ବୁଧବାର କୋଟଲାରେ ନିର୍ଣ୍ଣାୟକ ଲଢ଼େଇ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ବୁଧବାର ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯିବ । ବର୍ତ୍ତମାନ ସିରିଜ ୨-୨ରେ ବରାବର ସ୍ଥିତିରେ ଅଛି । ଆସନ୍ତାକାଲିର ମ୍ୟାଚ୍ ଜିତି ଉଭୟ ଦଳ ସିରିଜ୍ ଜିତିବାକୁ ଚାହିଁବେ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଶେଷ ଦୁଇଟି ମ୍ୟାଚ୍ ହାରିଯାଇଥିଲା । ଗତ ଦୁଇଟି ମ୍ୟାଚ୍ ଭାରତ […]

cricket

cricket

Subhransu Sekhar
  • Published: Tuesday, 12 March 2019
  • Updated: 13 March 2019, 07:40 AM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ବୁଧବାର ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯିବ । ବର୍ତ୍ତମାନ ସିରିଜ ୨-୨ରେ ବରାବର ସ୍ଥିତିରେ ଅଛି । ଆସନ୍ତାକାଲିର ମ୍ୟାଚ୍ ଜିତି ଉଭୟ ଦଳ ସିରିଜ୍ ଜିତିବାକୁ ଚାହିଁବେ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଶେଷ ଦୁଇଟି ମ୍ୟାଚ୍ ହାରିଯାଇଥିଲା । ଗତ ଦୁଇଟି ମ୍ୟାଚ୍ ଭାରତ ପାଇଁ ନୈରାଶ୍ଯଜନକ ଥିଲା । ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଯେଉଁ ବୋଲିଂ ଆକ୍ରମଣ ଦ୍ୱାରା ମ୍ୟାଚ୍ ଜିତିଥିଲା, ତାହା ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦେଖିବାକୁ ମିଳିନଥିଲା ।

ବିଶେଷ କରି ମୋହାଲିରେ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା । ଭାରତ ଗତ ତିନି ବର୍ଷରେ ଖେଳିଥିବା ୧୩ ଦ୍ୱିପାକ୍ଷିକ ସିରିଜରୁ ୧୨ଟିରେ ବିଜୟୀ ହୋଇଛି । ତେଣୁ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସିରିଜ୍ ଜିତିବା ସେତେଟା ସହଜ ହେବନି । ମୋହାଲିରେ ୩୫୯ ରନରେ ବିଶାଳ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ରେକର୍ଡ କରିଥିଲା ।

ରାଞ୍ଚି ଓ ମୋହାଲି ଦିନିକିଆ ଜିତିବା ପରେ ଅଷ୍ଟ୍ରେଲିଆର ମନୋବଳ ବୃଦ୍ଧି ପାଇଛି । ଏହାର ଫାଇଦା ଉଠାଇ ଭ୍ରମଣକାରୀ ଟିମ୍ କୋଟଲାରେ ବିଜୟର ହ୍ୟାଟ୍ରିକ୍ ଲଗାଇ ସିରିଜ୍ ହାତେଇବାକୁ ଚାହିଁବ । କିନ୍ତୁ ସ୍ପିନରଙ୍କ ପାଇଁ ଅନୁକୂଳ କୁହାଯାଉଥିବା କୋଟଲା ପିଚରେ ସେମାନଙ୍କ ବ୍ୟାଟସମ୍ୟାନଙ୍କୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

 

ସିରିଜ ଆରମ୍ଭରୁ ଲାଗୁଥିଲା ଭାରତର ବିଶ୍ୱକପ୍ ଟିମ୍ ପାଇଁ ୧୩ଟି ସ୍ଥାନ ପ୍ରାୟତଃ ପକ୍କା ହୋଇଯାଇଛି ଏବଂ ବାକି ଦୁଇଟି ସ୍ଥାନ କିଏ ନେବ, ତାହା ଏହି ସିରିଜରୁ ହିଁ ନିର୍ଦ୍ଧାରିତ ହୋଇଥାନ୍ତା । କିନ୍ତୁ ଏବେ ଅମ୍ବାତି ରାୟୁଡୁଙ୍କ ବିଫଳତା, ଋଷଭ ପନ୍ତଙ୍କ ୱିକେଟ୍ ପଛରେ ଅପରିପକ୍ୱତା, ଲୋକେଶ ରାହୁଲଙ୍କ ନିରନ୍ତରତାର ଅଭାବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନକୁ ଦେଖିବା ପରେ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ିଯାଇଛି । କୋହଲି ଗତ ମ୍ୟାଚରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ, କିନ୍ତୁ ନିର୍ଣ୍ଣାୟକ ମ୍ୟାଚ୍କୁ ଦୃଷ୍ଟିରେ ରଖି ସେ ନିଜର ହୋମ ଗ୍ରାଉଣ୍ଡରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି ।

ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳିବାର ସମ୍ଭାବନା ଅଛି ଏବଂ ମ୍ୟାଚର ପରିସ୍ଥିତି ଅନୁଯାୟୀ ତାଙ୍କ ବ୍ୟାଟିଂକ୍ରମ ସ୍ଥିର କରାଯିବ । ଟିମ୍ ମ୍ୟାନେଜମେଣ୍ଟ ବିଶ୍ୱକପ୍ ପୂର୍ବରୁ ଭାରତର ଶେଷ ମ୍ୟାଚ୍ରେ ବିଜୟ ଶଙ୍କରଙ୍କୁ ଚତୁର୍ଥ ସ୍ଥାନରେ ଖେଳାଇ ପରୀକ୍ଷା କରିବାକୁ ଚାହିଁବ । ଶିଖର ଧୱନଙ୍କ ଫର୍ମକୁ ଫେରିବା ଭାରତ ପାଇଁ ଭଲ ଖବର । ତେବେ ଧୱନଙ୍କୁ ନେଇ ଟିମ୍ ମ୍ୟାନେଜମେଣ୍ଟ ଆଗରୁ ମଧ୍ୟ ସେତେଟା ଚିନ୍ତିତ ନଥିଲା । ନିଜ ଘରୋଇ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ଥରେ (ଟି-୨୦ ବନାମ ନ୍ୟୁଜିଲ୍ୟାଣ୍ଡ) ଖେଳି ନିଜ ବ୍ୟାଟର କମଲ୍ ଦେଖାଇ ସାରିଥିବା ଏହି ବାମହାତୀ ବ୍ୟାଟସମ୍ୟାନ ମୋହାଲିର ଫର୍ମକୁ ବଜାୟ ରଖିବାକୁ ଚାହିଁବେ ।

ଦିଲ୍ଲୀର ଦର୍ଶକ କୋହଲିଙ୍କଠାରୁ ବଡ଼ ଇନିଂସ୍ ଆଶାରେ ଥିବେ, ଯିଏ କୋଟଲାରେ ଦିନିକିଆ ଓ ଟେଷ୍ଟରେ ଗୋଟିଏ ଲେଖାଏ ଶତକ ମାରିଥିଲେ । ପନ୍ତ ପ୍ରଥମଥର ନିଜ ଘରୋଇ ଭେନ୍ୟୁରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଓହ୍ଲାଇବେ ଏବଂ ସେ ଏହାକୁ ସ୍ମରଣୀୟ କରିବା ସହ ଗତ ମ୍ୟାଚରେ କରିଥିବା ଭୁଲକୁ ସୁଧାରିବାକୁ ଚାହିଁବେ । ଭୁବନେଶ୍ୱର କୁମାର ଗତ ମ୍ୟାଚ୍ରେ ଡେଥ୍ ଓଭରରେ ନିରାଶ କରିଥିଲେ । ମହମ୍ମଦ ସାମି ଯଦି ଫିଟ୍ ହୁଅନ୍ତି, ତାହେଲେ ତାଙ୍କୁ ଏହି ନିର୍ଣ୍ଣାୟକ ମ୍ୟାଚ୍ ପାଇଁ ଅନ୍ତିମ ଏକାଦଶରେ ରଖାଯାଇପାରେ । ଜସପ୍ରୀତ ବୁମ୍ରା ମଧ୍ୟ ଗତ ମ୍ୟାଚରେ ଶେଷ ଓଭର ଗୁଡ଼ିକରେ ସେତେଟା ପ୍ରଭାବୀ ବୋଲିଂ କରିନଥିଲେ । କୁଲଦୀପ ଯାଦବ ନିଜ ପ୍ରଦର୍ଶନରେ ନିରନ୍ତରତା ବଜାୟ ରଖି ଭାରତକୁ ଆବଶ୍ୟକ ଅନୁଯାୟୀ ସଫଳତା ଦେଇଛନ୍ତି । କିନ୍ତୁ ଚହଲ ତାଙ୍କୁ ସେଭଳି ସହଯୋଗ କରିନାହାନ୍ତି । କୋହଲି ଆସନ୍ତାକାଲି ଚହଲଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇବା ନେଇ ଚିନ୍ତା କରିଥିବେ । ଜାଡେଜା ବୋଲିଂ ବ୍ୟତୀତ ବ୍ୟାଟିଂ ଓ ଫିଲ୍ଡିଂରେ ଭାରତକୁ ଫାଇଦା ଦେଇପାରନ୍ତି ।

ଅଷ୍ଟ୍ରେଲିଆ ଟିମ୍ ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ସେତେଟା ମଜଭୁତ ଲାଗୁନଥିଲା । କିନ୍ତୁ ସମୟ ଅନୁଯାୟୀ ଏହି ଟିମ୍ ଉନ୍ନତ ହେବାରେ ଲାଗିଛି । ଶୀର୍ଷକ୍ରମରେ ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଶନ୍ ମାର୍ଶଙ୍କ ଅନିୟମିତ ଫର୍ମ ସାମାନ୍ୟ ଚିନ୍ତାର ବିଷୟ । କିନ୍ତୁ ମଧ୍ୟକ୍ରମ ଓ ନିମ୍ନକ୍ରମରେ ପିଟର୍ ହ୍ୟାଣ୍ଡସ୍କମ୍ବ, ଗ୍ଲେନ୍ ମ୍ୟାକ୍ସୱେଲ ଓ ଅଷ୍ଟନ ଟର୍ଣ୍ଣରଙ୍କ ସକାରାତ୍ମକ ବ୍ୟାଟିଂ ଦଳର ମନୋବଳ ବଢ଼ାଇଛି ନିଶ୍ଚୟ । ରାଞ୍ଚି ଓ ମୋହାଲିରେ ଉସମାନ ଖ୍ୱାଜାଙ୍କ ପ୍ରଦର୍ଶନ ସବୁଠାରୁ ଆକର୍ଷଣୀୟ ଥିଲା । ତାଙ୍କଠାରୁ ଦଳ ଆଉ ଏକ ଦମଦାର ଇନିଂସ୍ ଆବଶ୍ୟକ କରୁଛି । ତେବେ ମୋହାଲିରେ ଟର୍ଣ୍ଣରଙ୍କ ଇନିଂସ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେ ମାତ୍ର ୪୭ ବଲରେ ୮୪ ରନ୍ କରି ଭାରତଠାରୁ ମ୍ୟାଚ୍ ଛଡାଇ ନେଇଥିଲେ । ଏଭଳି ସ୍ଥିତିରେ ଭାରତୀୟ ବୋଲରଙ୍କୁ ଟର୍ଣ୍ଣରଙ୍କ ବିରୋଧରେ ସତର୍କ ରହିବାକୁ ପଡ଼ିବ । କୋଟଲାରେ ଦୁଇ ଟିମ୍ ମଧ୍ୟରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତ ୩ଟି ଏବଂ ଅଷ୍ଟ୍ରେଲିଆ ଗୋଟିଏରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ତା’ର ଏକମାତ୍ର ବିଜୟ ୧୯୯୮ରେ ହାସଲ କରିଥିଲା । ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତାକାଲି ଏଠାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଯଦି ପାଗ ଶୁଖିଲା ରହିବ, ତାହେଲେ କାକର ପ୍ରମୁଖ ଭୂମିକା ତୁଲାଇପାରେ ।

ସମ୍ଭାବ୍ୟ ଦଳ

ଭାରତ: ଶିଖର ଧୱନ୍, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ଅମ୍ବାତି ରାୟୁଡୁ/ଲୋକେଶ ରାହୁଲ, କେଦାର ଯାଦବ, ଋଷଭ ପନ୍ତ (ୱିକେଟ୍କିପର), ବିଜୟ ଶଙ୍କର, ଭୁବନେଶ୍ୱର କୁମାର/ମହମ୍ମଦ ସାମି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍/ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା ।

ଅଷ୍ଟ୍ରେଲିଆ: ଉସମାନ ଖ୍ୱାଜା, ଆରୋନ୍ ଫିଞ୍ଚ୍ (ଅଧିନାୟକ), ଶନ୍ ମାର୍ଶ, ପିଟର ହ୍ୟାଣ୍ଡସ୍କମ୍ବ, ଗ୍ଲେନ୍ ମ୍ୟାକ୍ସୱେଲ, ଅଷ୍ଟନ ଟର୍ଣ୍ଣର, ଆଲେକ୍ସ କ୍ୟାରି (ୱିକେଟ କିପର), ପ୍ୟାଟ୍ କମିନ୍ସ, ନେଥନ ଲିଅନ୍, ଝାଇ ରିଚାର୍ଡସନ୍, ଆଡାମ ଜାମ୍ପା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos