Advertisment

ଛେତ୍ରୀଙ୍କ ହ୍ୟାଟ୍ରିକ: ପାକିସ୍ତାନକୁ ୪-୦ରେ ମାତ ଦେଲା ଭାରତ

ଛେତ୍ରୀଙ୍କ ଉପରେ ଲିଓନେଲ ମେସି(୧୦୩), ଇରାନର ପୂର୍ବତନ ଷ୍ଟ୍ରାଇକର ଅଲୀ ଦାଇ(୧୦୯) ଓ ୫ଥର ବାଲୋନ ଡି’ଓର ଜିତିଥିବା କ୍ରିଷ୍ଟିଆନୋ ରୋନାଲ୍ଡୋ(୧୨୩) ରହିଛନ୍ତି।

author-image
Hemant Lenka
Football

Football

ବିଜୟରୁ ଦକ୍ଷିଣ ଏସୀୟ ଫୁଟ୍‌ବଲ୍‌ ମହାସଂଘ (ସାଫ୍‌) ଚାମ୍ପିଅନ୍‌ଶିପ୍‌ର ଅଭିଯାନ ଆରମ୍ଭ କରିଛି ଭାରତ। ଷ୍ଟାର ଖେଳାଳି ତଥା ଅଧିନାୟକ ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକରେ ପାକିସ୍ତାନକୁ ଏକତରଫା ଭାବେ ୪-୦ରେ ମାତ ଦେଇଛି ଟିମ ଇଣ୍ଡିଆ।

Advertisment

ବେଙ୍ଗାଲୁରୁସ୍ଥିତ କାନ୍ତୀରଭା ଷ୍ଟାଡିୟମରେ ଖଚାଖଚ ଭିଡ଼ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ଶେଷ ଯାଏ ଭାରତ ହିଁ ତା’ର ଦବଦବା ଦେଖାଇଛି। ଛେତ୍ରୀ ୩ଟି ଗୋଲ ଦେଇଥିବା ବେଳେ ଉଦାନ୍ତା ସିଂହ କୁମାମ ଗୋଟିଏ ଗୋଲ ସ୍କୋର କରିଛନ୍ତି।

ଛେତ୍ରୀଙ୍କ ହ୍ୟାଟ୍ରିକରେ ଭାରତ କେବଳ ପାକିସ୍ତାନକୁ ହରାଇ ନାହିଁ। ବରଂ ସେ ବ୍ୟକ୍ତିଗତ ଭାବେ ମଧ୍ୟ ରେକର୍ଡ କ୍ଲବରେ ନିଜକୁ ସାମିଲ କରିଛନ୍ତି। ଅନ୍ତର୍ଜାତୀୟ ଗୋଲ ଦେବା ତାଲିକାରେ ସେ ୪ନଂକୁ ଉଠିଛନ୍ତି। ବର୍ତ୍ତମାନ ସୁଦ୍ଧା ଛେତ୍ରୀ ୯୦ଟି ଅନ୍ତର୍ଜାତୀୟ ଗୋଲ ସ୍କୋର କରି ସାରିଲେଣି।

Advertisment

ଛେତ୍ରୀଙ୍କ ଉପରେ ଲିଓନେଲ ମେସି(୧୦୩), ଇରାନର ପୂର୍ବତନ ଷ୍ଟ୍ରାଇକର ଅଲୀ ଦାଇ(୧୦୯) ଓ ୫ଥର ବାଲୋନ ଡି’ଓର ଜିତିଥିବା କ୍ରିଷ୍ଟିଆନୋ ରୋନାଲ୍ଡୋ(୧୨୩) ରହିଛନ୍ତି।

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ଭାରତ ଆରମ୍ଭରୁ ହିଁ ଫ୍ରଣ୍ଟଫୁଟରେ ରହିଥିଲା। ଘନଘନ ଆକ୍ରମଣ କରି ପାକିସ୍ତାନ ଡିଫେଣ୍ତରଙ୍କୁ ଅଡ଼ୁଆରେ ପକାଇଥିଲା। ମ୍ୟାଚ୍‌ର ୧୦ମ ମିନିଟ୍‌ରେ ପାକିସ୍ତାନ ଗୋଲ କିପର ସକିବ ହନିଫ ଗୋଟିଏ ସାଧାରଣ ପାସ୍‌କୁ ମିସ୍‌ କରିଥିଲେ। ଏହାର ଫାଇଦା ଭାରତୀୟ ଅଧିନାୟକ ଛେତ୍ରୀ ଭରପୂର ଉଠାଇବା ସହ ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ।

ମ୍ୟାଚ୍‌ର ୧୫ତମ ମିନିଟରେ ଅନିରୁଦ୍ଧ ଥାପ୍ପା ଗୋଲ କରିବାକୁ ଚେଷ୍ଟା କରିଥିବା ବେଳେ ପାକିସ୍ତାନର ଜଣେ ଡିଫେଣ୍ଡରଙ୍କ ହାତରେ ବଲ ମାଡ଼ ହୋଇଥିଲା। ଡି’ ଭିତରେ ପାକିସ୍ତାନ ଖେଳାଳିଙ୍କ ହାତରେ ବଲ ବାଜିଥିବାରୁ ଭାରତକୁ ପେନାଲ୍ଟି ମିଳିଥିଲା। ଏହାକୁ ଛେତ୍ରୀ ବେଶ ଚମତ୍କାର ଢଙ୍ଗରେ ଗୋଲରେ ପରିଣତ କରି ହାଫ ଟାଇମ ସୁଦ୍ଧା ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲେ।

ମ୍ୟାଚ୍‌ର ହାଫ ଟାଇମ ପୂର୍ବରୁ ଗୋଟିଏ ଅପ୍ରୀତିକର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ଅଧିକ ଉତ୍ସାହିତ ହୋଇ ଭାରତର କୋଚ୍‌ ଇଗୋର ଷ୍ଟିମାକ ଆଉଟ ଲାଇନ ବାହାରେ ପାକିସ୍ତାନ ଖେଳାଳିଙ୍କ ହାତକୁ ବଲ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଫଳରେ ରେଫରୀ ତାଙ୍କୁ ବାହାରକୁ ଯିବାକୁ କହିଥିଲେ। ଭାରତୀୟ ଫୁଟବଲ କୋଚ୍‌ଙ୍କ ଏପରି ଆଚରକୁ ପାକିସ୍ତାନ ଖେଳାଳିମାନେ ନାସପନ୍ଦ କରିବା ସହ କିଛି ସମୟ ପାଇଁ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଛକାପଞ୍ଝା ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ ହାଫ ଟାଇମ ପରେ ଭାରତ ଏହାର ଜବାବ ପଡ଼ିଆ ଭିତରେ ଦେଇଥିଲା। ୭୩ତମ ମିନିଟ୍‌ରେ ଛାତ୍ରୀଙ୍କୁ ବକ୍ସ ଭିତରେ ପାକିସ୍ତାନର ମହମ୍ମଦ ସୁନୟାନ ଅସିଫ ଫାଉଲ ମାରିଥିଲେ। ଭାରତକୁ ପୁଣି ଗୋଟିଏ ପେନାଲ୍ଟି ମିଳିଥିଲା। ଏହାକୁ ଛେତ୍ରୀ ଗୋଲରେ ପରିଣତ କରିଥିଲେ। ଏହାର ୮ ମିନିଟରେ ପରେ ଗୋଟିଏ ଚମତ୍କାର ଏରିଆଲ ପାସ୍‌କୁ ଉଦାନ୍ତା ଗୋଲରେ ପରିଣତ କରି ଭାରତକୁ ୪-୦ରେ ଆଗୁଆ କରି ଦେଇଥିଲେ।

୪ର୍ଥ ଗୋଲ ପରେ ଭାରତ ମ୍ୟାଚ୍‌କୁ ଧିମା କରିବା ସହ ପାକିସ୍ତାନକୁ କମବ୍ୟାକ୍‌ କରିବାର କୌଣସି ସୁଯୋଗ ଦେଇ ନଥିଲା। ଶେଷରେ ଏହି ମ୍ୟାଚ୍‌କୁ ଦଳ ୪-୦ରେ କବଜା କରିଥିଲା।

ସାଫ ଚାମ୍ପିୟନଶିପରେ ପରବର୍ତ୍ତୀ ମ୍ୟାଚ୍‌ ଭାରତ ପଡ଼ୋଶୀ ନେପାଳକୁ ଭେଟିବ। ଜୁନ ୨୪ରେ ଏହି ମ୍ୟାଚ୍‌ ଖେଳାଯିବ।

Pakistan India India Vs Pakistan Sunil Chhetri