମ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆମେରିକାକୁ ୨-୧ରେ ହରାଇଥିଲା।

Janneke Schopman

Janneke Schopman

Advertisment

ଭାରତୀୟ ମହିଳା ହକି ଟିମର ମୁଖ୍ୟ କୋଚ୍‌ ଜାନ୍ନେକେ ସୋପମେନ ହକି ଇଣ୍ଡିଆ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ପ୍ରତି ହକି ଇଣ୍ଡିଆ ବହୁତ ପାତରଅନ୍ତର କରୁଛି। ଏ ଦେଶ ମହିଳାଙ୍କ ପାଇଁ ବେଶ ଯନ୍ତ୍ରଣା ଦାୟକ ବୋଲି ସୋପମେନ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି।

Advertisment

ରବିବାର ଭାରତୀୟ ମହିଳା ଟିମ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆମେରିକାକୁ ୨-୧ରେ ହରାଇଥିଲା। ଏହାପରେ ସୋପମେନ ଇଣ୍ଡିଆନ ଏକ୍ସପ୍ରେସକୁ ଗୋଟିଏ ସାକ୍ଷାତକାର ଦେଇଛନ୍ତି। ଏଥିରେ ସେ ହକି ଇଣ୍ଡିଆ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ସୋପମେନ ୨୦୦୮ରେ ନେଦରଲ୍ୟାଣ୍ଡ୍ସ ଟିମ ସହ ଅଲିମ୍ପିକ୍ସ ଖେଳିବା ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୨୦ରେ ସେ ଭାରତୀୟ ଟିମର ଆନାଲିଟିକାଲ କୋଚ ଥିଲେ। ୨୦୨୧ ଟୋକିଓ ଅଲିମ୍ପିକ୍ସ ପରେ ତାଙ୍କୁ ଭାରତୀୟ ମହିଳା ହକି ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତି ମିଳିଥିଲା।

Advertisment

ସୋପମେନ ଭାରତୀୟ ହକି ଟିମର ପ୍ରଥମ ମହିଳା କୋଚ ହେବାର କୀର୍ତ୍ତିମାନ ହାସଲଶ କରିଛନ୍ତି। କିନ୍ତୁ ଏବେ ସେ ଭୋଗୁଥିବା ସମସ୍ୟା ସମ୍ପର୍କରେ କହିବା ବେଳେ କାନ୍ଦି ପକାଇଛନ୍ତି।

ସେ କହିଛନ୍ତି, “ହକି ଇଣ୍ଡିଆ ସହ ଡିଲ କରିବା ଅତ୍ୟନ୍ତ କଷ୍ଟକର। କାରଣ ଆପଣମାନେ ଜାଣିଛନ୍ତି ଯେ ମୁଁ ଏମିତି ଗୋଟିଏ ଦେଶରୁ ଆସିଛି ଯେଉଁଠି ମହିଳାମାନଙ୍କୁ ସମ୍ମାନ କରାଯାଏ। ସେଠାରେ ମହିଳାମାନଙ୍କ ମୂଲ୍ୟ ଯଥେଷ୍ଟ ଅଧିକ। କିନ୍ତୁ ଏଠାରେ ମୁଁ ସେମିତି କିଛି ବି ଅନୁଭବ କରିପାରୁ ନାହିଁ। ବିଗତ ୨ ବର୍ଷ ମଧ୍ୟରେ ମୁଁ ବେଶ ଏକୁଟିଆ ଅନୁଭବ କରୁଛି। ହକି ଇଣ୍ଡିଆ ମୋତେ କେବେ ସମ୍ମାନ ଦେଇନାହିଁ। କେବେ ହେଲେ ମୋ ମୂଲ୍ୟକୁ ବୁଝି ନାହିଁ। 

ମୁଁ ଆସିସଷ୍ଟାଣ୍ଟ କୋଚ୍‌ ଥିବା ବେଳେ ମୋ କଥାକୁ କେହି ଗୁରୁତ୍ୱ ଦେଉ ନଥିଲେ। ମୋର ମୂଲ୍ୟକୁ କେହି ବି ଧ୍ୟାନ ଦେଉ ନଥିଲେ। ହଠାତ୍‌ ମୋତେ ମୁଖ୍ୟ କୋଚ କରି ଦିଆଗଲା। ସମସ୍ତେ ମୋ କଥାକୁ ଧ୍ୟାନ ଦେବା ଆରମ୍ଭ କରିଥିଲେ। ଏହାକୁ ନେଇ ମୁଁ ବେଶ ଚିନ୍ତାରେ ରହିଥିଲି। ବହୁତ ପାତରଅନ୍ତର କରାଯାଉଛି। 

ପୁରୁଷ ଟିମର କୋଚମାନଙ୍କୁ କେମିତି ବ୍ୟବହାର କରାଯାଉଛି ଓ ଆମ ସହ କେମିତି ବ୍ୟବହାର କରାଯାଉଛି, ତା’ର ପାର୍ଥକ୍ୟ ମୁଁ ଦେଖିଛି। ମୋ ସହ ଓ ପୁରୁଷ ଟିମର କୋଚ କିମ୍ବା ପୁରୁଷ ଟିମ ଓ ମହିଳା ଟିମକୁ ଭିନ୍ନ ଚକ୍ଷୁରେ ଦେଖାଯାଉଛି।

ସେମାନେ(ମହିଳା ଟିମର ସଦସ୍ୟ) କେବେ ହେଲେ ଅଭିଯୋଗ କରିନାହାନ୍ତି, ବରଂ କଠିନ ପରିଶ୍ରମ କରି ଚାଲିଛନ୍ତି। ମୁଁ ସେମାନଙ୍କ ପାଇଁ କହିବି ନାହିଁ। ମୁଁ ସେମାନଙ୍କୁ ବହୁତ ଭଲ ପାଏ। ସେମାନେ ବହୁତ ପରିଶ୍ରମ କରୁଛନ୍ତି ଓ ମୁଁ ଯାହା କହେ କରୁଛନ୍ତି। ସେମାନେ ଶିଖୁଛନ୍ତି ଓ ନୂଆ କିଛି କରିବାକୁ ଚେଷ୍ଟା କରୁଛନ୍ତି।

କିନ୍ତୁ ବ୍ୟକ୍ତିଗତ ଭାବେ ମୁଁ କହିବି ଯେ ମୁଁ ନେଦରଲ୍ୟାଣ୍ଡ୍ସରୁ ଆସିଛି। ଆମେରିକାରେ କାମ କରିଛି। କିନ୍ତୁ ଏ ଦେଶ ଜଣେ ମହିଳା ଭାବେ ବେଶ କଷ୍ଟକର ବା ଯନ୍ତ୍ରଣାଦାୟକ। ବିଶେଷ କରି ଆପଣ ଏମିତି ଏକ ଦେଶରୁ ଆସିଛନ୍ତି ଯେଉଁଠି ମହିଳାଙ୍କ ସ୍ୱରକୁ ଗୁରୁତ୍ୱ ଦିଆଯାଏ ଓ ସେମାନଙ୍କ କଥାର ମୂଲ୍ୟକୁ ବିଚାର କରାଯାଏ, ତା’ପରେ ଏପରି ସ୍ଥିତିର ସମ୍ମୁଖୀନ ହେବା ବେଶ କଷ୍ଟକର।”

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ଜିତିବା ପରେ ସୋପମେନ ନିଜ ପଦ ଛାଡ଼ି ଦେବାର ଥିଲା ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଆପଣ ଯଦି ମୋ ପରିବାର କଥା ପଚାରିବେ, ତା’ହେଲେ ଗୋଟିଏ ବର୍ଷ କାମ କରିବା ପରେ ପଦ ଛାଡ଼ି ଦେବାର ଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ମୁଁ ଚାଲିଯିବାର ଥିଲା। କାରଣ ସବୁ କିଛିକୁ ନେଇ ଚାଲିବା ମୋ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା।”

ଭାରତୀୟ ମହିଳା ଟିମ ସହ ରହିବେ କି ନାହିଁ ପ୍ରଶ୍ନରେ ସୋପମେନ କହିଛନ୍ତି, “ସବୁ କିଛି ପରେ କାମ କରିବା ବହୁତ କଷ୍ଟକର। କିନ୍ତୁ ମୁଁ ଯେମିତି କହିଛି ଯେ ମହିଳା ଟିମର ସଦସ୍ୟମାନଙ୍କୁ ମୁଁ ବହୁତ ଭଲ ପାଏ। ମୁଁ ସେମାନଙ୍କ ମଧ୍ୟରେ ବହୁତ କିଛି ସମ୍ଭାବନା ଦେଖିଛି। ତେଣୁ ସମ୍ଭବତଃ ମୁଁ ରହିପାରେ। ତଥାପି ଜଣେ ବ୍ୟକ୍ତିବିଶେଷ ହିସାବରେ ଏହି ପଦରେ ରହି କାମ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ।”

ସୋପମେନ ପାତରଅନ୍ତର କଥା କହିଥିଲେ ହେଁ ହକି ଇଣ୍ଡିଆ ଏଯାଏ ଏ ସମ୍ପର୍କରେ କିଛି ବି କହି ନାହିଁ।

Hockey Indian Hockey Indian Hockey Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe