Advertisment

U19 World Cup final: ସୂର୍ଯ୍ୟବଂଶୀ ମାରିଲେ ୧୫ ଚୌକା ଓ ୧୫ ଛକା; ଇଂଲଣ୍ଡକୁ ୪୧୨ ରନ୍‌ର ବିଜୟ ଲକ୍ଷ୍ୟ

ଭାରତୀୟ ଦଳର ଏହି ବିଶାଳ ସ୍କୋରରେ ସବୁଠୁ ଅଧିକ ଯୋଗଦାନ ରହିଛି ବୈଭବ ସୂର୍ଯ୍ୟବଂଶୀଙ୍କର। ସେ ୧୭୫ ରନ୍ କରିଛନ୍ତି। ୮୦ଟି ବଲ୍‌ରୁ ୧୫ ଚୌକା ଓ ୧୫ ଛକା ସହାୟତାରେ ସେ ଏହି ସ୍କୋର କରିଛନ୍ତି।

author-image
Jitendra Garnayak
surya

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ଫାଇନାଲ୍‌ରେ ଇଂଲଣ୍ଡ ସମ୍ମୁଖରେ ୪୧୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ। ହରାରେ ଚାଲିଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୪୧୧ ରନ୍ କରିଛି। 

Advertisment

ଭାରତୀୟ ଦଳର ଏହି ବିଶାଳ ସ୍କୋରରେ ସବୁଠୁ ଅଧିକ ଯୋଗଦାନ ରହିଛି ବୈଭବ ସୂର୍ଯ୍ୟବଂଶୀଙ୍କର। ସେ ୧୭୫ ରନ୍ କରିଛନ୍ତି। ୮୦ଟି ବଲ୍‌ରୁ ୧୫ ଚୌକା ଓ ୧୫ ଛକା ସହାୟତାରେ ସେ ଏହି ସ୍କୋର କରିଛନ୍ତି। 

୫୦ ଓଭରର ଯେକୌଣସି ଆଇସିସି ଫାଇନାଲ (ପୁରୁଷ ସିନିୟର, ୧୯ ବର୍ଷରୁ କମ୍ ପୁରୁଷ, ମହିଳା ସନିୟର ଓ ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ) ରେ ଏହା ହେଉଛି କୌଣସି ଭାରତୀୟ ବ୍ୟାଟରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର। 

Advertisment

ସୂର୍ଯ୍ୟବଂଶୀ ମାତ୍ର ୫୫ ବଲ୍‌ରେ ଶତକ ପୂରଣ କରିଥିଲେ। ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଏହା ହେଉଛି ଦ୍ରୁତତମ ଶତକ। ସେହିପରି ୧୯ ବର୍ଷରୁ କମ୍ ବିଶ୍ୱକପ ଇତିହାସରେ ତାଙ୍କର ଏହି ଶତକ ହେଉଛି ଅନ୍ୟତମ ଦ୍ରୁତତମ ଶତକ। ଏହା ସହିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଶତକ ମାରିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ। ପୂର୍ବରୁ ମନଜୋତ କାଲରା ଓ ଉନ୍ମୁକ୍ତ ଚାନ୍ଦ ଶତକ ମାରିଥିଲେ।

୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ବି ସୂର୍ଯ୍ୟବଂଶୀଙ୍କ ନାଁରେ ଲିପିବଦ୍ଧ ହୋଇଛି। ସେ ୮୦ ବଲ୍‌ରୁ ୧୭୫ ରନ୍ କରିଥିବା ବେଳେ ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଉନ୍ମୁକ୍ତ ଚାନ୍ଦ ୧୩୦ଟି ବଲ୍‌ରୁ ୧୧୧ ରନ୍ କରିଥିଲେ। ୧୯୯୮ରେ ପାକିସ୍ତାନ ବିପକ୍ଷରେ ବ୍ରେଟ୍ ୱିଲିମ୍ସ ୧୩୪ ବଲ୍‌ରୁ ୧୦୮ ରନ୍ କରିଥିଲେ। 

ସୂର୍ଯ୍ୟବଂଶୀ ଆଜି ଫାଇନାଲରେ ୧୫ଟି ଛକା ମାରିଥିବା ବେଳେ ଏହା ଏକ ରେକର୍ଡ। ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ଯେକୌଣସି ଇନିଂସରେ ଏତେ ସଂଖ୍ୟକ ଛକା ମାରିବାରେ ସୂର୍ଯ୍ୟବଂଶୀ ସର୍ବାଗ୍ରେ ରହିଛନ୍ତି। ପୂର୍ବରୁ ୨୦୦୮ରେ ଅଷ୍ଟ୍ରେଲିଆର ମାଇକେଲ ହିଲ ନାମିବ୍ୟା ବିରୋଧରେ ଏକ ମ୍ୟାଚ୍‌ରେ ୧୨ଟି ଛକା ମାରିଥିଲେ।    

ସୂର୍ଯ୍ୟବଂଶୀ ୧୭୫ ରନ୍ କରିଥିବା ବେଳେ ଅଧିନାୟକ ଆୟୂଷ ମହାତ୍ରେ ୫୧ଟି ବଲ୍‌ରୁ ୫୩ ରନ୍ କରିଥିବା ବେଳେ ବେଦାନ୍ତ ତ୍ରିବେଦୀ ୩୨, ବିହାନ ମଲହୋତ୍ରା ୩୦, ଅଭିଜ୍ଞ କୁଣ୍ଡୁ ୪୦, ଆରଏସ ଆମ୍ବ୍ରିଶ ୧୮ ରନ୍ କରିଥିବା ବେଳେ କନିଷ୍କ ଚୌହାନ ୩୭ ରନ୍ କରି ନଟ୍‌ଆଉଟ୍ ରହିଥିଲେ। ଖିଲନ ପଟେଲ ଓ ହେନୀଲ ପଟେଲ ଯଥାକ୍ରମେ ୩ ଓ ୫ ରନ୍ କରିଥିଲେ।

ଭାରତକୁ ପ୍ରଥମ ଝଟକା ଚତୁର୍ଥ ଓଭରରେ ଲାଗିଥିଲା। ଆଉଟ୍ ହୋଇଯାଇଥିଲେ ଓପନର ଆରୋନ ଜର୍ଜ। ସେ ମାତ୍ର ୯ ରନ୍ କରିଥିଲେ। କିନ୍ତୁ ଭାରତକୁ କିଛି ଫରକ ପଡ଼ି ନଥିଲା। ସୂର୍ଯ୍ୟବଂଶୀ ବହୁତ ଶୀଘ୍ର ସେଟେଲ ହୋଇଯାଇଥିଲେ। ସେ ଧୂଆଁଧାର ବ୍ୟାଟିଂ କରିଥିଲେ। ୨୫.୩ ଓଭରରେ ସେ ଆଉଟ୍ ହେଲା ବେଳକୁ ଦଳର ସ୍କୋର ୨୫୧ରେ ପହଞ୍ଚି ଯାଇଥିଲା। 

ଇଂଲଣ୍ଡ ପକ୍ଷରୁ ଆଲେକ୍ସ ଗ୍ରୀନ ଓ ମ୍ୟାନୀ ଲମସନଙ୍କୁ ୨ଟି ଲେଖାଏ ୱିକେଟ୍ ମିଳିଥିବା ବେଳେ ଜେମ୍‌ସ ମିଣ୍ଟୋଙ୍କୁ ୩ଟି ୱିକେଟ୍ ମିଳିଛି। ଆର ଆଲବର୍ଟ ଗୋଟିଏ ୱିକେଟ୍ ପାଇଛନ୍ତି। 

ଭାରତ ୫ ଥର ୧୯ ବର୍ଷରୁ କମ୍ ବିଶ୍ୱକପ୍‌ ଫାଇନାଲ ଜିତିଥିବା ବେଳେ ଏଥର ଷଷ୍ଠ ଥର ପାଇଁ ଚାମ୍ପିଅନ ହେବାକୁ ଲକ୍ଷ୍ୟ ରଖିଛି।