/odisha-reporter/media/media_files/2025/12/14/vaibhav-suryavanshi-2025-12-14-20-04-44.jpg)
ବୈଭବ ସୂର୍ଯ୍ୟବଂଶୀ (ଫାଇଲ ଫଟୋ)
୧୯ ବର୍ଷରୁ କମ୍ ଏସିଆ କପ୍ (ଦିନିକିଆ)ରେ ରବିବାର ପାକିସ୍ତାନକୁ ୯୦ ରନ୍ରେ ପରାସ୍ତ କରିଛି ଭାରତ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୪୬.୧ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ୍ କରିଥିବା ବେଳେ ପାକିସ୍ତାନ ୪୧.୨ ଓଭରରେ ୧୫୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଉଭୟ ବ୍ୟାଟ୍ ଓ ବଲ୍ରେ ଭଲ ପ୍ରଦର୍ଶନ କରିଥିବା କନିଷ୍କ ଚୌହାନଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।
ଦୁବାଇର ଆଇସିସି ଏକାଡେମୀ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଭାରତର ଦୁଇ ବଡ଼ ହିଟର ତଥା ଓପନର ବୈଭବ ସୂର୍ଯ୍ୟବଂଶୀ ଓ ଅଧିନାୟକ ଆୟୁଷ ମହାତ୍ରେ ୱିକେଟ୍ ଶୀଘ୍ର ପଡ଼ିଥିଲା। ସୂର୍ଯ୍ୟବଂଶୀ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଭଲ ଖେଳୁଥିବା ଆୟୁଷ ମହାତ୍ରେ ୩୮ (୨୫ ବଲ୍, ୪ ଚୌକା ଓ ୩ ଛକା) ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ସୂର୍ଯ୍ୟବଂଶୀ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିବା ଏରୋନ ଜର୍ଜ ଧୈର୍ଯ୍ୟର ସହିତ ଏକ ଭଲ ପାଳି ଖେଳିଥିଲେ। ସେ ୮୮ଟି ବଲ୍ରୁ ୮୫ ରନ୍ (୧୨ ଚୌକା, ଗୋଟିଏ ଛକା) କରିଥିଲେ।
ଏରୋନ ଆଉଟ୍ ହେବା ପୂର୍ବରୁ ବିହାନ ମଲହୋତ୍ରା, ବେଦାନ୍ତ ତ୍ରିବେଦୀ ଓ ଅଭିଜ୍ଞାନ କୁଣ୍ଡୁ ଯଥାକ୍ରମେ ୧୨, ୭ ଓ ୨୨ ରନ୍ କରି ଆଉଟ୍ ହୋଇଥିଲେ। ତେବେ ୭ ନମ୍ବରରେ ଆସିଥିବା କନିଷ୍କ ଚୌହାନ ୪୬ଟି ବଲ୍ରୁ ୪୬ ରନ୍ (୨ ଚୌକା, ୩ ଛକା) କରି ଦଳର ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଥିଲେ। ଖିଲନ ପଟେଲ, ହେନିଲ ପଟେଲ ଓ ଦୀପେଶ ଦେବେନ୍ଦ୍ରନ ଯଥାକ୍ରମେ ୬, ୧୨ ଓ ୧ ରନ୍ କରି ଆଉଟ୍ ହୋଇଥିଲେ।
୨୪୧ ରନ୍ର ବିଜୟ ଲକ୍ଷ୍ୟ ପାଇଁ ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ପାକିସ୍ତାନ ଟିମ୍ର ହୁଜୈଫା ଏହସାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ଫେଲ୍ ମାରିଥିଲେ। ଏହସାନ ୮୩ଟି ବଲ୍ରୁ ୯ ଚୌକା ଓ ୨ ଛକା ସହାୟତାରେ ୭୦ ରନ୍ କରିଥିବା ବେଳେ ଫରହାନ ୟୁସଫ ୨୩ ଓ ଉସମାନ ଖାନ ୧୬ ରନ୍ କରିଥିଲେ। ଆଉ କେହି ଦୁଇ ଅଙ୍କ ଛୁଇଁ ନଥିଲେ। ଅଲୀ ହସନ ବଲୁଚ ଶୂନରେ ଆଉଟ୍ ହୋଇଥିଲେ। ଦଳ ୪୧.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା।
ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ଓ କନିଷ୍କ ଚୌହାନ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ କିଶନ ସିଂହ ୨ ଓ ଖିଲନ କଟେଲ ଏବଂ ବୈଭବ ସୂର୍ଯ୍ୟବଂଶୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
