Advertisment

ଅଣ୍ଡର-୧୯ ଏସିଆ କପ୍: ପାକିସ୍ତାନଠୁ ହାରିଲା ଭାରତ

ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ୪୩ ରନରେ ହାରିଲା ଭାରତ। ଉଭୟ ବ୍ୟାଟିଂ ଆଉ ବୋଲିଂରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ।

India vs Pakistan (U19 Asia Cup, 2024)

India vs Pakistan (U19 Asia Cup, 2024)

Advertisment

ପରାଜୟରୁ ଭାରତର ଅଣ୍ଡର-୧୯ ଏସିଆ କପ୍ ଅଭିଯାନ ଆରମ୍ଭ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳି ପରାଜୟ ବରଣ କରିଛି ଭାରତ। ଏହି ମ୍ୟାଚରେ ପାକିସ୍ତାନର ଓପନର ଶାହଜୈବ ଖାନଙ୍କ ଐତିହାସିକ ୧୫୯ ରନର ପାଳି ବଳରେ ପାକିସ୍ତାନ ୨୮୧ ରନ୍ ହାସଲ କରିଥିଲା। ଜବାବରେ କେବଳ ୨୩୮ ରନରେ ସମସ୍ତ ୱିକେଟ ହରାଇଛି ଭାରତ। ଫଳରେ ପ୍ରଥମ ମ୍ୟାଚରେ ୪୩ ରନର ବଡ଼ ପରାଜୟର ସାମ୍ନା କରିଛି ଭାରତ।

Advertisment

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ ଦଳ। ଦୁଇ ଓପନର ଉସମାନ୍ ଖାନ ଓ ଶାହଜୈବ ଖାନ ଦଳ ପାଇଁ ଆକ୍ରାମକ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୧୬୦ ରନ ଯୋଡ଼ିଥିଲେ। ପ୍ରଥମ ୱିକେଟ ଭାବେ ୬୦ ରନ କରି ଉସମାନ ଖାନ ପାଭିଲିୟନ ଫେରିଥିଲେ। ଏହାପରେ ଗୋଟିଏ ପଟେ ଶାହଜୈବ ଖାନ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟର ଭାରତୀୟ ବୋଲିଂ ଆଟାକ୍ ଆଗରେ ଛିଡ଼ା ହୋଇ ପାରିନଥିଲେ। ଶାହଜୈବ ଶେଷ ଓଭର ପର୍ଯ୍ୟନ୍ତ ଆକ୍ରାମକ ଅନ୍ଦାଜରେ ଖେଳି ୧୪୭ ବଲରୁ ୫ ଚୌକା ଓ ୧୦ ଛକା ବଳରେ ୧୫୯ ରନ ହାସଲ କରିଥିଲେ। ଜବାବରେ ପାକିସ୍ତାନ ମଧ୍ୟକ୍ରମ ଓ ନିମ୍ନକ୍ରମରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୧ ରନ୍ ହାସଲ କରିନେଇଥିଲା।

ଏହି ପାଳିରେ ଭାରତ ପକ୍ଷରୁ ସମର୍ଥ ନାଗରାଜ ସର୍ବାଧିକ ୩ଟି ୱିକେଟ ହାସଲ କରିଥିବାବେଳେ ଆୟୁଷ ମହାତ୍ରେ ୨ଟି ୱିକେଟ ଅକ୍ତିଆର କରିଥିଲେ। ଯୁଦ୍ଧଜିତ ଗୁହା ଓ କିରନ ଚୋରମାଲେ ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ। କେବଳ ୨ ଓଭରରେ ୩୪ ରନ ବ୍ୟୟ କରି ମହମଦ ଏନାନ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ତାଙ୍କୁ କୌଣସି ସଫଳତା ବି ମିଳିନଥିଲା।

Advertisment

ଏହାପରେ ଭାରତ ୨୮୨ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା। ଭାରତ ପାଇଁ ଆକ୍ରାମକ ଆରମ୍ଭ କରିଥିଲେ ଓପନର ଆୟୁଷ ମହାତ୍ରେ। ସେ ୧୪ ବଲରୁ କେବଳ ପାଞ୍ଚଟି ଚୌକା ବଳରେ ୨୦ ରନ କରି ଆଉଟ୍ ହୋଇଯାଇଥିଲେ। ଅନ୍ୟପଟେ ଆଇପିଏଲ୍ ୨୦୨୫ ପାଇଁ ମେଗା ଅକ୍ସନରେ ରାଜସ୍ଥାନ ରୟାଲ୍ସ କିଣିଥିବା ୧୩ ବର୍ଷର ଚର୍ଚ୍ଚିତ ବାଳକ ବୈଭବ ସୂର୍ଯ୍ୟବଂଶୀ କେବଳ ୧ ରନ କରି ଆଉଟ୍ ହୋଇଥିଲେ। ଫଳରେ କେବଳ ୨୮ ରନରେ ଭାରତ ଦୁଇଟି ୱିକେଟ ହରାଇଥିଲା। ଏହାପରେ କିଛି ସମୟ ସ୍କୋର ବୋର୍ଡକୁ ଗତି ଦେବାପରେ ଆନ୍ଦ୍ରେ ସିଦ୍ଧାର୍ଥ (୧୫) ମଧ୍ୟ ଆଉଟ୍ ହୋଇଥିଲେ। ଅଧିନାୟକ ମହମଦ ଏମାନ କେବଳ ୧୬ ରନ କରିବାରେ ସକ୍ଷମ ହୋଇଥିଲେ।

ଭାରତ ପକ୍ଷରୁ ନିଖିଲ କୁମାର ସର୍ବାଧିକ ୬୭ ରନର ପାଳି ଖେଳିଥିଲେ। ତାଙ୍କର ଏହି ପାଳିରେ ୬ ଚୌକା ଓ ୩ଟି ଛକା ମଧ୍ୟ ସାମିଲ ଅଛି। ଅନ୍ୟମାନଙ୍କ ମଧ୍ୟରେ ମହମଦ ଏନାନ (୩୦)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୩୦ ରନ କରିବାକୁ ସକ୍ଷମ ହୋଇନଥିଲେ। ଫଳରେ ୪୭.୧ ଓଭରରେ ୨୩୮ ରନରେ ସମସ୍ତ ୱିକେଟ ହରାଇଛି ଭାରତ।

India Vs Pakistan U19 Asia Cup India Lost To Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe