Advertisment

କଳିଙ୍ଗରେ ଡଚ୍‌ ଟିମ୍‌ର ବିଶ୍ୱ ରେକର୍ଡ, ୧୪-୦ ଗୋଲରେ ଜିତିଲା ମ୍ୟାଚ୍‌

ଆଜିର ଗୋଲ ବର୍ଷା ସହ ନେଦରଲ୍ୟାଣ୍ଡ୍ସ ବିଶ୍ୱକପରେ ନୂଆ କୀର୍ତ୍ତିମାନ ହାସଲ କରିଛି। ଦଳ ଅଷ୍ଟ୍ରେଲିଆ ନାଁରେ ଥିବା ରେକର୍ଡକୁ ଭାଙ୍ଗି ଦେଇଛି।

ଅଦ୍ୟତନ ହୋଇଛି
Netherlands

Netherlands

Advertisment

ହକି ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସର ବିଶ୍ୱ ରେକର୍ଡ। କଳିଙ୍ଗ ଷ୍ଟାଡିୟମରେ ଗୋଲ ବର୍ଷା କରିଛି ଡଚ୍‌ ଟିମ୍‌। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଦଳ ଦୁର୍ବଳ ଚିଲିକୁ ଏକତରଫା ଭାବେ ୧୪-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଦଳ ସିଧାସଳଖ ହକି ପୁରୁଷ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି। ସେହିପରି ଚିଲି ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବିଶ୍ୱକପରୁ ବିଦାୟ ନେଇଛି।

Advertisment

ଆଜିର ଗୋଲ ବର୍ଷା ସହ ନେଦରଲ୍ୟାଣ୍ଡ୍ସ ବିଶ୍ୱକପରେ ନୂଆ କୀର୍ତ୍ତିମାନ ହାସଲ କରିଛି। ଦଳ ଅଷ୍ଟ୍ରେଲିଆ ନାଁରେ ଥିବା ରେକର୍ଡକୁ ଭାଙ୍ଗି ଦେଇଛି। ହକି ବିଶ୍ୱକପରେ କୌଣସି ଦଳ କେବେ ବି ପ୍ରତିପକ୍ଷ ଟିମ ପକ୍ଷରେ ଏତେ ସଂଖ୍ୟକ ଗୋଲ ସ୍କୋର କରି ନଥିଲେ। ୨୦୧୦ ବିଶ୍ୱକପରେ ଅଷ୍ଟ୍ରେଲିଆ ୧୨-୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏଥିସହ ସର୍ବାଧିକ ଗୋଲର ରେକର୍ଡ ନିଜ ନାଁରେ କରିଥିଲା। କିନ୍ତୁ ଆଜି ନେନରଲ୍ୟାଣ୍ଡ୍ସ ଏହି ରେକର୍ଡକୁ ଭାଙ୍ଗି ଚିଲିକୁ ୧୪-୦ରେ ହରାଇଛି।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଚିଲି ବିପକ୍ଷ ଶେଷ ଗ୍ରୁପ୍‌ ପର୍ଯ୍ୟାୟର ୪୮ମ ମିନିଟରେ ନେଦରଲ୍ୟାଣ୍ଡ୍ସ ୧୩ତମ ଗୋଲ କରିଥିଲା। ଏହି ଗୋଲ ସହ ଦଳ ୨୦୧୦ରୁ ଅଷ୍ଟ୍ରେଲିଆ ନାଁରେ ରହିଥିବା ସର୍ବାଧିକ ଗୋଲ ରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହୋଇଥିଲା।

Advertisment

ଆଜିର ମ୍ୟାଚ୍‌ ସଂପୂର୍ଣ୍ଣ ଭାବେ ଏକତରଫା ଥିଲା। ଡଚ୍‌ ଟିମ ପାଇଁ ଜିପ୍‌ ଜାନସେନ ମ୍ୟାଚ୍‌ର ୬ଷ୍ଠ ମିନିଟ୍‌ରେ ଗୋଲ କରି ଖାତା ଖୋଲିଥିଲେ। ପେନାଲ୍ଟି କର୍ଣ୍ଣରରୁ ଏହି ଗୋଲ ମିଳିଥିଲା। ଏହାପରେ ଡ୍ରେକ୍‌ ଡେ ଭିଲଡେର(୨୨ତମ ମିନିଟ), ଥିଜସ ଭାନ ଡାମ(୨୩ତମ ମିନିଟ), କ୍ୟାପ୍ଟେନ ବ୍ରିଙ୍କମାନ(୨୫ତମ ମିନିଟ) ଗୋଲ ସ୍କୋର କରିଥିଲା। ଏହାବାଦ ୨୯ତମ ମିନିଟରେ ଜାନସେନ ନିଜର ଦ୍ୱିତୀୟ ଗୋଲ ଦେଇଥିଲେ। ହାଫଟାଇମ ସୁଦ୍ଧା ଡଚ୍‌ ଟିମ ୫-୦ରେ ଆଗରେ ଥିଲା।

ତୃତୀୟ କ୍ୱାର୍ଟର ନେଦରଲ୍ୟାଣ୍ଡ୍ସ ପାଇଁ ସବୁଠାରୁ ଭଲ ରହିଥିଲା। ଏହି କ୍ୱାର୍ଟରରେ ଦଳ ୬ଟି ଗୋଲ ସ୍କୋର କରିଥିଲା। ସେକେଣ୍ଡ ହାଫର ତୃତୀୟ ମିନିଟରେ ବ୍ରିଙ୍କମାନ ନିଜର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଗୋଟିଏ ମିନିଟ ପରେ ଜାନସେନ ପେନାଲ୍ଟି କର୍ଣ୍ଣରରୁ ନିଜ ହ୍ୟାଟ୍ରିକ ଗୋଲ ଅର୍ଜନ କରିଥିଲେ। ୩୭ତମ ମିନିଟରେ ଟେରାନ୍ସ ପିଟର, ୪୦ତମ ମିନିଟରେ କୋଏନ ବିଜେନ ଓ ୪୨ତମ ମିନିଟରେ ଜଷ୍ଟେନ ବ୍ଲକ ଦଳ ପାଇଁ ଫିଲ୍ଡ ଗୋଲ ଦେଇଥିଲେ। ତୃତୀୟ କ୍ୱାର୍ଟର ସରିବାକୁ ଗୋଟିଏ ମିନିଟ ଥିବା ବେଳେ ଜାନସେନ ମ୍ୟାଚ୍‌ରେ ୪ର୍ଥ ଗୋଲ ସ୍କୋର କରି ସ୍ଥିତିକୁ ୧୧-୦ରେ ପହଞ୍ଚାଇ ଦେଇଥିଲେ। ତୃତୀୟ କ୍ୱାର୍ଟର ସୁଦ୍ଧା ଡଚ୍‌ ଟିମ ୧୧-୦ରେ ଆଗରେ ଥିଲା।

ମ୍ୟାଚ୍‌ର ଶେଷ କ୍ୱାର୍ଟରରେ ଦଳ ଆଉ ୩ଟି ଗୋଲ ଦେଇଛି। ଏହି କ୍ୱାର୍ଟର ଆରମ୍ଭ ହେବାର କିଛି ସେକେଣ୍ଡ ମଧ୍ୟରେ ହିଁ ବିଜେନ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ରେକର୍ଡ ଗୋଲ ୪୮ମ ମିନିଟରେ ଆସିଥିଲା। ତେଉନ ବେଇନ୍ସ ବେଶ ସଫଳତାର ସହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦଳକୁ ୧୩-୦ରେ ଆଗୁଆ କରିଥିଲେ। ଫୁଲ ଟାଇମ ହୁଟରକୁ ୨ ମିନିଟ ବାକିଥିବା ବେଳେ ଅଧିନାୟକ ବ୍ରିଙ୍କମାନ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଗୋଲ ବ୍ୟବଧାନକୁ ୧୪-୦ରେ ପହଞ୍ଚାଇ ଦେଇଥିଲା। ଏହା ମ୍ୟାଚ୍‌ରେ ତାଙ୍କର ହ୍ୟାଟ୍ରିକ ଗୋଲ ମଧ୍ୟ ଥିଲା। ଏହି ଗୋଲ ସହ ୩ଥର ବିଶ୍ୱକପ ଜିତିଥିବା ଡଚ୍‌ ଟିମ୍‌ ସିଧାସଳଖ କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି।

Hockey Kalinga Stadium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe