Advertisment

ଜୁନିୟର ହକି ଏସିଆ କପ୍: ପାକିସ୍ତାନକୁ ଧୂଳି ଚଟାଇ ୫ମ ଟାଇଟଲ୍ ଜିତିଲା ଭାରତ

ଭାରତ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍ ଦେଇ କ୍ୟାରିୟରର ଶ୍ରେଷ୍ଠ ପାଳି ଖେଳିଲେ ଅରିଜିତ ସିଂହ।

India vs Pakistan Jr Hockey

India vs Pakistan Jr Hockey

Advertisment

ପୁରୁଷ ଜୁନିୟର ହକି ଏସିଆ କପ୍ ଫାଇନାଲରେ ଧୂଳି ଚାଟିଲା ପାକିସ୍ତାନ। ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ମାତ ଦେଇ ରେକର୍ଡ ପଞ୍ଚମ ଥର ପାଇଁ ଜୁନିୟର ହକି ଏସିଆ କପ୍ ଟାଇଟଲ୍ ହାତେଇଛି ଟିମ୍ ଇଣ୍ଡିଆ। ଭାରତ ପକ୍ଷରୁ ଅରିଜିତ ସିଂହ ସର୍ବାଧିକ ୪ଟି ଗୋଲ୍ ଦେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

Advertisment

ଏହି ମ୍ୟାଚରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରର ତୃତୀୟ ମିନିଟରେ ପାକିସ୍ତାନର ହନାନ ସାହିତ ପ୍ରଥମ ଗୋଲ୍ ସ୍କୋର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। କିନ୍ତୁ ଏହାପରେ ଭାରତ ମଧ୍ୟ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଥମ କ୍ୱାର୍ଟରର ଚତୁର୍ଥ ମିନିଟରେ ଅରିଜିତ ସିଂହ ଏକ ସଫଳ ପେନାଲ୍ଟି କର୍ଣ୍ଣର ସ୍କୋର କରି ସ୍କୋରକୁ ବରାବର ସ୍ଥିତିକୁ ନେଇଥିଲେ।

ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଉଭୟ ଭାରତ ଓ ପାକିସ୍ତାନ ୧-୧ ଗୋଲରେ ବରାବର ସ୍ଥିତିରେ ରହିଥିଲେ। ହେଲେ ଦ୍ବିତୀୟ କ୍ୱାର୍ଟରରେ ଅଗ୍ରଣୀ ହାସଲ କରିଥିଲା ଭାରତ। ଅରିଜିତ ସିଂହ ପୁଣି ଏକ ପେନାଲ୍ଟି କର୍ଣ୍ଣରକୁ ସଫଳ କରି ଭାରତକୁ ୨-୧ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରର ୧୯ତମ ମିନିଟରେ ଭାରତ ଆଉ ଏକ ଗୋଲ ସ୍କୋର କରିଥିଲା। ଦିଲରାଜ ସିଂହ ଏହି ଗୋଲ୍ ଦେଇ ଭାରତକୁ ୩-୧ ଅଗ୍ରଣୀ କରାଇଥିଲେ। ଏହାପରେ ପାକିସ୍ତାନ ପକ୍ଷରୁ ୩୦ତମ ମିନିଟରେ ସୁଫିଆନ୍ ଖାନ୍ ଏକ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା।

Advertisment

ତୃତୀୟ କ୍ୱାର୍ଟରର ୩୯ତମ ମିନିଟରେ ସୁଫିଆନ୍ ଖାନ ପୁନର୍ବାର ପେନାଲ୍ଟି କର୍ଣ୍ଣରକୁ ସଫଳ କରିଥିଲେ। ଏହି କ୍ୱାର୍ଟର ଶେଷ ସୁଦ୍ଧା ଭାରତ ଓ ପାକିସ୍ତାନ ୩-୩ ଗୋଲରେ ବରାବର ସ୍ଥିତିରେ ରହିଥିଲେ। ହେଲେ ଚତୁର୍ଥ କ୍ୱାର୍ଟରରେ ଭାରତ ମ୍ୟାଚ୍ ୱିନିଂ ପ୍ରତ୍ୟାବର୍ତ୍ତନ କରିଥିଲା। ଭାରତ ପକ୍ଷରୁ ଅରିଜିତ ସିଂହ ୪୭ତମ ମିନିଟରେ ଗୋଟିଏ ଗୋଲ୍ ଦେଇଥିଲେ। ସେହିପରି ୫୪ତମ ମିନିଟରେ ସେ ଏକ ସଫଳ ପେନାଲ୍ଟି କର୍ଣ୍ଣର ଖେଳି ବିଜୟୀ ଗୋଲ୍ କରିଥିଲେ। ଫଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି ରେକର୍ଡ ପଞ୍ଚମ ଟାଇଟଲ୍ ହାସଲ କରିଛି।

India Vs Pakistan Junior Asia Cup 2024 Hockey Asia Cup India Beat Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe