Advertisment

INDvsAUS: ପର୍ଥରେ ଭାରତ ପରାସ୍ତ

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟସ୍ଥ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଭାରତୀୟ ଦିନିକିଆ ଦଳର ନେତୃତ୍ୱ ନେବା ପରେ ଏହା ପ୍ରଥମ ମ୍ୟାଚ୍ ହୋଇଥିବା ବେଳେ ଏଥିରେ ଦଳ ପରାସ୍ତ ହୋଇଛି।

author-image
Jitendra Garnayak
Marsh

ମିଚେଲ ମାର୍ଶ

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟସ୍ଥ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ପର୍ଥରେ ଖେଳା ଯାଉଥିବା ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭ ୱିକେଟ୍‌ରେ ବିଜୟୀ ହୋଇଛି।  

Advertisment

ଅଷ୍ଟ୍ରେଲିଆ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ମ୍ୟାଚ୍‌ରେ ବାରମ୍ବାର ବାଧକ ସାଜିଥିଲା ବର୍ଷା। ସେଥିପାଇଁ ମ୍ୟାଚ୍‌କୁ ଉଭୟ ପକ୍ଷ ପାଇଁ ୨୬ ଓଭରରେ ସୀମିତ କରାଯାଇଥିଲା। 

ବର୍ଷା ବାଧିତ ଓ ୨୬ ଓଭରରେ ସୀମିତ ରହିଥିବା ଏହି ମ୍ୟାଚ୍‌ରେ ଭାରତ ୯ଟି ୱକେଟ ହରାଇ ୧୩୬ ରନ୍ କରିଥିଲା। ଦଳ ଟପ୍ ୪ ବ୍ୟାଟରଙ୍କ ପ୍ରଦର୍ଶନ ଆଦୌ ଭଲ ନଥିବା ବେଳେ ଅକ୍ଷର ପଟେଲ ଓ କେଏଲ ରାହୁଲ ଦଳର ସମ୍ମାନ ରକ୍ଷା କରିବାରେ ଟିକେ ସମର୍ଥ ହୋଇଥିଲେ। କିନ୍ତୁ ସେମାନଙ୍କ ପରେ ଅନ୍ୟ ବ୍ୟାଟରମାନଙ୍କ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। 

Advertisment

ଏହି ମ୍ୟାଚ୍‌କୁ ନେଇ ସମସ୍ତ ନଜର ରହିଥିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ। କାରଣ ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଥିବା ରୋହିତ ଓ ବିରାଟ ପ୍ରାୟ ୭ ମାସ ପରେ ଟିମ୍‌କୁ ଫେରିଛନ୍ତି ଦିନିକିଆ ସିରିଜ୍ ଖେଳିବା ପାଇଁ। ତେବେ ଏତେ ଦିନ ପରେ ଟିମ୍‌କୁ ଫେରିଥିବା ଏହି ଦୁଇ ଖେଳାଳି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛନ୍ତି। ଆଜି ସେମାନେ ଫେଲ୍‌ ମାରିଛନ୍ତି।

ମ୍ୟାଚ୍‌ର ମାତ୍ର ୩.୪ ଓଭରରେ ଭାରତକୁ ଲାଗିଥିଲା ବଡ଼ ଝଟକା। ଆଉଟ୍ ହୋଇଥିଲେ ଓପନର ରୋହିତ ଶର୍ମା। ସେ ସେଟେଲ୍ ହେବା ପୂର୍ବରୁ ଜୋଶ୍ ହାଜେଲଉଡ୍‌ ତାଙ୍କୁ ନିଜ ଫାସରେ ପକାଇ ଦେଇଥିଲେ। ଜୋଶ୍ ହାଜେଲଉଡ୍‌ଙ୍କ ବଲ୍‌ରେ ମ୍ୟାଟ୍ ରେନ୍‌ଶୋଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ରୋହିତ ଶର୍ମା। ସେ ୧୪ଟି ବଲ୍‌ରୁ ୮ ରନ୍ କରି ଆଉଟ୍ ହୋଇଥିଲେ। ତା’ମଧ୍ୟରେ ଗୋଟିଏ ଚୌକା ଥିଲା।

ରୋହିତ ଯିବା ପରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ମାତ୍ର ୮ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ନା ତାଙ୍କ ବ୍ୟାଟ୍‌ରୁ କୌଣସି ରନ୍ ବାହାରିଥିଳା ନା ସେ ସେଟେଲ ହୋଇପାରିଥିଲେ। ମିଚେଲ ଷ୍ଟାର୍କଙ୍କ ଏକ ୱାଇଡ୍ ଡେଲିଭରୀକୁ ହିଟ୍ କରି ପଏଣ୍ଟରେ କୁପର କୋନୋଲୀଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ସହିତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଦିନିକିଆରେ ଶୂନରେ ଆଉଟ୍ ହୋଇଛନ୍ତି କୋହଲି।

ଅଧିନାୟକ ଶୁବମନ ଗିଲ ଓ ଶ୍ରେୟସ ଆୟର ଯଥାକ୍ରମେ ୧୦ ଓ ୧୧ ରନ୍ କରି ନାଥନ ଇଲିସ ଓ ଜୋଶ ହାଜେଲଉଡ୍‌ଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ ୩୮ଟି ବଲରୁ ୩ ଚୌକା ସହାୟତାରେ ୩୧ ରନ୍ କରିଥିବା ବେଳେ ମାଥ୍ୟୁ କୁହନେମ୍ୟାନଙ୍କ ବଲରେ ମ୍ୟାଟ୍ ରେନଶୋଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିଭଳି କେଏଲ ରାହୁଲ ୩୧ଟି ବଲ୍‌ରୁ ୨ଟି ଚୌକା ଓ ୨ଟି ଛକା ସହାୟତାରେ ୩୮ ରନ୍ କରିଥିବା ବେଳେ କ୍ୟାଚ୍ ଆଉଟ୍ ହୋଇଥିଲେ। 

ୱାଶିଂଟନ ସୁନ୍ଦର ୧୦ ରନ୍‌, ନୀତୀଶ କୁମାର ରେଡ୍ଡୀ ୧୯, ହର୍ଷିତ ରାଣା ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅର୍ଶଦୀପ ସିଂହ ଖାତା ଖୋଲିପାରି ନଥିଲେ। 

ଅନ୍ୟପକ୍ଷରେ ‘ଡିଏଲ୍‌ଏସ୍‌’ ମେଥଡରେ ଅଷ୍ଟ୍ରେଲିଆକୁ ୨୬ ଓଭରରେ ୧୩୧ ରନ୍‌ କରିବାକୁ ଟାର୍ଗେଟ୍ ଦିଆଯାଇଥିଲା। ଆଉ ଏହାକୁ ୩ ୱିକେଟ୍ ହରାଇ ୨୧.୧ ଓଭରରେ ହାସଲ କରି ନେଇଥିଲା ଦଳ। ଓପନର ତଥା ଅଧିନାୟକ ମିଚେଲ ମାର୍ଶ ଅପରାଜିତ ରହି ୪୬ ରନ୍ (୫୨ ବଲ୍‌, ୨ ଚୌକା, ୩ ଛକା) କରି ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। ଏଥିରେ ତାଙ୍କୁ ବେଶ୍ ଭଲ ସହଯୋଗ କରିଥିଲେ ଜୋଶ ଫିଲିପ। ସେ ୨୯ଟି ବଲ୍‌ରୁ ୩ ଚୌକା ଓ ୨ଟି ଛକା ସହାୟତାରେ ୩୭ ରନ୍ କରିଥିଲେ। ସେହିଭଳି ମ୍ୟାଟ୍ ରେନଶୋ ୨୧ ରନ୍ କରି ଅପରାଜିତ ରହିଥିଲେ। ଟ୍ରାଭିସ ହେଡ୍‌ ଓ ମ୍ୟାଟ୍ ଶର୍ଟ ୮ ରନ୍ ଲେଖାଏ କରିଥିଲେ। 

ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।