Advertisment

ବୋଲରଙ୍କ ଦମରେ ମ୍ୟାଚ୍‌ ସହ ସିରିଜ ଜିତିଲା ଭାରତ, ୮ ୱିକେଟରେ ହାରିଲା ନ୍ୟୁଜିଲ୍ୟାଣ୍ଡ

ରାୟପୁରରେ ଆଜି ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ବୋଲରଙ୍କ ଦମରେ ୮ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି ଭାରତ।

author-image
Hemant Lenka
Team India

Team India

ଗୋଟିଏ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ କବଜା କରିଛି ଟିମ ଇଣ୍ଡିଆ। ରାୟପୁରରେ ଆଜି ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ବୋଲରଙ୍କ ଦମରେ ୮ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି ଭାରତ। ବୋଲରଙ୍କ ଘାତକ ବୋଲିଂ ଯୋଗୁ ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା। ୧୦୯ ରନର ଟାର୍ଗେଟକୁ ଭାରତ ମାତ୍ର ୨୦.୧ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଛି।

Advertisment

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୧ ରନ କରିଥିବା ବେଳେ ବିରାଟ କୋହଲି ୧୧ ରନ କରି ଆଉଟ ହୋଇଛନ୍ତି। ପ୍ରଥମ ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁବମନ ଗିଲ୍‌ ଅପରାଜିତ ୪୦ ଓ ଈଶାନ କିଶନ ଅପରାଜିତ ୮ ରନ କରିଛନ୍ତି। ତେବେ ବୋଲିଂରେ ଯାଦବୁ ଦେଖାଇ ୩ ୱିକେଟ ହାସଲ କରିଥିବା ମହମ୍ମଦ ଶାମି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଏବେ ତୃତୀୟ ଦିନିକିଆ ମଙ୍ଗଳବାର ଦିନ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌କୁ ମଧ୍ୟ ଜିତିଥିଲା।

ରାୟପୁରରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡର ଟପ୍ ଅର୍ଡରକୁ ଛିନଛତ୍ର କରି ଦେଇଥିଲେ। ୧୫ ରନ ସୁଦ୍ଧା ଦଳ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଗ୍ଲେନ ଫିଲିପ୍ସ ୩୬, ମିଚେଲ ସାଣ୍ଟରନର ୨୭ ଓ ମାଇକେଲ ବ୍ରେସୱେଲ ୨୨ ରନର ଇନିଂସ ଖେଳିବାରୁ କ୍ୱିୱି ଟିମ୍‌ ବହୁତ କଷ୍ଟରେ ୧୦୦ ରନ ପାର କରିଥିଲା।

Advertisment

ଏହି ୩ ବ୍ୟାଟରଙ୍କୁ ଛାଡ଼ି ଦେଲେ ନ୍ୟୁଜିଲ୍ୟାଣ୍ଡର ଆଉ କୌଣସି ଖେଳାଳି ୨ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି। ୪ ଦ୍ରୁତ ବୋଲରଙ୍କ ବ୍ୟତୀତ ଶେଷ ଭାଗରେ ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ମଧ୍ୟ କମାଲ କରିଛନ୍ତି। ସୁନ୍ଦର ୨ଟି ଓ କୁଲଦୀପ ଗୋଟିଏ ସଫଳତା ପାଇଥିଲେ। ତେବେ ମହମ୍ମଦ ଶାମି ସର୍ବାଧିକ ୩ଟି ୱିକେଟ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ୩୪.୩ ଓଭରରେ ୧୦୮ ରନ କରି ଅଲଆଉଟ ହୋଇଯିବାରୁ ଭାରତକୁ ୧୦୯ ରନର ଟାର୍ଗେଟ ମିଳିଥିଲା।

୧୦୯ ରନର ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ଦମଦାର ଆରମ୍ଭ କରିଥିଲା। ରୋହିତ ଶର୍ମା ଓ ଶୁବମନ ଗିଲ ଆଟାକିଂ କ୍ରିକେଟ ଖେଳିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୭୨ ରନ ଯୋଡ଼ିଥିଲେ। ଏହା ମଧ୍ୟରୁ ରୋହିତ ଏକାକୀ ୫୧ ରନର ଇନିଂସ ଖେଳିଥିଲେ। ସେ ୫୧ ରନ କରିଥିବା ବେଳେ ଶିପଲେଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ।

ବିରାଟ କୋହଲି ଶୀଘ୍ର ମ୍ୟାଚ୍‌ ଶେଷ କରିବା ମୁଡରେ ଥିବା ବେଳେ ମାତ୍ର ୧୧ ରନ କରି ସାଣ୍ଟନରଙ୍କ ବଲରେ ଷ୍ଟମ୍ପିଂ ହୋଇଯାଇଥିଲେ। ୯୮ ରନରେ ଭାରତ ତା’ର ଦ୍ୱିତୀୟ ୱିକେଟ ହରାଇଥିଲା। ବାକି ରନକୁ ଶୁବମନ ଗିଲ ଓ ଈଶାନ କିଶନ ବିନା କୌଣସି କ୍ଷତି ଘଟାଇ ହାସଲ କରି ନେଇଥିଲେ। ଭାରତକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ସାଣ୍ଟନରଙ୍କୁ ଚୌକା ମାରି ଗିଲ୍‌ ମ୍ୟାଚ୍‌ ଶେଷ କରିଥିଲେ।

Indian Cricket Team