Advertisment

ସିରିଜ୍‌ କ୍ଲିନସୁଇପ ସହ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ଟିମ ଇଣ୍ଡିଆ

ଏହି ମ୍ୟାଚ୍‌କୁ ରୋହିତ ସେନା ୯୦ ରନରେ ଜିତି ଦିନିକିଆ ସିରିଜ୍‌କୁ ୩-୦ରେ କ୍ଲିନସୁଇପ୍‌ କରିଛି। ଏଥିସହ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛି।

author-image
Hemant Lenka
Team India

Team India

ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଶତକ ଆଗରେ ଫିକା ପଡ଼ି ଯାଇଛି ନ୍ୟୁଜିଲ୍ୟାଣ୍ଡ ବ୍ୟାଟର ଡେଭୋନ କନୱେଙ୍କ ଲଢ଼ୁଆ ସେଞ୍ଚୁରୀ। ଭାରତ ବିପକ୍ଷ ଶେଷ ଦିନିକିଆରେ କନୱେ ୧୩୮ ରନର ଇନିଂସ ଖେଳି ଥିଲେ ମଧ୍ୟ ଏହା ନ୍ୟୁଜିଲ୍ୟାଣ୍ଡର ସମ୍ମାନ ରଖିବା ପାଇଁ ଯଥେଷ୍ଟ ହୋଇନି। ଭାରତ ଦେଇଥିବା ବିଶାଳ ୩୮୬ ରନର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ୪୧.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୯୫ ରନ କରିପାରିଛି।

Advertisment

ଏହି ମ୍ୟାଚ୍‌କୁ ରୋହିତ ସେନା ୯୦ ରନରେ ଜିତି ଦିନିକିଆ ସିରିଜ୍‌କୁ ୩-୦ରେ କ୍ଲିନସୁଇପ୍‌ କରିଛି। ଏଥିସହ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛି। ମ୍ୟାଚ୍‌ ପୂର୍ବରୁ ଦଳ ୧୧୩ ପଏଣ୍ଟ ସହ ରାଙ୍କିଙ୍ଗର ୩ନଂ ସ୍ଥାନରେ ଥିଲା। ହେଲେ ଏବେ ଦଳ ୧୧୪ ପଏଣ୍ଟ ସହ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ ୧୧୩ ପଏଣ୍ଟ ସହ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ନଂରେ ଓ ନ୍ୟୁଜିଲ୍ୟାଣ୍ଡ ୧୧୧ ପଏଣ୍ଟ ସହ ୪ନଂ ସ୍ଥାନକୁ ଖସିଛି। ପୂର୍ବଭଳି ପାକିସ୍ତାନ ୫ନଂ ସ୍ଥାନରେ ରହିଛି। ଭାରତ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲା।

ଭାରତ ଟି-୨୦ ରାଙ୍କିଙ୍ଗର ମଧ୍ୟ ୧ନଂ ସ୍ଥାନରେ ରହିଛି। ଦ୍ୱିତୀୟରେ ଇଂଲଣ୍ଡ ଓ ତୃତୀୟ ସ୍ଥାନରେ ପାକିସ୍ତାନ ଅଛି। ଏହାର ଅର୍ଥ ସୀମିତ ଓଭର କ୍ରିକେଟର ଦୁଇଟି ଯାକ ଫର୍ମାଟରେ ଭାରତ ତା’ର ଦବଦବା ଦେଖାଇଛି।     

Advertisment

ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଖେଳା ଯାଉଥିବା ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପୂର୍ବରୁ ଏହି ସିରିଜ୍‌କୁ ୨-୦ରେ ଜିତି ସାରିଥିବାରୁ ଆଜି ନିର୍ଭୟରେ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ୧୦୧, ଶୁବମନ ଗିଲଙ୍କ ୧୧୨ ଓ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୫୪ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୮୫ ରନ କରିଥିଲା।

୩୮୬ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଓଭରର ଦ୍ୱିତୀୟ ବଲରେ ଫିନ ଆଲେନ(୦)ଙ୍କୁ ହରାଇଥିଲା। ଏହାପରେ କନୱେ ଓ ହେନେରୀ ନିକୋଲସ ସ୍ଥିତି ସମ୍ଭାଳିଥିଲେ। ଉଭୟ କାଉଣ୍ଟର ଆଟାକ କରିବା ସହ ଦ୍ୱିତୀୟ ୱିକେଟ ପାଇଁ ୧୦୬ ରନର ଭାଗିଦାରୀ କରିଥିଲେ। କନୱେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ତେବେ ଦଳୀୟ ସ୍କୋର ୧୦୬ ଥିବା ବେଳେ କୁଲଦୀପ ଯାଦବ ୪୨ ରନ କରିଥିବା ନିକୋଲ୍ସଙ୍କୁ ଆଉଟ କରି ଦେଇଥିଲେ। ଡାରେଲ ମିଚେଲ(୨୪) ଓ ଅଧିନାୟକ ଟମ ଲାଥମ(୦)ଙ୍କୁ କ୍ରମାଗତ ଦୁଇଟି ବଲରେ ଆଉଟ କରି ଶାର୍ଦ୍ଦୁଲ ଠାକୁର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଗ୍ଲେନ ଫିଲିପ୍ସ (୫) ମଧ୍ୟ ଶାର୍ଦ୍ଦୁଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏକଦା ନ୍ୟୁଜିଲ୍ୟାଣ୍ଡର ପଲ୍ଲାଭାରୀ ଥିବା ବେଳେ ଶାର୍ଦ୍ଦୁଲ ଠାକୁର ହିଁ ଭାରତର କମବ୍ୟାକ୍‌ କରାଇଥିଲେ।

ତେବେ କନୱେ ବଡ଼ବଡ଼ ଶଟ ଖେଳି ନିଜର ଶତକ ହାସଲ କରିବା ସହ ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇ ଚାଲିଥିଲେ। ଏତିକି ବେଳେ ଅଧିନାୟକ ରୋହିତ ଶର୍ମା ବୋଲିଂରେ ପରିବର୍ତ୍ତନ କରି ଦ୍ରୁତ ବୋଲର ଉମ୍ରାନ ମଲିକଙ୍କୁ ଆଣିଥିଲେ। ସେ କିଛି ରନ ଦେଇଥିଲେ ମଧ୍ୟ କନୱେଙ୍କୁ ଆଉଟ କରିବାକୁ ସକ୍ଷମ ହୋଇଥିଲେ। କନୱେ ଆଉଟ ହେବା ପୂର୍ବରୁ ୧୦୦ ବଲରେ ୧୩୮ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୮ଟି ଛକା ଓ ୧୨ଟି ଚୌକା ମାରିଛନ୍ତି।

ସେ ଆଉଟ ହେବା ପରେ ଭାରତର ବିଜୟ ଏକପ୍ରକାରର ପକ୍କା ହୋଇଯାଇଥିଲା। କେବଳ ଔପଚାରିକତା ବାକି ରହିଥିଲା। ଏହାକୁ କୁଲଦୀପ ଯାଦବ ଓ ୟୁଜି ଚହଲ ଯୋଡ଼ି ଶେଷ କରିଥିଲେ। କୁଲଦୀପ ପ୍ରଥମେ ମାଇକେଲ ବ୍ରେସୱାଲ(୨୬) ଓ ପରେ ଲକି ଫର୍ଗୁସନ(୭)ଙ୍କ ୱିକେଟ ନେଇଥିଲେ। ସେହିପରି ୟୁଜି ଚହଲ ନିଜ ସ୍ପିନ ବଳରେ ଜ୍ୟାକବ ଡୁଫୀ(୦)ଙ୍କୁ ଆଉଟ କରିଥିଲେ। ଶେଷରେ ସେ ୩୪ ରନ କରିଥିବେ ମିଚେଲ ସାଣ୍ଟନରଙ୍କ ୱିକେଟ ନେଇ ନ୍ୟୁଜିଲ୍ୟାଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ନ୍ୟୁଜିଲ୍ୟାଣ୍ଡ ୪୧.୨ ଓଭରରେ ସମସ୍ତ ୱିକେଟ ହରାଇ ୨୯୫ ରନ କରିବାକୁ ସକ୍ଷମ ହୋଇଛି।

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ୩ଟି ଲେଖାଏ ସଫଳତା ପାଇଥିବା ବେଳେ ଚହଲ ୨ଟି ଓ ଉମ୍ରାନ ଗୋଟିଏ ସଫଳତା ପାଇଛନ୍ତି।

Indian Cricket Team Virat Kohli Rohit Sharma