Advertisment

ଚାମ୍ପିୟନ୍ସ ଟ୍ରଫି: 'ହାଇବ୍ରିଡ୍ ମଡେଲ'କୁ ଆଇସିସି ମୋହର

ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ୨୦୨୬ ଟି୨୦ ବିଶ୍ୱକପରେ କୌଣସି ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ ନାହିଁ।

Representational Image

Representational Image

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଆସିଛି ଏକ ବଡ ଖବର। ବହୁ ଆଲୋଚନା ଓ ବିବାଦ ପରେ ଶେଷରେ ମୁଣ୍ଡ ନୂଆଁଇଛି ପାକିସ୍ତାନ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ 'ହାଇବ୍ରିଡ୍ ମଡେଲ୍'ରେ ଆୟୋଜନ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁମୋଦନ କରିଛି। ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଏବଂ ଦୁବାଇରେ ଅନୁଷ୍ଠିତ ହେବ। ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ।

Advertisment

ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ହୋଇଛି। ଏହି ଚୁକ୍ତି ଅନୁସାରେ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପରେ କୌଣସି ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ ନାହିଁ। ଅର୍ଥାତ ଭାରତୀୟ ଦଳ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ କଲମ୍ବୋରେ ଖେଳିବ। ଏହାଛଡ଼ା ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପାଇଁ ପିସିବିକୁ କୌଣସି ଅତିରିକ୍ତ ଆର୍ଥିକ ସହାୟତା ମିଳିବ ନାହିଁ। ଏହା ବଦଳରେ ବୋର୍ଡକୁ ୨୦୨୭ ପରେ ଯେକୌଣସି ଆଇସିସି ମହିଳା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଅଧିକାର ଦିଆଯିବ।

ପ୍ରକାଶ ଥାଉ, ଭାରତ ସରକାର ଏହି ହାଇପ୍ରୋଫାଇଲ୍ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାକୁ ଅନୁମତି ଦେଇନଥିଲେ। ଏହି ନିଷ୍ପତ୍ତି ବିଷୟରେ ଆଇସିସିକୁ ସୂଚନା ଦେଇ ବିସିସିଆଇ ଏକ ଚିଠି ଲେଖିଥିଲା। ଏଭଳି ପରିସ୍ଥିତିରେ 'ହାଇବ୍ରିଡ୍ ମଡେଲ୍' ଏକମାତ୍ର ବିକଳ୍ପ ଥିଲା। ଏହାପରେ ଆଇସିସି ମଧ୍ୟ ଏହାର ସମାଧାନ ପାଇଁ ବିସିସିଆଇ ଓ ପିସିବି ସମେତ ଅନ୍ୟ ସଦସ୍ୟ ବୋର୍ଡକୁ ନେଇ ଏକାଧିକ ବୈଠକ କରିଥିଲା। ଆଇସିସି ବୈଠକରେ ଯଦିଓ ପ୍ରଥମେ 'ହାଇବ୍ରିଡ୍ ମଡେଲ୍' ପାଇଁ ପିସିବି ଅରାଜି ହୋଇଥିଲା, ହେଲେ ଏବେ ଏହାର ଆଭିମୁଖ୍ୟ ନରମ ହୋଇଛି।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୭ ପରେ ଆଇସିସି କ୍ୟାଲେଣ୍ଡରକୁ ଫେରୁଛି ଚାମ୍ପିୟନ୍ସ ଟ୍ରଫି। ୨୦୧୭ରେ ଇଂଲଣ୍ଡରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିର ଶେଷ ସଂସ୍କରଣ ପାକିସ୍ତାନ ଜିତିଥିଲା। ଅନ୍ୟପଟେ ୨୦୦୮ ପରଠାରୁ ଭାରତୀୟ କ୍ରିକେଟ ଦଳ କୌଣସି ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଗସ୍ତ କରି ନାହିଁ। ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୮ରେ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରିଥିଲା। ଶେଷଥର ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଗତ ୨୦୧୨-୧୩ରେ ହୋଇଥିଲା। ଏହାପରେ ଉଭୟ ଦଳ କେବଳ ଏସିଆ କପ୍ ଏବଂ ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଁ ପରସ୍ପରକୁ ଭେଟୁଛନ୍ତି।

Bcci Pakistan ICC Team India PCB Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe