Advertisment

ଭାରତୀୟ ହକି ଟିମ୍‌ର ଅମିତ ରୋହିଦାସଙ୍କୁ ମିଳିବ ଦେଢ କୋଟିର ପୁରସ୍କାର ରାଶି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାରତୀୟ ଦଳର ସଦସ୍ୟଭାବେ ଓଡ଼ିଆ ପୁଅ ଅମିତ ରୋହିଦାସ ଏହି ସ୍ୱର୍ଣ୍ଣିମ ସଫଳତାରେ ଭାଗୀଦାର ହୋଇଥିବାରୁ ତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର ।

author-image
Niharika Rout
Amit Rohidas

Amit Rohidas

ଚାଇନାର ହାଙ୍ଗଝୋରେ ଚାଲିଥିବା ଏସିଆନ ଗେମ୍ସର ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଟିମ୍‌ର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ମିଳିବ ପୁରସ୍କାର। ଭାରତୀୟ ଦଳର ସଦସ୍ୟଭାବେ ଓଡ଼ିଆ ପୁଅ ଅମିତ ରୋହିଦାସ ଏହି ସ୍ୱର୍ଣ୍ଣିମ ସଫଳତାରେ ଭାଗୀଦାର ହୋଇଥିବାରୁ ତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଅମିତ ରୋହିଦାସଙ୍କୁ ମିଳିବ ଦେଢ଼ କୋଟିର ପୁରସ୍କାର ରାଶି। ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Advertisment

ଗତକାଲି ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ହରାଇ ଦମଦାର ପ୍ରଦର୍ଶନ ଦେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ଭାରତ । ଏହି ସ୍ୱର୍ଣ୍ଣ ପଦକ ଲଢ଼େଇରେ ଭାରତ ପାଇଁ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ଗୋଲ୍‌ କରିଥିଲେ।

ଗତକାଲି ଚାମ୍ପିୟନ ହେବା ସହ ଭାରତୀୟ ପୁରୁଷ ହକି ଟିମ ୨୦୨୪ରେ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗତ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ଜିତିଥିଲା। ୪୧ ବର୍ଷ ପରେ ଭାରତକୁ ଅଲିମ୍ପିକ୍ସରେ ହକିରେ ପଦକ ମିଳିଥିଲା।

Advertisment

ଏଥିସହ ଭାରତ ୪ର୍ଥ ଥର ପାଇଁ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ଶେଷ ଥର ପାଇଁ ୨୦୧୪ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ୨୦୧୮ରେ ଦଳ କିନ୍ତୁ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲା। ୨୦୧୪ ପୂର୍ବରୁ ୧୯୯୮ ଓ ୧୯୬୬ରେ ଭାରତୀୟ ପୁରୁଷ ହକି ଟିମ ଏସୀୟ କ୍ରୀଡ଼ାରେ ଚାମ୍ପିୟନ ହୋଇଥିଲା। ।

ଭାରତୀୟ ହକି ଟିମ୍‌ ସ୍ୱର୍ଣ୍ଣ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ କନଫରେନ୍ସିଂ ଜରିଆରେ ଟିମ୍‌ର ସଦସ୍ୟଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ସେମାନଙ୍କ ସହିତ ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିଥିଲେ । 

କେବଳ ଏତିକି ନୁହେଁ ଦଳରେ ଥିବା ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ବମ୍ପର ପୁରସ୍କାର ଘୋଷଣା କରିଛନ୍ତି। ଫଳରେ କ୍ରୀଡାପ୍ରେମୀ ବେଶ୍‌ ଉତ୍ସାହିତ ଅଛନ୍ତି। 

Hockey India Hockey India Gold Medal