ଫତୁଲ୍ଲା: ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟର ଚତୁର୍ଥ ଦିନରେ ମଧ୍ୟ ବାଧକ ସାଜିଲା ବର୍ଷା। ବର୍ଷା ଯୋଗୁଁ ଆଜି ଘରୋଇ ଦଳ ମାତ୍ର ୩୦.୧ ଓଭର ଖେଳି ପାରିଥିଲା। ଦଳ ୩ ୱିକେଟ ହରାଇ ୧୧୧ ରନ ସଂଗ୍ରହ କରିପାରିଥିଲା। ତମୀମ୍ ଇକବାଲ ୧୯ରନ୍ କରି ଆଉଟ ହୋଇଥିବା ବେଳେ ମୋମିନୁଲ ହକ୍ ୩୦ ରନ ଓ ମୁସଫିକର ରହୀମ୍ ୨ ରନ କରି ପ୍ୟାଭିଲିୟନକୁ ଫେରିଥିଲେ। ଓପନର ଇମ୍ରୁଲ କାୟିଜ୍ ୫୯ରନ୍ ଓ ସକିବ୍ ଅଲ ହାସନ୍ କୌଣସି ରନ ନ କରି ଅପରାଜିତ ରହିଛନ୍ତି।
ଦୁଇବର୍ଷ ବ୍ୟବଧାନ ପରେ ଟେଷ୍ଟ ଦଳକୁ ଫେରିଥିବା ହରଭଜନ ସିଂହ ୨୩ ରନ ଦେଇ ଗୋଟିଏ ୱିକେଟ ହାସଲ କରିଥିଲାବେଳେ ରବିଚନ୍ଦ୍ରନ୍ ଅଶ୍ୱିନୀ ୩୦ ରନ ଦେଇ ୨ଟି ୱକେଟ ହାସଲ କରିଥିଲେ। ଗତକାଲି ଏହି ଏକମାତ୍ର ଟେଷ୍ଟର ତୃତୀୟ ଦିବସରେ ଭାରତର ସ୍କୋର ୬ ୱିକେଟରେ ୪୬୨ ରନରେ ପହଞ୍ଚିଥିଲା। ଦଳ ଏତିକିରେ ପ୍ରଥମ ଇନିଂସ ଘୋଷଣା କରିଦେବାରୁ ଆଜି ବାଂଲାଦେଶ ବ୍ୟାଟିଂ କରିଥିଲା। ଭାରତ ପକ୍ଷରୁ ପ୍ରଥମ ଇନିଂସରେ ମୂରଲୀ ବିଜୟ ୧୫୦ ରନ ଓ ଶିଖର ଧାୱନ୍ ୧୭୩ ରନ କରିଥିଲେ। ସେହିପରି ଆଜିଙ୍କ୍ୟ ରାହାଣେ ୯୮ ରନ ସଂଗ୍ରହ କରିଥିଲେ। ଆସନ୍ତା କାଲି ଏହି ଏକମାତ୍ର ଟେଷ୍ଟର ଅନ୍ତିମ ଦିବସ ଥିବାରୁ ଏହା ଡ୍ର ହେବା ଥୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।