ରୋମାଞ୍ଚକର ଓ ଛାତି ଧଡ଼ଧଡ଼ କରି ଦେବା ବେଳେ ମ୍ୟାଚ୍ରେ ଗ୍ରେଟ ବ୍ରିଟେନକୁ ଶୁଟ ଆଉଟରେ ହରାଇ ପ୍ୟାରିସ ଅଲିମ୍ପିକ୍ସର ସେମିରେ ପ୍ରବେଶ କରିଛି ଭାରତୀୟ ହକି ଟିମ। ୬୦ ମିନିଟର କଡ଼ା ସଂଘର୍ଷ ପରେ ସ୍ଥିତି ୧-୧ରେ ରହିବାରୁ ଶୁଟ ଆଉଟ ହୋଇଥିଲା।
ଶୁଟ ଆଉଟରେ ଭାରତ ୪-୨ରେ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ପାଦେ ଆଗେଇଛି। ଭାରତ ଦ୍ୱିତୀୟ କ୍ୱାର୍ଟରରୁ ୧୦ ଜଣ ଖେଳାଳିଙ୍କୁ ନେଇ ଲଢ଼େଇ କରିଥିଲା।
କାରଣ ଓଡ଼ିଆ ପୁଅ ଅମିତ ରୋହିଦାସ ରେଡ କାର୍ଡ ପାଇଁ ମ୍ୟାଚ୍ର ୧୭ତମ ମିନିଟରୁ ବାହାରେ ବସିଥିଲେ। ଆଜିର ମ୍ୟାଚ୍ରେ ଗୋଲକିପର ପିଆର ଶ୍ରୀଜେଶ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତ ଉପରେ ବ୍ରିଟେନ ଘନଘନ ଆକ୍ରମଣ କରିଥିଲେ ହେଁ ଶ୍ରଜେଶ ସବୁ କିଛି ଚତ୍ମାକର ଢଙ୍ଗରେ ଅଟକାଇ ଦେଇଥିଲେ। ଏଥିସହ ଭାରତକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ସେମିରେ ପହଞ୍ଚାଇ ଦେଇଥିଲେ।
ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଟିମ ୩-୨ରେ ବ୍ରିଟେନକୁ ହରାଇ ସେମିକୁ ଯାଇଥିଲା। ଏହାପରେ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ଏଥର ଦଳ ପଦକ ହାସଲ କରିବା ଠାରୁ ଗୋଟିଏ ବିଜୟ ଦୂରରେ ରହିଛି।
ଆଜିର ମ୍ୟାଚ୍ ଆରମ୍ଭରୁ ଭାରତ ଓ ବ୍ରିଟେକ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଗ୍ରେଟ ବ୍ରିଟେନକୁ ଗୋଟିଏ ଓ ଭାରତକୁ ଲଗାତର ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ କେହି କାହାକୁ ଗୋଲ ଦେଇ ପାରି ନଥିଲେ।
ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ଘଟିଥିଲା ବିପର୍ଯ୍ୟୟ। ବ୍ରିଟେନର ଆଟାକୁ ଅଟକାଇବା ପାଇଁ ଅମିତ ରୋହିଦାସ ବିପଦପୂର୍ଣ୍ଣ ଭାବେ ବ୍ରିଟେନ ଖେଳାଳି କାଲନାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ ଷ୍ଟିକ କଲନାଲଙ୍କ ମୁଣ୍ଢରେ ପିଟି ହୋଇଯାଇଥିଲା। ବଲ ରୋକିବା ବେଳେ ଏସବୁ ଘଟିଥିଲେ ହେଁ ରେଫରୀ ଏହାକୁ ବିପଦପୂର୍ଣ୍ଣ ଟ୍ୟାକେଲ ଭାବେ ବିବେଚନା କରିଥିଲେ।
What a GAME . Boys #hockey#India #TeamIndia pic.twitter.com/4JXD9bG1GK
— AR 🦅 (@sayyed_ar3) August 4, 2024
ଅମିତ ଜାଣିଶୁଣି ବ୍ରିଟେନ ଖେଳାଳିଙ୍କୁ ଧକ୍କା ଦେଇଥିବା ହୃଦୟଙ୍ଗମ କରି ରେଡ କାର୍ଡ ଦେଖାଇଥିଲେ। ଏହାକୁ ଦଳର ଅଧିନାୟକ ହରମନପ୍ରୀତ ସିଂହଙ୍କ ସମେତ ଅମିତ ବିରୋଧ କରିଥିଲେ। ହେଲେ ରେଫରୀ ନିଜ ନିଜରେ ଅଟଳ ରହିଥିଲେ। ଶେଷରେ ଅମିତ ରୋହିଦାସ ନିରାଶ ହୋଇ ପଡ଼ିଆ ଛାଡ଼ିଥିଲେ।
ତଥାପି ଭାରତ ୧୦ ଜଣରେ ଦମଦାର ପ୍ରଦର୍ଶନ କରି ମ୍ୟାଚ୍ର ୨୨ ମିନିଟରେ ପ୍ରଥମେ ଗୋଲ ସ୍କୋର କରିଥିଲା। ଦଳ ପକ୍ଷରୁ ହରମନପ୍ରୀତ ସିଂହ ଗୋଲ ଦେଇଥିଲେ। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ସରିବାକୁ ୨ ମିନିଟ ଥିବା ବେଳେ ବ୍ରିଟେନ ଗୋଲ ସ୍କୋର କରି ସ୍ଥିତି ବରବାର କରି ଦେଇଥିଲେ। ହାଫଟାଇମ ସୁଦ୍ଧା ସ୍ଥିତି ୧-୧ ରହିଥିଲା।
ଭାରତ ୧୦ ଜଣ ଖେଳାଳିରେ ଖେଳୁଥିବାରୁ ଏହାର ଫାଇଦା ବ୍ରିଟେନ ଉଠାଇଥିଲା। ଘନଘନ ଆକ୍ରମଣ ଓ ପିସି ହାସଲ କରି ଦଳ ଭାରତ ଉପରେ ଚାପ ସୃଷ୍ଟି କରିଥିଲା। ତଥାପି ଭାରତୀୟ ହକି ଟିମ ହାର ମାନି ନଥିଲା। ବ୍ରିଟେନର ସବୁ ଆଟାକକୁ ଶ୍ରୀଜେଶ ଅଟକାଇଥିଲେ। ଶେଷ କିଛି ସେକେଣ୍ଡ ଭାରତକୁ ବ୍ରିଟେନ ପୂରା ବ୍ୟାକଫୁଟକୁ ଠେଲି ଗୋଲ ମାରିବାର ସୁଯୋଗ ପାଇଥିଲା। ହେଲେ ଭାରତୀୟ ଡିଫେନ୍ସ ଏହାକୁ ଅଟକାଇ ଦେବାରୁ ପୂର୍ଣ୍ଣ ଟାଇମ ପରେ ମ୍ୟାଚ୍ ୧-୧ରେ ଶେଷ ହୋଇଥିଲା।
ଏହା ନକଆଉଟ ଷ୍ଟେଜ ହୋଇଥିବାରୁ ମ୍ୟାଚର ଫଳାଫଳ ପାଇଁ ଶୁଟ ଆଉଟର ସହାୟତା ନିଆଯାଇଥିଲା। ଭାରତ କ୍ରମାଗତ ୪ଟି ଗୋଲ କରିଥିବା ବେଳେ ବ୍ରିଟେନ ୨ଟି ମିସ କରିଯାଇଥିଲା। ଫଳରେ ଭାରତ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।