Advertisment

ପ୍ୟାରିସ ଅଲିମ୍ପିକ୍ସ ପରେ ଅବସର ନେବେ ଶ୍ରୀଜେଶ

୨୦୦୬ରେ ଶ୍ରୀଜେଶ ଭାରତର ସିନିୟର ଟିମ୍‌ରେ ସ୍ଥାନ ପାଇଥିଲେ।

PR Sreejesh

PR Sreejesh

Advertisment

ପ୍ୟାରିସ ଅଲିମ୍ପିକ୍ସ ପରେ ଅନ୍ତଜାର୍ତୀୟ ହକିରୁ ଅବସର ନେବେ ଭାରତୀୟ ଟିମ୍‌ର ଭେଟେରାନ ଗୋଲ୍‌କିପର ପିଆର୍ ଶ୍ରୀଜେଶ। ସେ ଆଜି ସୋଶାଲ ମିଡିଆରେ ଏହି ଘୋଷଣା କରିଛନ୍ତି।

Advertisment

ଜୁଲାଇ ୨୬ରୁ ଆରମ୍ଭ ହେବ ପ୍ୟାରିସ ଅଲିମ୍ପିକ୍ସ। ଏହା ହେବ ଶ୍ରୀଜେଶଙ୍କ ଚତୁର୍ଥ ଅଲିମ୍ପିକ୍ସ। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଶ୍ରୀଜେଶ ଏହାର ସଦସ୍ୟ ଥିଲେ।

୨୦୦୬ରେ ଭାରତୀୟ ସିନିୟର ଟିମ୍ ପାଇଁ ଡେବ୍ୟୁ କରିଥିଲେ ଶ୍ରୀଜେଶ। ସେ ଭାରତ ପକ୍ଷରୁ ୩୦୦ରୁ ଅଧିକ ମ୍ୟାଚ୍ ଖେଳି ସାରିଛନ୍ତି। ୨୦୦୪ରେ ଜାତୀୟ ଜୁନିୟର ଟିମ୍‌ରେ ସାମିଲ ହୋଇଥିଲେ ଶ୍ରୀଜେଶ। ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଜାତୀୟ ଜୁନିୟର ଟିମ୍‌ ତରଫରୁ ଖେଳିଥିଲେ ପ୍ରଥମ ମ୍ୟାଚ୍‌। ୨୦୦୬ରେ କୋଲମ୍ବୋରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସେ ଜାତୀୟ ସିନିୟର ଟିମ୍‌ରେ ଡେବ୍ୟୁ କରିଥିଲେ।

Advertisment

ଶ୍ରୀଜେଶ ସୋଶାଲ ମିଡିଆରେ ଲେଖିଛନ୍ତି ଯେ ସେ ତାଙ୍କ ଅନ୍ତଜାର୍ତୀୟ ହକି କ୍ୟାରିୟରର ଶେଷ ଅଧ୍ୟାୟରେ ପହଞ୍ଚିଛନ୍ତି। ତାଙ୍କର ଏହି ହକି ଯାତ୍ରା ଜିଭି ରାଜା ସ୍ପୋର୍ଟସ ସ୍କୁଲରୁ ଆରମ୍ଭ ହୋଇଥିଲା।

ସେ ଲେଖିଛନ୍ତି, ମୁଁ ଏବେ ବି ମନେ ରଖିଛି ଯେ ମୋ ବାପା ଆମର ଏକ ଗାଈ ବିକ୍ରି କରି ମୋର ପ୍ରଥମ କିଟ୍ କିଣିଥିଲେ। ତାଙ୍କର ଏହି ତ୍ୟାଗ ମୋ ମନ ଭିତରେ ନିଆଁ ଲଗାଇ ଦେଇଥିଲେ, ଯାହା ମୋତେ କଠିନ ପରିଶ୍ରମ କରିବାକୁ ଓ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରିତ କରିଥିଲା। ମୋର ପ୍ରଥମ ଅନ୍ତଜାର୍ତୀୟ ଟ୍ରିପ୍‌ରେ ମୁଁ ଅଷ୍ଟ୍ରେଲିଆ ଯାଇଥିଲି, ଯାହା ଆଶ୍ଚର୍ଯ୍ୟ ଓ ଉତ୍ସାହରେ ଭରିଥିଲା। ବିଦେଶ ମାଟିରେ ଜଣେ ଯୁବକ ତା’ ସ୍ୱପ୍ନର ପିଛା କରୁଥିଲା।

୨୦୧୨ ଲଣ୍ଡନ ଅଲିମ୍ପିକ୍ସର ତିକ୍ତ ଅନୁଭୂତି କଥା ମଧ୍ୟ ଶ୍ରୀଜେଶ ତାଙ୍କ ସୋଶାଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ସମସ୍ତ ମ୍ୟାଚ୍ ହାରିଯିବାକୁ ସ୍ୱୀକାର କରି ନେବା ସହଜ ନଥିଲା। ଏହା ପିତା ବଟିକା ଖାଇବା ସଦୃଶ ହୋଇଥିଲା। କିନ୍ତୁ ଏହା ଟର୍ଣ୍ଣିଂ ପଏଣ୍ଟ ଥିଲା। ସେହି ପରାଜୟର ଗ୍ଲାନି ଭିତରେ ମୁଁ ଉଠିବାକୁ ସଂକଳ୍ପ ନେଇଥିଲି ଓ ତା’ପରେ କେବେ ପଛକୁ ଫେରି ଚାହିଁନାହିଁ।

ଏହି ପୋଷ୍ଟରେ ଶ୍ରୀଜେଶ ପ୍ରଥମ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହେବା ବିଷୟରେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ତାହା ଏକ ଐତିହାସିକ ମୁହୂର୍ତ୍ତ ଥିଲା। ସେହିପରି ଅଲିମ୍ପିକ୍ସରେ ଭାରତୀୟ ଦଳର ନେତୃତ୍ୱ ନେବା ତାଙ୍କ ପାଇଁ ଏକ ସମ୍ମାନ ଥିଲା, ଯାହାକୁ ସେ ଶବ୍ଦରେ ବର୍ଣ୍ଣନା କରିପାରିବେ ନାହିଁ ବୋଲି ଲେଖିଛନ୍ତି। ବିଶ୍ୱର ଶ୍ରେଷ୍ଠ ଗୋଲକିପର ଭାବେ ପୁରସ୍କୃତ ହେବା ଏକ ଏଭଳି ସ୍ୱୀକୃତି ଥିଲା, ଯାହା ସବୁଦିନ ପାଇଁ ତାଙ୍କୁ ଆନନ୍ଦିତ କରିବ ବୋଲି ଶ୍ରୀଜେଶ ଲେଖିଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସେମାନଙ୍କର ଏକ ସ୍ୱପ୍ନ ପୂରଣ ହୋଇଥିଲା ବୋଲି ସେ ଲେଖିଛନ୍ତି। 

ଶ୍ରୀଜେଶ ଲେଖିଛନ୍ତି, ମୁଁ ଏବେ ମୋର ଶେଷ ଖେଳ ପାଇଁ ପ୍ୟାରିସ୍‌ରେ ପ୍ରସ୍ତୁତି କରୁଥିବା ବେଳେ ଅତୀତକୁ ଯେତେବେଳେ ଦେଖୁଛି ଗର୍ବ ଅନୁଭବ କରୁଛି ଓ ଭବିଷ୍ୟତକୁ ନେଇ ଆଶାବାଦୀ ଅଛି। ମୋ ପରିବାର, ଟିମ୍‌ର ସଦସ୍ୟ, କୋଚ୍ ଓ ପ୍ରଶଂସକଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ ସାରା ଜୀବନ କୃତଜ୍ଞ ରହିବି।

Paris Olympics 2024 Paris Olympics PR Sreejesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe