Advertisment

୩୩ ପଦକ ସହ ୪ର୍ଥକୁ ଉଠିଲା ଭାରତ, ୧୦୦ରୁ ଅଧିକ ସ୍ୱର୍ଣ୍ଣ ଜିତିଲାଣି ଚାଇନା

ବର୍ତ୍ତମାନ ସୁଦ୍ଧା ଦେଶ ପାଇଁ ବିଭିନ୍ନ ବର୍ଗରେ ଖେଳାଳିମାନେ ୩୩ଟି ପଦକ ଜିତି ସାରିଲେଣି।

author-image
Hemant Lenka
ଅଦ୍ୟତନ ହୋଇଛି
Medal

Medal

ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ତା’ର ସ୍ଥିର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଦେଶ ପାଇଁ ବିଭିନ୍ନ ବର୍ଗରେ ଖେଳାଳିମାନେ ୩୩ଟି ପଦକ ଜିତି ସାରିଲେଣି। ଏହା ମଧ୍ୟରେ ୮ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି।

Advertisment

କେବଳ ଶୁଟିଂରୁ ଦେଶକୁ ୫ ଗୋଲ୍ଡ ମେଡାଲ ମିଳିଛି। ଏହାବାଦ ମହିଳା କ୍ରିକେଟ ଓ ଅଶ୍ୱଚାଳନାର ଡ୍ରେସେଜ ଇଭେଣ୍ଟରେ ଦେଶକୁ ସ୍ୱର୍ଣ୍ଣିମ ସଫଳତା ହାସଲ ହୋଇଛି।  ୬ଷ୍ଠ ଦିନରେ ଭାରତ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଛି। ଶୁଟିଂରୁ ଦୁଇଟି ଯାକ ସ୍ୱର୍ଣ୍ଣ ମିଳିଥିବା ବେଳେ ଟେନିସ ଓ ଶୁଟିଂରୁ ୪ଟି ରୌପ ପଦକ ମିଳିଛି। ଶଟପୁଟ ଓ ମହିଳା ସ୍କ୍ୱାସ ଟିମ ଇଭେଣ୍ଟରେ ଦେଶ ବ୍ରୋଞ୍ଜ ପଦକ ହାତେଇଛି। 

ଆଜିର ଶେଷ ଖେଳାଳି ଭାବେ କିରଣ ବଲିୟାନ ଦେଶ ପାଇଁ ଶଟପୁଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୧୭.୩୨ ମିଟର ଦୂରତାକୁ ଶଟପୁଟ ଫିଙ୍ଗି ଏପରି ସଫଳତା ପାଇଛନ୍ତି। ସେହିପରି ଚଳିତ ବର୍ଷ ଏସିଆ ଗେମ୍ସରେ ଏହା ଆଥଲେଟିକ୍ସରୁ ମିଳିଥିବା ପ୍ରଥମ।

Advertisment

ଭାରତ ଆଜି ପୁରୁଷ ସ୍କ୍ୱାସ ଟିମ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ମାଲେସିୟାକୁ ହରାଇ ପଦକ ଏକ ପ୍ରକାରର ପକ୍କା କରି ସାରିଛି। ତେବେ ସ୍ୱର୍ଣ୍ଣ ପଦକ ପାଇଁ ଭାରତୀୟ ଟିମ ପାକିସ୍ତାନ ସହ ଲଢ଼ିବ।

୫୦ କେଜି ମହିଳା ବକ୍ସିଂରେ ଷ୍ଟାର ବକ୍ସର ନିଖତ ଜରୀନ ମାତ୍ର ୫୩ ସେକେଣ୍ଡରେ ମ୍ୟାଚ ଶେଷ କରି ସେମିରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ସେ କେବଳ ଦେଶ ପାଇଁ ପଦକ ପକ୍କା କରି ନାହାନ୍ତି। ବରଂ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ ହାତେଇଛନ୍ତି।

ସେହିପରି ୩୭ ବର୍ଷ ପରେ ବ୍ୟାଡମିଣ୍ଟନରେ ଦେଶର ପଦକ ପକ୍କା ହୋଇଛି। ଭାରତୀୟ ପୁରୁଷ ଟିମ ନେପାଳକୁ ମାତ ଦେଇ ପୁରୁଷ ବ୍ୟାଡମିଣ୍ଟନର ଫାଇନାରେ ପ୍ରବେଶ କରିଛି। ଏହାର ଅର୍ଥ ଫାଇନାଲରେ ହାରିଲେ ମଧ୍ୟ ଭାରତକୁ ରୌପ୍ୟ ପଦକ ମିଳିବ।

ଆଜି ୫୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟ ଓ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ୫୦ ମିଟର ଏୟାର ରାଇଫଲ ଟିମ୍‌ରେ ପ୍ରତାପ ତୋମାର, ସ୍ୱପ୍ନିଲ, ଅଖିଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ମହିଳା ସୁଟର ପଲକ। ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ବି ମିଳିଛି। ଈଶା ସିଂହ ଭାରତ ପାଇଁ ଏହି ପଦକ ହାସଲ କରିଛନ୍ତି।

ପୁରୁଷ ଟେନିସ ଡବଲ୍ସରେ ସାକେତ୍‌-ରାମନାଥନ୍‌ ଯୋଡ଼ି ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ଏହି ଭାରତୀୟ ଯୋଡ଼ିଙ୍କୁ ପରାସ୍ତ ହେବାକୁ ପଡ଼ିଛି।

ମହିଳା ହକିରେ ଭାରତର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ଦଳ ସିଙ୍ଗାପୁରକୁ ହରାଇଥିଲା। ଆଜି ଦଳ ମାଲେସିୟାକୁ ୬-୦ ଗୋଲରେ ପରାସ୍ତ କରିଛି।

ଅନ୍ୟପକ୍ଷରେ ଚାଇନା ପ୍ରଥମ ଦେଶ ଭାବେ ଚଳିତ ବର୍ଷ ଏସିଆ ଗେମ୍ସରେ ୧୦୦ରୁ ଅଧିକ ସ୍ୱର୍ଣ୍ଣ ଜିତିବାର ରେକର୍ଡ କରିଛି। ବର୍ତ୍ତମାନ ପଦକ ଜିତିବା ତାଲିକାର ୧ନଂ ସ୍ଥାନରେ ଥିବା ଆୟୋଜକ ଚାଇନା ସବୁ କ୍ରୀଡ଼ାରେ ନିଜରର ଦବବଦା ଦେଖାଇ ଚାଲଛି। ଏସିଆ କ୍ରୀଡ଼ାର ପ୍ରଥମ ୬ ଦିନରେ ଚାଇନା ୨୦୦ଟି ପଦକ ଜିତି ସାରିଲାଣି। ଏହା ମଧ୍ୟରେ ୧୦୫ ସ୍ୱର୍ଣ୍ଣ, ୬୩ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ପଦକ ରହିଛି।

ତାଲିକାର ଦ୍ୱିତୀୟ ସ୍ଥାନରେ ଜାପାନ ରହିଛି। ଜାପାନ ୨୭ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ସହ ଏଯାଏ ୯୯ଟି ପଦକ ହାତେଇଛି। ଦକ୍ଷିଣ କୋରିଆ ୨୬ଟି ସ୍ୱର୍ଣ୍ଣ, ୨୮ଟି ରୌପ୍ୟ ଓ ୪୮ଟି ବ୍ରୋଞ୍ଜ ସହ ମୋଟ ୧୦୨ଟି ପଦକ ଜିତି ତୃତୀୟ ସ୍ଥାନରେ ଅଛି।

Asian Games Asian Games Update Asian Games 2023 19th Asian Games