Advertisment

ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ, ପ୍ରଥମ ଥର ପାଇଁ ଜିତିଲା ଜାତୀୟ ସିନିୟର ହକି ଚାମ୍ପିୟନଶିପ

ସେମି ଫାଇନାଲରେ ମଣିପୁରକୁ ୪-୨ ଗୋଲରେ ପରାସ୍ତ କରି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ କରିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Team Odisha With Cup

Team Odisha With Cup

ପ୍ରଥମ ଥର ପାଇଁ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ ଜିତିଛି ଓଡ଼ିଶା। ଆଜି ଚେନ୍ନାଇର ମେୟର ରାଧାକୃଷ୍ଣନ ହକି ଷ୍ଟାଡିୟମରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି ଏହି ଇତିହାସ ରଚିଛି ଓଡ଼ିଶା। ତାମିଲନାଡୁ ଉପ-ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓଡ଼ିଶା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ସମୟରେ ସେଠାରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଉପସ୍ଥିତ ଥିଲେ।

Advertisment

ଓଡ଼ିଶା ମଣିପୁରକୁ ୪-୨ ଗୋଲରେ ପରାସ୍ତ କରି ଚଳିତ ଥର ପ୍ରଥମ ଥର ପାଇଁ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ହରିୟାଣା ୩-୨ ଗୋଲରେ ଉତ୍ତର ପ୍ରଦେଶକୁ ହରାଇ ଫାଇନାଲରେ ପହଞ୍ଚିଥିଲା।

ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ ୨୦୧୧ରୁ ଆରମ୍ଭ ହୋଇଛି। ୨୦୧୬ରେ ଅନୁଷ୍ଠିତ ଷଷ୍ଠ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଥିଲା। ଆଉ ଏତେ ବର୍ଷର ଅପେକ୍ଷାକୁ ଅନ୍ତ କରି ଆଜି ଦଳ ଏହି ଚାମ୍ପିୟନଶିପର ଚତୁର୍ଦଶତମ ସଂସ୍କରଣରେ ଚାମ୍ପିୟନ ହୋଇଛି।

Advertisment

ଅନ୍ୟତମ ପ୍ରସିଦ୍ଧ ହକି ଷ୍ଟାର ତଥା ଏବେ ହକି ଇଣ୍ଡିଆର ସଭାପତି ଥିବା ଦିଲ୍ଲୀପ ତିର୍କୀ ତାଙ୍କ ଏକ୍ସରେ ଲେଖିଛନ୍ତି, ଦୀର୍ଘ ବର୍ଷର ପ୍ରତୀକ୍ଷାର ହେଲା ଅନ୍ତ। ଇତିହାସ ରଚିଲା ଆମ ଓଡ଼ିଶା ପୁରୁଷ ହକି ଦଳ। ହକି ଇଣ୍ଡିଆ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ରେ ଶକ୍ତିଶାଳୀ ହରିୟାଣାକୁ ୫-୧ ଗୋଲ ବ୍ୟବଧାନରେ ପରାସ୍ତ କରି ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି ଆମ ଓଡ଼ିଶା। ଏହି ଐତିହାସିକ ସଫଳତା ପାଇଁ ଓଡ଼ିଶା ଦଳକୁ ଅଭିନନ୍ଦନ ଜଣାଉଛି।

ଓଡ଼ିଶା ହକି ଦଳର ଏହି ଐତିହାସିକ ସଫଳତା ପାଇଁ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପରେ ଓଡ଼ିଶାର ମହିଳା ଦଳ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୨ରେ ଚାମ୍ପିୟନ ହୋଇଥିଲେ।

Hockey Senior Men National Championship 2024