Advertisment

କେମିତି ୧୦ ଘଣ୍ଟାରେ ୪.୬ କେଜି ଓଜନ କମାଇଥିଲେ ପଦକ ବିଜେତା ଅମନ?

ଅମନ ଓଜନ କମାଇବାକୁ ପରିଶ୍ରମ କରୁଥିବା ବେଳେ ତାଙ୍କୁ ନଖ ଉସୁମ ପାଣି, ଲେମ୍ବୁ ଓ ମହୁ ଦିଆଯାଉଥିଲା। କିଛି କଫି ମଧ୍ୟ ସେ ପିଇଥିଲେ।

Aman Sehrawat

Aman Sehrawat

Advertisment

କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡ଼ିଥାଏ। ଏହି ଲୋକ କଥାଟିକୁ ପ୍ରମାଣ କରି ଦେଖାଇଛନ୍ତି ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ରେସଲିଂରେ ପ୍ରଥମ ପଦକ ଜିତିଥିବା ଯୁବ ତାରକା ଅମନ ଶେହରାୱତ।

Advertisment

ଯେଉଁଠି ଭିନେଶ ଫୋଗାଟ ୧୨ ଘଣ୍ଟା ଭିତରେ ୨.୭ କେଜି ଓଜନ କମାଇବାକୁ ସକ୍ଷମ ହୋଇ ନଥିଲେ ଏବଂ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଥିଲେ, ସେଠାରେ ଅମନ ମାତ୍ର ୧୦ ଘଣ୍ଟାରେ ନିଜ ଓଜନକୁ ୪.୬ କେଜି କମାଇଥିଲେ। ଏଥିସହ ଭାରତ ପାଇଁ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିବାକୁ ମଧ୍ୟ ସକ୍ଷମ ହୋଇଥିଲେ। 

୫୭ କେଜି ବର୍ଗରେ ରେସଲିଂ କରୁଥିବା ଅମନ ଗୁରୁବାର ସେମି ଫାଇନାଲରେ ବିଶ୍ୱର ଟପ୍‌ ସିଡ ତଥା ଚଳିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଜାପାନର ରେଇ ହିଗୁଚିଙ୍କ ଠାରୁ ହାରି ଯାଇଥିଲେ। ସେ ସେମି ଫାଇନାଲ ହାରି ଯାଇଥିବାରୁ ତାଙ୍କୁ ବ୍ରୋଞ୍ଜ ପାଇଁ ଖେଳିବାକୁ ପଡ଼ିଥିଲା।

Advertisment

ହେଲେ ସେମି ଲଢ଼େଇ ପରେ ତାଙ୍କ ଓଜନ ୬୧.୫ କେଜି ହୋଇଯାଇଥିଲା। ଏହି ଅତିରିକ୍ତ ୪.୫ କେଜି ଓଜନ କମାଇବା ତାଙ୍କ ପାଇଁ ବ୍ରୋଞ୍ଜ ଲଢ଼େଇ ପୂର୍ବରୁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା।

୫୭ କେଜି ବର୍ଗର ବ୍ରୋଞ୍ଜ ପଦକ ଲଢ଼େଇ ପୂର୍ବରୁ ନିୟମ ଅନୁସାରେ ଓଜନ ମପା ଯାଇଥାଏ। ସେମି ପରେ ଉକ୍ତ ୫୭ କେଜି ଓଜନ ସୀମାକୁ ଛୁଇଁବା ପାଇଁ ଅମନଙ୍କ ପାଖରେ ମାତ୍ର ୧୦ ଘଣ୍ଟାର ସମୟ ରହିଥିଲା।

ସକାଳୁ ଓଜନ ମପା ଯିବାକୁ ଥିବାରୁ ଅମନ ତାଙ୍କର ଦୁଇ କୋଚ ଜଗମନ୍ଦେର ସିଂହ ଓ ବୀରେନ୍ଦ୍ର ଦାହିୟା ଲାଗି ପଡ଼ିଥିଲେ। ସେମାନେ ୧୦ ଘଣ୍ଟା କାଳ ଏମିତି ପରିଶ୍ରମ କରିଥିଲେ ଯେ ଅମନଙ୍କ ଓଜନ ସିଧା ୫୬.୯ କେଜିକୁ ଖସି ଆସିଥିଲା। ଏହାର ଅର୍ଥ ୧୦ ଘଣ୍ଟାରେ ସେ ନିଜର ଓଜନ ୪.୬ କେଜି କମାଇବାକୁ ସକ୍ଷମ ହୋଇଛନ୍ତି।

ଅମନ ନିୟମ ଅନୁସାରେ ଓଜନ ହେଲା ବେଳକୁ ଏହା ୫୬.୯ କେଜି ରହିଥିଲା। ଧାର୍ଯ୍ୟ ସୀମା ଠାରୁ ୧୦୦ ଗ୍ରାମ କମ। ଯଦି ୧୦୦ ଗ୍ରାମ ଭିନେଶଙ୍କ ପାଇଁ ଟ୍ରାଜେଡୀ ସଦୃଶ ହୋଇଥାଏ, ତା’ହେଲେ ସେହି ୧୦୦ ଗ୍ରାମ ଅମନଙ୍କୁ ଆଶ୍ୱସ୍ତି ଦେଇଥିଲା।

ଗୁରୁବାର ସ୍ଥାନୀୟ ସମୟ ସନ୍ଧ୍ୟା ୬.୩୦ରେ ଅମନ ତାଙ୍କ ସେମି ଫାଇନାଲ ବାଉଟ ହାରି ଯାଇଥିଲେ। ମ୍ୟାଚ୍‌ ସରିବା ପରେ ଓଜନ କମାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଏହି ମିଶନର ପ୍ରଥମ ଦେଢ଼ ଘଣ୍ଟା ମ୍ୟାଟ ସେସନ ରହିଥିଲା। ଏହି ସେସନରେ ଦୁଇ କୋଚ ମିଳିତ ଭାବେ ଅମନଙ୍କୁ ଷ୍ଟାଣ୍ଡିଂ ରେସଲିଂରେ ବ୍ୟସ୍ତ ରଖିଥିଲେ। ଏହାପରେ ଗୋଟିଏ ଘଣ୍ଟା ହଟ ବାଥ ସେସନ ହୋଇଥିଲା।

ରାତି ୧୨.୩୦ରେ ଅମନ ଜିମରେ ପହଞ୍ଚିଥିଲେ। ସେଠାରେ ଅମନ ପୂରା ଗୋଟିଏ ଘଣ୍ଟା ଟ୍ରେଡ୍‌ମିଲ୍‌ରେ ଦୌଡ଼ିଥିଲେ। ଦୌଡ଼ିବା ପରେ ତାଙ୍କୁ ୩୦ ମିନିଟ ବ୍ରେକ ମିଳିଥିଲା। ବିଶ୍ରାମ ପରେ ୫ ମିନିଟ ଧରି ୫ଟି ସେସନରେ ସେ ସୌନ ସ୍ନାନ କରିଥିଲେ। ଏହା ପ୍ରାୟତଃ ଷ୍ଟିମ ବାଥ ଭଳି। ସବୁ କିଛି ବ୍ୟାୟମ କରିବା ପରେ ଅମନଙ୍କ ଓଜନ ଧାର୍ଯ୍ୟ ସୀମା ଠାରୁ ୯୦୦ ଗ୍ରାମ ଅଧିକ ରହିଥିଲା।

ଏଥିପାଇଁ ତାଙ୍କର ମସାଜ କରାଯାଇଥିଲା। ମସାଜ ପରେ ଛତ୍ରସାଲରେ ଟ୍ରେନିଂ ନେଉଥିବା ଅମନଙ୍କୁ ଦୁଇ କୋଚ୍‌ ହାଲୁକା ଜଗିଂ ପାଇଁ କହିଥିଲେ। ଜଗିଂ ପରେ ୧୫ ମିନିଟ ଧରି ୫ଟି ସେସନରେ ତାଙ୍କୁ ଦୌଡ଼ିବାକୁ ପଡ଼ିଥିଲା।

ଭୋର ୪.୩୦ ବେଳକୁ ଅମନଙ୍କ ଓଜନ ମପା ଯାଇଥିଲା। ଏହି ସମୟରେ ତାଙ୍କ ଓଜନ ୫୬.୯ କେଜି ହୋଇଯାଇଥିଲା। ଫଳର ଅମନ ଓ ତାଙ୍କ ଦୁଇ କୋଚ ଆଶ୍ୱସ୍ତି ହୋଇଥିଲେ।

ଅମନ ଓଜନ କମାଇବାକୁ ପରିଶ୍ରମ କରୁଥିବା ବେଳେ ତାଙ୍କୁ ନଖ ଉସୁମ ପାଣି, ଲେମ୍ବୁ ଓ ମହୁ ଦିଆଯାଉଥିଲା। କିଛି କଫି ମଧ୍ୟ ସେ ପିଇଥିଲେ। ଅମନ ଆଦୌ ଶୋଇ ନଥିଲେ।

କୋଚ ଦହିୟା କହିଛନ୍ତି, “ମୁଁ ରାତି ତମାମ ବିଭିନ୍ନ ରେସଲିଂ ବାଉଟରୁ ଭିଡିଓ ଦେଖୁଥିଲି। ପ୍ରତି ଘଣ୍ଟାରେ ଅମନଙ୍କ ଓଜନ ଚେକ କରାଯାଉଥିଲା। ଆମେ ରାତି କିମ୍ବା ଦିନରେ ଆଦୌ ଶୋଇ ନଥିଲୁ। ଓଜନ ହ୍ରାସ ଗୋଟିଏ ନିୟମିତ ପ୍ରକ୍ରିୟା। କିନ୍ତୁ ଓଜନ ହ୍ରାସକୁ ନେଇ ଆମେ ଏଥର ସାମାନ୍ୟ ଚିନ୍ତାରେ ଥିଲୁ।

ଭିନେଶଙ୍କ ସହ ଯାହା ହେଲା, ତା’ ଆମ ମୁଣ୍ଡରେ ଚାଲିଥିଲା। ଆମେ ଆଉ ଗୋଟିଏ ପଦକ ହରାଇବାକୁ ଚାହୁଁ ନଥିଲୁ। ସବୁ କଠିନ ପରିଶ୍ରମର ମୂଲ୍ୟ ଅମନଙ୍କ ପଦକ ଜିତିବା ପରେ ପୂରା ହୋଇଛି। ସେ ଭାରତର ସର୍ବକନିଷ୍ଠ ରେସଲର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।”

Paris Olympics 2024 Paris Olympics Olympics 2024 Aman Sehrawat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe