Advertisment

INDvsAUS: ଭାରତ ହାରିଲା ଦ୍ୱିତୀୟ ଟି-ଟ୍ୱେଣ୍ଟି; ୧୨୬ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ୬ ୱିକେଟ୍ ହରାଇଲା ଅଷ୍ଟ୍ରେଲିଆ

୧୨୬ ରନ୍‌ର ବିଜୟ ଲକ୍ଷ୍ୟକୁ ୧୩.୨ ଓଭରରେ ୬ଟି ୱିକେଟ୍ ହରାଇ ହାସଲ କରିଥିଲା ଅଷ୍ଟ୍ରେଲିଆ। ଓପନର ତଥା ଅଧିନାୟକ ମିଚେଲ ମାର୍ଶ ୨୬ଟି ବଲ୍‌ରୁ ୨ଟି ଚୌକା ଓ ୪ଟି ଛକା ସହାୟତାରେ ସର୍ବାଧିକ ୪୬ ରନ୍ କରିଥିଲେ।

Team India

ଭାରତୀୟ ଟିମ୍

Advertisment

ପ୍ରଥମ ଟି-ଟ୍ୱେଣ୍ଟି ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଆଜି ମେଲବୋର୍ଣ୍ଣରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବାଜି ମାରିଛି ଅଷ୍ଟ୍ରେଲିଆ। ୪ ୱିକେଟ୍‌ରେ ଦଳ ଭାରତକୁ ପରାସ୍ତ କରିଛି।  

Advertisment

ଅଷ୍ଟ୍ରେଲିଆ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ନଥିଲେ। ଏମିତିକି ୩ ଜଣ ଖାତା ଖୋଲି ପାରି ନଥିଲେ। ଫଳରେ ଦଳ ୧୮.୪ ଓଭରରେ ୧୨୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। 

ଦଳକୁ ପ୍ରଥମ ଝଟକା ଲାଗିଥିଲା ୨.୪ ଓଭରରେ। ଜୋଶ ହାଜେଲଉଡ୍‌ଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଶୁବମନ ଗିଲ। ସେ ୧୦ଟି ବଲ୍‌ରୁ ୫ ରନ୍ କରି ଆଉଟ୍ ହୋଇଥିଲେ। ୩ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମ୍‌ସନ ୨ ରନ୍ କରିଥିବା ବେଳେ ୩.୩ ଓଭରରେ ନାଥନ ଇଲିସଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ୪.୩ ଓଭରରେ ଆଉଟ୍ ହୋଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ୪ଟି ବଲ୍‌ରୁ ୧ ରନ୍ କରି ଜୋଶ୍‌ ହାଜେଲଉଡ୍‌ଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କ ପରେ ଆସିଥିବା ତିଲକ ବର୍ମା ଖାତା ଖୋଲି ପାରିନଥିଲେ। ସେ ୨ଟି ବଲ୍‌ର ସମ୍ମୁଖୀନ ହୋଇ ଶୂନରେ ଆଉଟ୍ ହୋଇଥିଲେ। ସେ ବି ଜୋଶ ହାଜେଲଉଡ୍‌ଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୬ ନମ୍ବରରେ ଆସିଥିବା ଅକ୍ଷର ପଟେଲ କ୍ରିଜ୍‌ରେ ରହିବାକୁ ପ୍ରୟାସ କରିଥିଲେ। କିନ୍ତୁ ୧୨ଟି ବଲ୍‌ରେ ୭ ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇଥିଲେ। 

Advertisment

୮ ଓଭର ଶେଷ ନହେଉଣୁ ଦଳ ମାତ୍ର ୪୯ ରନ୍‌ରେ ୫ଟି ୱିକେଟ୍ ହରାଇଥିବା ବେଳେ ଧୈର୍ଯ୍ୟର ସହିତ ଖେଳିଥିଲେ ଅଭିଷେକ ଶର୍ମା ଓ ହର୍ଷିତ ରାଣା। ଫଳରେ ଦଳର ସମ୍ମାନ ରହିଲା।

୧୫.୨ ଓଭରରେ ଆଉଟ୍ ହୋଇଥିଲେ ହର୍ଷିତ। ସେ ୩୩ଟି ବଲ୍‌ରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୫ ରନ୍ କରିଥିଲେ। ସେ ଆଉଟ୍ ହେବା ପରେ ଆସିଥିଲେ ଶିବମ ଦୁବେ। ସେ ଗୋଟିଏ ଚୌକା ମାରିବା ପରେ ପରବର୍ତ୍ତୀ ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ତା’ ପର ଓଭରରେ ଯାଇଥିଲା କୁଳଦୀପ ଯାଦବଙ୍କ ୱିକେଟ୍। ସେ ୬ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ବି ଖାତା ଖୋଲିପାରି ନଥିଲେ। ୧୮.୩ ଓଭରରେ ଅଭିଷେକ ଶର୍ମାଙ୍କ ୱିକେଟ୍ ପଡ଼ିଥିଲା। ସେ ୩୭ଟି ବଲ୍‌ରୁ ୮ ଚୌକା ଓ ୨ଟି ଚକା ସହାୟତାରେ ୬୮ ରନ୍ କରିଥିଲେ। ତା’ ପର ବଲ୍‌ରେ ଅର୍ଥାତ୍ ୧୮.୪ ସଭରରେ ଆଉଟ୍ ହୋଇଥିଲେ ଯଶପ୍ରୀତ ବୁମ୍ରା। ସେ ଖାତା ଖୋଲି ପାରି ନଥିଲେ।

୧୨୬ ରନ୍‌ର ବିଜୟ ଲକ୍ଷ୍ୟକୁ ୧୩.୨ ଓଭରରେ ୬ଟି ୱିକେଟ୍ ହରାଇ ହାସଲ କରିଥିଲା ଅଷ୍ଟ୍ରେଲିଆ। ଓପନର ତଥା ଅଧିନାୟକ ମିଚେଲ ମାର୍ଶ ୪୬ ରନ୍ କରିଥିଲେ। ୨୬ଟି ବଲ୍‌ରୁ ୨ଟି ଚୌକା ଓ ୪ଟି ଛକା ସହାୟତାରେ ସେ ୪୬ ରନ୍ କରିଥିବା ବେଳେ କୁଳଦୀପ ଯାଦବଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଟ୍ରାଭିସ ହେଡ୍‌ ୧୫ ବଲ୍‌ରୁ ୨୮ ରନ୍ କରିଥିଲେ। ତା’ ମଧ୍ୟରେ ୩ଟି ଚୌକା ଓ ଗୋଟିଏ ଛକା ଥିଲା। ସେ ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୪.୩ ଓଭରରେ ହେଡ୍ ଓ ୭.୬ ଓଭରରେ ମାର୍ଶ ଆଉଟ୍ ହୋଇଥିଲେ। ଟିମ୍ ଡାଭିଡ ମାତ୍ର ୧ ରନ୍ କରି ତୃତୀୟ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ। ୧୧.୩ ଓଭରରେ କୁଲଦୀପ ଯାଦବଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଜୋଶ ଇଂଲିଶ। ସେ ୨୦ଟି ବଲ୍‌ରୁ ୨୦ ରନ୍ କରିଥିଲେ। ୧୨.୪ ଓଭରରେ ମିଚେଲ ଓୱେନ ଆଉଟ୍ ହୋଇଥିଲେ। ସେ ୧୦ଟି ବଲ୍‌ରୁ ୧୪ ରନ୍ କରିଥିଲେ। ସେ ଆଉଟ୍ ହେବା ପରେ ଆସିଥିବା ମ୍ୟାଟ ଶର୍ଟ ଖାତା ଖୋଲି ପାରି ନଥିଲେ। ପ୍ରଥମ ବଲ୍‌ରେ ଯଶପ୍ରୀତ ବୁମ୍ରା ତାଙ୍କୁ ବୋଲ୍ଡ କରି ଦେଇଥିଲେ। ମାର୍କସ ଷ୍ଟୋଇନିସ ଅପରାଜିତ ରହି ୬ ରନ୍ କରିଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ ଓ କୁଳଦୀପ ଯାଦବ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe