ସର୍ବାଧୁନିକ ହକି ଖେଳର ଆଦ୍ୟାବସ୍ଥା ଆଜିର ଚକମକି ହକିଖେଳ ଭଳି ନଥିଲା। ହକିଖେଳ ପ୍ରାୟ ୪୦୦୦ ବର୍ଷ ତଳେ ସମ୍ଭବତଃ ଇଜିପ୍ଟ ଓ ଇରାନରେ ଆରମ୍ଭ ହୋଇଥିଲା। ରୋମାନ ଓ ଗ୍ରୀକମାନେ ମଧ୍ୟ ହକି ଖେଳୁଥିବାର ପ୍ରମାଣ ମିଳୁଛି। ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଇଂଲଣ୍ଡର ସ୍କୁଲମାନଙ୍କରେ ହକି ଖେଳ ହେଉଥିଲା ଓ ଇଂଲଣ୍ଡକୁ ଆଧୁନିକ ହକିର ଜନ୍ମସ୍ଥାନ ଭାବେ ମାନ୍ୟତା ଦିଆଯାଏ। ବ୍ରିଟିଶ ଶାସନ କାଳରେ ଭାରତରେ ହକିଖେଳ ପ୍ରବେଶ କଲାପରେ କଲିକତାରେ ୧୮୫୫ରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ହକି କ୍ଲବ ଓ ୧୯୦୮ରେ ବେଙ୍ଗଲ ହକି ସଂଘ ନାମରେ ଦେଶର ପ୍ରଥମ ହକି ସଂଗଠନ। ୧୯୨୮ରେ ପ୍ରଥମ ଥର ପାଇଁ ଭାରତ ଅଲମ୍ପିକ୍ସରେ ଭାଗନେଇଥିଲା।
୧୯୨୮ରୁ ୧୯୫୬ ଯାଏଁ ଭାରତୀୟ ହକିର ସ୍ୱର୍ଣ୍ଣଯୁଗ ଥିଲା। ଏହି ୨୮ ବର୍ଷକାଳ ହକିରେ ରାଜ କରିଥିଲା ଭାରତ। ଭାରତୀୟ ହକିର ଏହି ସ୍ୱର୍ଣ୍ଣିମ କାଳରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ହକି-ଯାଦୁଗର ଧ୍ୟାନଚାନ୍ଦ ଓ ବଲବୀର ସିଂହ (ବରିଷ୍ଠ)ଙ୍କ ନାମ ମନେପଡ଼େ। ଏହି କାଳଖଣ୍ଡରେ ଭାରତ ପାଇଛି ୮ ଥର ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ – ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦। ଅଲମ୍ପିକ୍ସ ବ୍ୟତୀତ, ଅନ୍ୟାନ୍ୟ ପ୍ରମୁଖ ଅନ୍ତଃରାଷ୍ଟ୍ରୀୟ ହକି ପ୍ରତିଯୋଗିତାଗୁଡ଼ିକ ହେଲା - ବିଶ୍ୱକପ ହକି, ଏଫଆଇଏଚ ପ୍ରୋ-ଲିଗ (ପୁରୁଷ ଓ ମହିଳା), ରାଜ୍ୟଗୋଷ୍ଠୀ କ୍ରୀଡ଼ା, ମାଲେସିଆରେ ନିମନ୍ତ୍ରଣ ଭିତ୍ତିରେ ଅନୁଷ୍ଠିତ ହେଉଥିବା ସୁଲତାନ ଆଜଲାନ ଶାହ ଓ ସୁଲତାନ ଇବ୍ରାହିମ ଇସ୍ମାଇଲ ହକି ଟୁର୍ଣାମେଣ୍ଟ (୨୧ ବର୍ଷରୁ କମ) ଏବଂ ଆମଦେଶରେ ବହୁଆଡ଼ମ୍ବରରେ ଆରମ୍ଭ କରାଯାଇଥିବା ହକି ଇଣ୍ଡିଆ ଲିଗ ବା କୋଲ ଇଣ୍ଡିଆ ହକି; ଯାହା ୨୦୧୭ ପରଠୁ ବନ୍ଦ ହୋଇଯାଇଛି।
ହକି ଖେଳରେ ବାରମ୍ବାର ଆସିଛି ଅନେକ ପରିବର୍ତ୍ତନ। ୧୯୭୬ ଅଲମ୍ପିକ୍ସ ଯାଏଁ ଘାସ ପଡ଼ିଆରେ ଖେଳାଯାଉଥିବା ହକି ଥିଲା କଳାତ୍ମକ ଓ ଭାରତ ପାଇଁ ଅନୁକୂଳ। ଘାସ ବଦଳରେ ଆଷ୍ଟ୍ରୋଟର୍ଫ ପଡ଼ିଆରେ ହକି ଖେଳ ଆରମ୍ଭ ହେଲା। ତା ଛଡ଼ା, ଅନେକ ନିୟମ ବଦଳି ଗଲା, ଯାହା ଏସିଆ ମହାଦେଶ, ବିଶେଷକରି ଭାରତୀୟ ଉପମହାଦେଶର ଖେଳାଳିଙ୍କ ପାଇଁ ପ୍ରତିକୂଳ ହେବାକୁ ଆରମ୍ଭ କଲା ଓ ଏଥିରୁ ୟୁରୋପୀୟ ଦଳମାନେ ଲାଭ ପାଇଲେ। ଅଷ୍ଟ୍ରେଲୀୟ ଓ ୟୁରୋପୀୟ ଖେଳାଳିମାନେ ଶାରୀରିକ ଶକ୍ତି ଦୃଷ୍ଟିରୁ ଶକ୍ତିଶାଳୀ ଓ ବେଗଗାମୀ ଥିବାରୁ ଆଷ୍ଟ୍ରୋଟର୍ଫ ପଡ଼ିଆରେ ଉନ୍ନତ ପ୍ରଦର୍ଶନ କଲାବେଳେ ଅବିକଶିତ ଓ ବିକାଶଶୀଳ ଦେଶର ଖେଳାଳିମାନେ ମୂଲ୍ୟବାନ ଆଷ୍ଟ୍ରୋଟର୍ଫ ପଡ଼ିଆ ନଥିବାରୁ ଏଥିରେ ଅଭ୍ୟାସ କରିପାରିଲେନି। ଫଳରେ ଘାସ ପଡ଼ିଆରେ ଖେଳାଯାଉଥିବା କଳାତ୍ମକ ଓ କୌଶଳପୂର୍ଣ ହକିଖେଳ 'ବେଗ ଓ ଶକ୍ତି' ସହ ପ୍ରତିଯୋଗିତାରେ ହାରିଗଲା। କଳ୍ପନା କରନ୍ତୁ ଯେ, ଯଦି କ୍ରିକେଟ ଖେଳ ଘାସ ପଡ଼ିଆରେ ନହୋଇ ଆଷ୍ଟ୍ରୋଟର୍ଫରେ ହେବାକୁ ନିଷ୍ପତ୍ତି ନିଆଯିବ କ୍ରିକେଟ କିଭଳି ବିବର୍ତ୍ତିତ ହୋଇଯିବ!
ପରେ ପରେ ହକିର ନିୟମ ଯଥା: ଖେଳର ଅବଧି, ମୁଣ୍ଡ ଉପର ଦେଇ ପାସ୍, କର୍ଣ୍ଣର, ପେନାଲଟି କର୍ଣ୍ଣର ଇତ୍ୟାଦିର ନିୟମ ଏପରି କ୍ଷୀପ୍ର ଗତିରେ ବଦଳି ଚାଲିଲା ଯେ ହକି ଖେଳ ତୀବ୍ର ପ୍ରତିଦ୍ଵନ୍ଦିତାମୂଳକ ତଥା ଚଞ୍ଚଳ ଓ କ୍ଷୀପ୍ର ହୋଇଗଲା। ପରିବର୍ତ୍ତନ ସହ ତାଳଦେଇ, ନିଜର ସାମର୍ଥ୍ୟ ବୃଦ୍ଧି କରିବା ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ପାଇଁ ସମୟ ସାପେକ୍ଷ ହେବା ସ୍ୱାଭାବିକ। ତଥାପି ୨୦୧୪ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଆମେ ପରବର୍ତ୍ତୀ ଏସୀୟ କ୍ରୀଡ଼ାରେ ୧୬ ବର୍ଷ ପରେ ସ୍ୱର୍ଣ୍ଣ ଓ ଚାମ୍ପିୟନ ଟ୍ରଫିରେ ୩୪ ବର୍ଷ ପରେ ରୌପ୍ୟ ପଦକ ହାସଲ କରିଥିଲେ। ଏହା ପ୍ରମାଣିତ କରେ ଯେ ପରିବର୍ତ୍ତନ ସହ ତାଳଦେଇ ଆମେ ପଦକ ହାସଲ କରିବା ସମ୍ଭବ। ହକିରେ ବୈଷୟିକ ବିକାଶ ହୋଇଛି। ଚଳିତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ହକି ପ୍ରତିଯୋଗିତାର ଶିଖର ଛୁଇଁଛି। ପାରମ୍ପରିକ ହକି ଖେଳୁଥିବା ଦେଶ, ଏପରିକି ସମସ୍ତ ଏସୀୟ ରାଷ୍ଟ୍ର ଅପେକ୍ଷା ଅନ୍ୟମାନେ ଆଗରେ ରହିଛନ୍ତି। ସମୟ ସମୟରେ ସଠିକ ରଣନୀତି ସହ କିଛି ଦେଶ ଚମକପ୍ରଦ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଛନ୍ତି। କନିଷ୍ଠ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ହକିଦଳର ଚମତ୍କାର ପ୍ରଦର୍ଶନ ଉତ୍ସାହଜନକ।
ଆମେ ପୂର୍ବରୁ ବଦଳି ଥିବା ନିୟମ, ଆଷ୍ଟ୍ରୋଟର୍ଫ ଓ ବୈଷୟିକ ପରିବର୍ତ୍ତନ କଥା କହିସାରିଛେ। ହକିର ବିକାଶ କରିବାକୁ ପ୍ରତିଷ୍ଠିତ ସଂସ୍ଥା ହିଁ ହକିକୁ ଅବହେଳା କରିଥିବା ସ୍ପଷ୍ଟ। ୟୁରୋପୀୟ ଓ ଅଷ୍ଟ୍ରେଲୀୟମାନେ ଅନ୍ତର୍ଜାତୀୟ ହକି ସଂଘକୁ ନିର୍ବାଚିତ ହୋଇ ନିଜ ଦେଶର ସ୍ୱାର୍ଥରେ ହକି ସହ ନିର୍ଦୟ ବ୍ୟବହାର କରିଛନ୍ତି; ଏହା କାହାରିକୁ ଅଛପା ନୁହେଁ। ଆମେ ଆମର କ୍ରୀଡ଼ା ପ୍ରଶାସକଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରିପାରିବା। ସେମାନେ ପରିବର୍ତ୍ତନକୁ ବିରୋଧ କରିନଥିଲେ। ଯଦି ସେମାନେ ପରିବର୍ତ୍ତନକୁ ଗ୍ରହଣ କରିନେଲେ, ଯଥାଶୀଘ୍ର ଆଷ୍ଟ୍ରୋଟର୍ଫ ପଡ଼ିଆ ପ୍ରସ୍ତୁତ କରି ନୂଆ ନିୟମରେ ଶକ୍ତିଶାଳୀ ଓ ଦ୍ରୁତଧାବକ ଖେଳାଳି ବାଛି ତାଲିମ ଦେବାକୁ ସରକାରଙ୍କ ଉପରେ ଚାପ ଦେଲେନାହିଁ କାହିଁକି? ସ୍କୁଲ ପିଲାଏ ଘାସପଡ଼ିଆରେ ହକି ଖେଳି ୧୯-୨୦ ବର୍ଷ ହେଲା ବେଳକୁ ଆଷ୍ଟ୍ରୋଟର୍ଫ ପଡ଼ିଆରେ ଖେଳିବାର ସୁଯୋଗ ପାଇଲେ ପଦକ ଜିଣିବା ଯେ ଅସମ୍ଭବ, ଏହା ହକିପ୍ରେମୀ ଭାରତୀୟ ମନେରଖିବା ଦରକାର।
ଏବେ ବି ପ୍ରତିକାରର ବାଟ ରହିଛି। ଆମେ ଜାଣିଛେ ଯେ ଲନ୍ ଟେନିସ ଆଜି ବି ତିନି ପ୍ରକାର ପଡ଼ିଆରେ ଖେଳା ଯାଉଛି - ୱେମ୍ବଲେଡନରେ ଘାସ, ଫ୍ରେଞ୍ଚ ଓପନରେ ମାଟି ଏବଂ ୟୁଏସ ଓ ଅଷ୍ଟ୍ରେଲିଆନ ଓପନରେ କଠିନ ଭୂମିର ପଡ଼ିଆ ଉପରେ ଖେଳ ହେଉଛି। ସେହିପରି, ହକି ମଧ୍ୟ ପୂର୍ବ ଭଳି ଘାସ ପଡ଼ିଆରେ ଓ ଆଷ୍ଟ୍ରୋଟର୍ଫ ପଡ଼ିଆରେ ହେବାର ଆବଶ୍ୟକତା ରହିଛି। ଆମେ ଏହି ଦିଗରେ ଚାପ ସୃଷ୍ଟି କରିବା ଉଚିତ। ଆଗାମୀ ହକି ଇଣ୍ଡିଆ ଲିଗ ଖେଳର ପ୍ରଥମ ପର୍ଯ୍ୟାୟରେ ଘାସ ପଡ଼ିଆ ଓ ମାସକ ପରେ ଦ୍ଵିତୀୟ ପର୍ଯ୍ୟାୟରେ ଆଷ୍ଟ୍ରୋଟର୍ଫ ପଡ଼ିଆରେ ହକି ଖେଳ କରାଗଲେ ନୂଆ ଉଦାହରଣ ସୃଷ୍ଟି ହୁଅନ୍ତା। ଟେନିସ ବେଳକୁ ହଁ, ହକି ପାଇଁ ମନା କରାଗଲେ ଅନ୍ତର୍ଜାତୀୟ ହକି ଫେଡେରେସନର ଚାଲାକି ଧରାପଡ଼ନ୍ତା।
ଭାରତୀୟ ଖେଳାଳି ବ୍ୟକ୍ତିଗତ ସାମର୍ଥ୍ୟ ଓ ନିପୁଣତା ପ୍ରଦର୍ଶନ କରି ପଦକ ଜିଣୁଥିଲେ ବି ଦଳଗତ ସାଫଲ୍ୟ ରୁ ଦୂରରେ। ଏସିଆ ମହାଦେଶର ଜାପାନ ଓ ଦକ୍ଷିଣ କୋରିଆର ପ୍ରତ୍ୟେକ ଶିଶୁ ପୁଷ୍ଟିକର ଖାଦ୍ୟ, ସୁବିଧା ଓ ତାଲିମ ସୁଯୋଗ ପାଇ ପାରୁଥିଲା ବେଳେ ସମସ୍ତ ଭାରତୀୟ ଶିଶୁମାନଙ୍କ ଭାଗ୍ୟରେ ଏହା ଜୁଟେ ନାହିଁ। ଯେଉଁମାନଙ୍କ ଭାଗ୍ୟରେ ଏହା ଜୁଟେ ସେମାନେ ପ୍ରାୟତଃ ଭଦ୍ରଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟ ଖେଳନ୍ତି। କେବଳ ଆମର ଅଧିକ ଜନସଂଖ୍ୟା କାରଣରୁ ହକି ଖେଳାଳି ପାଇପାରୁଛେ। ସୁନ୍ଦରଗଡ଼ରେ ପିଲାଦିନୁ ହକି ଖେଳୁଥିବା ପିଲାଏ ଚାହାନ୍ତି ଭଲ ଖେଳିଲେ, ରାଜ୍ୟ ଓ ରାଷ୍ଟ୍ରୀୟ ହକିଦଳରେ ସ୍ଥାନ ପାଇବେ ଓ ସ୍ଥାୟୀ ନିଯୁକ୍ତି ମିଳିଯିବ। ସେଥିପାଇଁ କେବଳ ହକି ଖେଳନ୍ତି। ସେଠାରେ ଏବେ ଏବେ ପ୍ରତ୍ୟେକ ବ୍ଲକରେ ଆଷ୍ଟ୍ରୋଟର୍ଫ ପଡିଆ ତିଆରି ହୋଇଥିବାରୁ କିଶୋର ହକି ଖେଳାଳି ସୃଷ୍ଟି ହେଉଛନ୍ତି; ହେଲେ ଏଭଳି ସୁଯୋଗ ସାରା ଦେଶରେ ନାହିଁ।
ଆଗାମୀ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଷୋଡ଼ଶ ପୁରୁଷ ହକି ବିଶ୍ୱକପ ମିଳିତ ଭାବେ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସ ଆୟୋଜନ କରିବେ। ଭାରତ ଏଥିରେ ଯୋଗଦାନ କରିବାର ଯୋଗ୍ୟତା ହରାଇ ସାରିଥିଲେ ବି ଏସିଆ ମହାଦେଶର ଶ୍ରେଷ୍ଠ ଦଳ ଭାବେ ନିଜକୁ ପ୍ରତିପାଦିତ କରି ପାରିଲେ ବିଶ୍ୱକପରେ ଭାଗ ନେଇ ପାରିବ। ଏଣୁ ଭାରତୀୟ ପୁରୁଷ ଦଳକୁ କଠିନ ସଂଘର୍ଷ କରି ୨୦୨୩ ମସିହା ପ୍ରୋ-ଲିଗ ପ୍ରତିଯୋଗିତାରେ ଜିଣିବାକୁ ପଡ଼ିବ। ଏଥିପାଇଁ, ଆମକୁ ଅତୀତକୁ ଭୁଲି ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ଓ ଦଳ ଚୟନ ବ୍ୟବସ୍ଥାରେ ସୁଧାର ଆଣିବାକୁ ପଡ଼ିବ। ଭାରତୀୟ ହକି ଅଧିକାରୀ, ଖେଳାଳି ଏବଂ ପ୍ରଶଂସକମାନେ ମଧ୍ୟ ଭାରତୀୟ ହକିର ଗୌରବମୟ ଅତୀତ ବିଷୟରେ ଅତ୍ୟଧିକ ଚର୍ଚ୍ଚା ଓ ଅନାବଶ୍ୟକ ଗର୍ବ କରିବା ଅନୁଚିତ। ଭାରତୀୟ ଦଳ ଏବେ କ୍ୱାର୍ଟର ଫାଇନାଲ୍ ଯାଇ ନପାରିବାରୁ ଆମେ ଭାରତୀୟ ହକିର ଗୌରବମୟ ଅତୀତ ଏବଂ ଆଠଟି ସ୍ୱର୍ଣ୍ଣ ପଦକ ବିଷୟରେ କହି ଏବର ଦୁଃଖଦ ସ୍ଥିତି ବିଷୟରେ ମତ ଓ ମନ୍ତବ୍ୟ ଦେଉଛେ। ଏସବୁ କେବଳ ବହିରେ ପଢ଼ିବାକୁ ଭଲ ଲାଗିଲେ ବି ଆଜିର ଖେଳାଳିଙ୍କ ପାଇଁ ଅତ୍ୟଧିକ ଚାପ ସୃଷ୍ଟି କରେ। ଅତୀତର ଗୌରବକୁ ଖେଳାଳିଙ୍କ ମୁଣ୍ଡରେ ପୂରେଇଲେ ସେମାନେ ଚାପମୁକ୍ତ ହୋଇ ଖେଳିବା ସମ୍ଭବ ନୁହେଁ। ତେଣୁ, ଆମକୁ ତାଜା ଏବଂ ନୂତନ ହକି ଅଧ୍ୟାୟ ଆରମ୍ଭ କରିବା ଆବଶ୍ୟକ। ଆମେ କଣ ଥିଲୁ ଅପେକ୍ଷା ଭବିଷ୍ୟତରେ କିପରି ବିଶ୍ୱ ହକିର ସମ୍ରାଟ ହେବା, ସେ ଦିଗରେ ପ୍ରଚେଷ୍ଟା ଅଧିକ ମହତ୍ତ୍ୱପୂର୍ଣ୍ଣ।
ଯଦି ଚୟନକର୍ତ୍ତାମାନେ ନିୟମିତ ବ୍ୟବଧାନରେ ଶ୍ରେଷ୍ଠଦଳକୁ ବଦଳ କରିଦେବେ, ମାସମାସ ଧରି ହକି ତାଲିମ ଶିବିର ଚାଲିବାର ଲାଭ ଦଳକୁ ମିଳିବନି। ନିଜ ଦେଶର ଖେଳାଳିଙ୍କ ଶକ୍ତି ଏବଂ ଦୁର୍ବଳତା ଜାଣିବା ଅପେକ୍ଷା ବିଦେଶୀ ପ୍ରତିପକ୍ଷଙ୍କ ଶକ୍ତି ଏବଂ ଦୁର୍ବଳତା ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ। କିଛି ସମୟ ବିଶ୍ରାମ ପରେ ପୁନର୍ବାର ନିଜର ସାମର୍ଥ୍ୟ ଓ କ୍ରୀଡ଼ାନୈପୁଣ୍ୟ ଫେରିପାଇବା ପାଇଁ ପ୍ରଶିକ୍ଷଣ ଶିବିରର ନିଶ୍ଚୟ ଆବଶ୍ୟକ, କିନ୍ତୁ ପ୍ରତିଦିନ କେବେ ନୁହେଁ। ଅନ୍ୟ ସମୟରେ ଯୋଗ, ଧ୍ୟାନ, ମାଂସପେଶୀ ଓ ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ କସରତ ଓ ମନୋବୈଜ୍ଞାନିକ କୌଶଳ ଆଧାରରେ ଦଳଗତ ବିଜୟ ଲାଭର ଜିଦ ସୃଷ୍ଟି କରିବାକୁ ପଡ଼ିବ।
ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ପ୍ରତିପକ୍ଷ ଦଳ ବିଷୟରେ ଜାଣିବାର ସର୍ବୋତ୍ତମ ଉପାୟ ହେଉଛି ସେମାନଙ୍କ ବିପକ୍ଷରେ ଖେଳିବା ଓ କିଛି ପ୍ରସିଦ୍ଧ ଖେଳାଳିଙ୍କ କ୍ରୀଡ଼ା କୌଶଳକୁ ଅନୁଧ୍ୟାନ କରିବା ପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରିବା। ହକି ଇଣ୍ଡିଆ ପକ୍ଷରୁ ଦେଶରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ଓ ବିଦେଶ ଗସ୍ତକରି ଭାଗନେବା ଉଚିତ, ଯାହାଫଳରେ ଉଭୟ କିଶୋର ଓ ଯୁବ ଖେଳାଳି ଅଭିଜ୍ଞ ହେବେ ଏବଂ ପ୍ରତିପକ୍ଷଙ୍କ ଶକ୍ତି ଏବଂ ଦୁର୍ବଳତା ଜାଣିପାରିବେ।
ୟୁରୋପୀୟ ଦେଶଗୁଡ଼ିକରେ ହକିଦଳ ଚୟନ ଏବଂ ଅଧିନାୟକତ୍ୱ ପ୍ରଦାନ କରିବାର ଦାୟିତ୍ୱ ମୁଖ୍ୟ ପ୍ରଶିକ୍ଷକ ଏବଂ ତାଲିମଦାତାଙ୍କ ଉପରେ ନ୍ୟସ୍ତ ଥିଲାବେଳେ ଆମ ଦେଶରେ ଚୟନକର୍ତ୍ତାମାନେ ହିଁ ଦଳଚୟନ ଓ ଅଧିନାୟକତ୍ୱ ନିଷ୍ପତ୍ତି ନେଇଥାଆନ୍ତି ଓ ବିଦେଶୀ ପ୍ରଶିକ୍ଷକଙ୍କ ଉପରେ ପଦକ ଜିତିବାର ଦାୟିତ୍ୱ ଦେଇଥାଆନ୍ତି। ଯଦି କେବଳ ପଦକ ଜିତିବାକୁ ମୁଖ୍ୟ କୋଚ ନିଯୁକ୍ତି ଦିଆଯିବ, ତାଙ୍କୁ ସ୍ୱାଧୀନ ଭାବେ ଦଳ ଚୟନ କରିବାର ଅଧିକାର ଦିଆଯିବା ଦରକାର।
ଜାତୀୟ ଦଳର ସଫଳତା ପାଇଁ ବିଶ୍ୱ ସିରିଜ୍ ହକି ପରି ଲିଗ୍ ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହକି ଖେଳୁଥିବା ସମସ୍ତ ରାଷ୍ଟ୍ରର ନିଜସ୍ୱ ଲିଗ୍ ଟୁର୍ଣ୍ଣାମେଣ୍ଟ ଅଛି ଏବଂ ଖେଳାଳିମାନେ ସେମାନଙ୍କର ସ୍ଥାନୀୟ କ୍ଲବ୍ ଯାଇ ଲିଗ ମ୍ୟାଚ ଖେଳନ୍ତି ଓ ନିଜକୁ ଫିଟ୍ ରଖନ୍ତି। ଭାରତରେ ମଧ୍ୟ ଏକମାସ ବ୍ୟାପୀ ଲିଗ୍ ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଆବଶ୍ୟକ। ଏହା ଭାରତୀୟ ହକିକୁ ନୂତନ ଖେଳାଳି ଦେବାରେ ଓ ପ୍ରଶଂସକଙ୍କୁ ଖୁସି ରଖିବାରେ ସାହାଯ୍ୟ କରିବା ସହ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଫିଟ୍ ରଖିବାରେ ମଧ୍ୟ ସାହାଯ୍ୟ କରିବ।
ଭାରତୀୟ ହକି ଅତୀତର ସୁନାଫରୁଆ ବାହାରକୁ ଆସି ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଆବଶ୍ୟକ। ହକି ଇଣ୍ଡିଆ ଶୀର୍ଷ ୟୁରୋପୀୟ ଦେଶମାନଙ୍କଠାରୁ ଶିକ୍ଷା ନେବା ଉଚିତ୍। ଏହା ଭାରତୀୟ ଦଳକୁ ଶୀର୍ଷରେ ପହଞ୍ଚିବାରେ ସାହାଯ୍ୟ କରିବ।
ଜାନକୀଶ ବଡ଼ପଣ୍ଡା
ଫୋ- ୯୪୩୮୨୯୯୦୩୭