Advertisment

ହାଇଡ୍ରାମା ପରେ ପୁରୁଷ କବାଡିରେ ଭାରତକୁ ସ୍ୱର୍ଣ୍ଣ

ଇରାନ ଫାଇନାଲରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ଶେଷରେ ମେନ ବ୍ଲ୍ୟୁ ବାଜିମାରି ନେଇଛି।

ଅଦ୍ୟତନ ହୋଇଛି
Kabadi

Kabadi

Advertisment

ହାଇଡ୍ରାମା ଓ ଦୀର୍ଘ ସମୟର ବିଚାରବିମର୍ଶ ପରେ ଏସିଆନ ଗେମ୍ସ କବାଡିରେ ଭାରତକୁ ମିଳିଛି ସ୍ୱର୍ଣ୍ଣ। ଭାରତ ଆଜି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଇରାନକୁ ୩୩-୨୯ରେ ହରାଇ ସ୍ୱର୍ଣ୍ଣ ପଦକ କବଜା କରିଛି।

Advertisment

ଇରାନ ଫାଇନାଲରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ଶେଷରେ ମେନ ବ୍ଲ୍ୟୁ ବାଜିମାରି ନେଇଛି। ଏଥିସହ ୨୦୧୮ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ଇରାନ ଠାରୁ ନେଇଛି। ପୁରୁଷ ଟିମ ପୂର୍ବରୁ ଭାରତୀୟ ମହିଳା ଟିମ ମଧ୍ୟ କବାଡିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଦଳ ଚାଇନିଜ ତାଇପେଇକୁ ସଂଘର୍ଷପୂର୍ଣ୍ଣ ୨୬-୨୫ରେ ହରାଇ ପଦକ ଜିତିଥିଲା।

ଆଜିର ମ୍ୟାଚ୍‌ରେ ଭାରତ ଉପରେ ଇରାନ ପ୍ରାରମ୍ଭିକ ଚାପ ପକାଇଥିଲା। ଦଳ ୩ ପଏଣ୍ଟ ଲିଡ୍‌ରେ ମଧ୍ୟ ରହିଥିଲା। କିନ୍ତୁ ପ୍ରଥାମର୍ଦ୍ଧ ଶେଷ ବେଳକୁ ପବନ ଶେରାୱତଙ୍କ ଭାରତୀୟ ଟିମ ଜବରଦସ୍ତ କମବ୍ୟାକ କରିଥିଲେ। ଏଥିସହ ଇରାନକୁ ଅଲଆଉଟ କରି ଲିଡ୍‌ ହାସଲ କରି ନେଇଥିଲା। କିନ୍ତୁ ଡିଫେଣ୍ଡିଂ ଚାମ୍ପିୟନ ଛାଡ଼ିବା ମୁଡରେ ନଥିଲା। ଉଭୟ ରେଡ୍‌ ଓ ଡିଫେଣ୍ଡରେ ଦଳ ଜବରଦସ୍ତ ପ୍ରଦର୍ଶନ କରି ଭାରତ ଉପରେ ଚାପ ସୃଷ୍ଟି କରିଥିଲେ। 

Advertisment

ଭାରତ ମଧ୍ୟ ଇରାନର ସବୁ ଉଦ୍ୟମକୁ ପଣ୍ଡ କରିଥିଲା। ମ୍ୟାଚ୍‌ ଶେଷ ହେବାକୁ ୧ ମିନିଟ ୫ ସେକେଣ୍ଡ ଥିବା ବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଏହି ସମୟରେ ଉଭୟ ଦଳର ସ୍କୋର ୨୮-୨୮ରେ ରହିଥିଲା। ଭାରତ ପକ୍ଷରୁ ରେଡ୍‌ କରିବାକୁ ଯାଇଥିଲେ ଅଧିନାୟକ ପବନ ଶେରାୱତ। ଏହା ଡୁ-ଅର-ଡାଇ ରେଡ୍‌ ଥିଲା। 

ପବନ ରେଡ୍‌ କରିବା ବେଳେ ଇରାନର କୌଣସି ଖେଳାଳିଙ୍କୁ ସ୍ପର୍ଶ ନ କରି ଲବିକୁ ଚାଲି ଯାଇଥିଲେ। ତାଙ୍କୁ ଡ୍ୟାସ ଆଉଟ କରିବାକୁ ଇରାନର ୪ ଖେଳାଳି ମଧ୍ୟ ଲବିକୁ ଚାଲି ଯାଇଥିଲେ। ତେଣୁ ପୁରୁଣା ନିୟମ ଅନୁସାରେ ପବନଙ୍କ ସହ ଇରାନର ୪ ଖେଳାଳି ଆଉଟ ହେବା କଥା। କିନ୍ତୁ ଅମ୍ପାୟାର ଉଭୟ ଦଳକୁ ୧-୧ ପଏଣ୍ଟ ଦେଇଥିଲେ। 

ଭାରତୀୟ ଟିମ ଏହାର ପ୍ରତିବାଦ କରିଥିଲା। ଫଳରେ ବେଶ କିଛି ସମୟ ପାଇଁ ହାଇଡ୍ରାମା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ରେଫରୀ ବିବାଦର ସମାଧାନ କରି ନ ପାରିବାରୁ ଅନ୍ତର୍ଜାତୀୟ କବାଡିର ବରିଷ୍ଠ ଅଧିକାରୀମାନେ ଆସିଥିଲେ। ଜଣେ ବରିଷ୍ଠ ଅଧିକାରୀ ଦୁଇ ଟିମକୁ ୧-୧ ପଏଣ୍ଟ ଦେବାକୁ କହିଥିଲେ। କିନ୍ତୁ ଏହାକୁ ଭାରତୀୟ ଟିମର କୋଚ ବିରୋଧ କରିଥିଲେ। ଭାରତୀୟ ଖେଳାଳିମାନେ ମଧ୍ୟ କୋର୍ଟରେ ବସି ପ୍ରତିବାଦ କରିଥିଲେ। 

ଶେଷରେ ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ ଓ ଆୟୋଜକ ମଧ୍ୟ ବିବାଦରେ ହସ୍ତକ୍ଷେପ କରିଥିଲେ। ସବୁ ପ୍ରକାରର ନିୟମକୁ ଉପସ୍ଥାପନ କରାଯାଇଥିଲା। ୩୦ ମିନିଟରୁ ଅଧିକ ସମୟର ହାଇଡ୍ରାମା ପରେ ଭାରତକୁ ୩ ପଏଣ୍ଟ ମିଳିଥିଲା। କିନ୍ତୁ ଇରାନ ଏହାକୁ ବିରୋଧ କରିବାରୁ ପୁଣି କିଛି ସମୟ ପାଇଁ ମ୍ୟାଚ୍‌ ବନ୍ଦ କରାଯାଇଥିଲା। ଆଲୋଚନା ଓ ବିତର୍କ ପରେ ମ୍ୟାଚ୍‌ ରେଫରୀ ଭାରତକୁ ୩ ପଏଣ୍ଟ ଓ ଇରାନକୁ ଗୋଟିଏ ପଏଣ୍ଟ ଦେଇଥିଲେ। 

ଏହାପରେ ସ୍କୋର ଲାଇନ ୩୧-୨୯ ହୋଇଯାଇଥିଲା। ଇରାନର ଖେଳାଳି ରେଡ୍‌ କରିଥିଲେ ହେଁ ଏହାକୁ ଭାରତୀୟ ଖେଳାଳିଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଭାରତ ମ୍ୟାଚର ଶେଷ କରିଥିବା ବେଳେ ଏଥିରେ ମଧ୍ୟ ପଏଣ୍ଟ ହାସଲ କରିଥିଲା। ଶେଷରେ ଭାରତ ୩୩-୨୯ରେ ମ୍ୟାଚ୍‌ ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରି ନେଇଛି। 

ଏହାକୁ ମିଶାଇ ଭାରତ ୭ଥର ପାଇଁ ଭାରତ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଛି। ୨୦୧୮ରେ ଦଳ ଇରାନ ଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା। ୨୦୧୮ରେ ଇରାନ ସ୍ୱର୍ଣ୍ଣ ଜିତିଥିବା ବେଳେ ଏଥର ରୌପ୍ୟରେ ସନ୍ତୁଷ୍ଟ ହୋଇଛି।  

Asian Games Asian Games Update 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe