Advertisment

ଶୁଟଆଉଟରେ ହାରି ବିଶ୍ୱକପରୁ ଟିମ ଇଣ୍ଡିଆ ଆଉଟ୍‌

ଭାରତ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ରସଓଭର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଶୁଟ ଆଉଟରେ ହାରି ବିଶ୍ୱକପରୁ ବିଦାୟ ନେଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Hockey

Hockey

ଓଡ଼ିଶାରେ ହକି ବିଶ୍ୱକପ ଜିତିବାକୁ ଭାରତ ଦେଖିଥିବା ସ୍ୱପ୍ନ ଅଧା ରହି ଯାଇଛି। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା କ୍ରସଓଭର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଶୁଟ ଆଉଟରେ ହାରି ଭାରତ ବିଶ୍ୱକପରୁ ବିଦାୟ ନେଇଛି। ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୩-୩ ଗୋଲ ସ୍କୋର କରିବାରୁ ମ୍ୟାଚ୍‌ ଶୁଟ ଆଉଟକୁ ଯାଇଥିଲା। ପ୍ରଥମ ୫ଟି ଶଟ ପରେ ଦୁଇ ଦଳ ପୁଣି ୩-୩ ସ୍ତରରେ ରହିଥିଲେ।

Advertisment

ଏହାପରେ ନ୍ୟୁଜିଲ୍ୟାଣ୍ଡ ଶଟ ମାରିଥିଲେ ମଧ୍ୟ ଶ୍ରୀଜେଶ ଏହାକୁ ଅଟକାଇ ଦେଇଥିଲେ। ଭାରତ ପାଖରେ ଲିଡ୍‌ ପାଇଁ ସୁଯୋଗ ଥିଲେ ମଧ୍ୟ ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ହାତ ଛଡ଼ା କରିଥିଲେ। ପ୍ରଥମ ଶଟ ଅଟକାଇବା ପରେ ପିଆର ଶ୍ରୀଜେଶ ଆହତ ହୋଇଥିଲେ। ଏଥିପାଇଁ କିଶନ ପାଠକ ମୈଦାନକୁ ଓହ୍ଲାଥିଲେ। ତେବେ ଦୁଇ ଦଳ ନିଜ ନିଜର ଦ୍ୱିତୀୟ ଶଟ୍‌ରେ ସଫଳତା ପାଇଥିଲେ।

ତୃତୀୟ ଶଟ୍‌ ନ୍ୟୁଜିଲ୍ୟାଣ୍ଡ ମିସ୍‌ କରି ଯାଇଥିଲା। ଭାରତ ମଧ୍ୟ ତୃତୀୟ ଗୋଲ ସ୍କୋର କରି ପାରି ନଥିଲା। ୪ର୍ଥ ଶଟ୍‌ ନ୍ୟୁଜିଲ୍ୟାଣ୍ଡ ସଫଳତାର ସହ ଗୋଲ କରି ପୁଣି ଭାରତ ଉପରେ ଚାପ ସୃଷ୍ଟି କରିଥିଲା। ଭାରତ ପାଇଁ ଶମଶେର ସିଂହ ୪ର୍ଥ ଶଟ୍ ମାରିଥିଲେ ମଧ୍ୟ ଭାରତକୁ ରି-ଟେକ୍‌ ସୁଯୋଗ ମିଳିଥିଲା। କିନ୍ତୁ ଏହାକୁ ମଧ୍ୟ ଗୋଲରେ ପରିଣତ କରିପାରି ନଥିଲେ ଶମଶେର। ଫଳରେ ନ୍ୟୁଜିଲ୍ୟାଣ୍ତ ୪-୫ ଶୁଟ ଆଉଟରେ ମ୍ୟାଚ୍‌ ଜିତି ଭାରତକୁ ବିଶ୍ୱକପରୁ ବିଦା କରି ଦେଇଛି।

Advertisment

ଭାରତ ଏବେ ୨୬ ତାରିଖରେ କ୍ଲାସିଫେକସନ ମ୍ୟାଚ୍‌ରେ ଜାପାନକୁ ଭେଟିବ। ସେହିପରି ନ୍ୟୁଜିଲ୍ୟାଣ୍ଡ ବିଶ୍ୱର ୨ନଂ ଦଳ ବେଲଜିୟମ ସହ କ୍ୱାର୍ଟର ଫାଇନାଲରେ ଲଢ଼େଇ କରିବ। 

ଗ୍ରୁପ ଡି’ରୁ ଭାରତ ଦ୍ୱିତୀୟ ଦଳ ଭାବେ କ୍ରସ ଓଭର ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଗ୍ରୁପ ସି’ରୁ ତୃତୀୟ ଦଳ ଭାବେ ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲା। ବିଶ୍ୱ ରାଙ୍କିଙ୍ଗରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ତୁଳନାରେ ଭାରତ ଯଥେଷ୍ଟ ଆଗରେ ଥିଲା। ଲାଗୁଥିବା ଭାରତ ମ୍ୟାଚ୍‌କୁ ଜିତି କ୍ୱାର୍ଟର ଫାଇନାଲକୁ ଯିବ। 

ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍ଥିତି ୦-୦ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରର ତୃତୀୟ ମିନିଟରେ ଲଳିତ କୁମାର ସୁନ୍ଦର ଫିଲ୍ଡ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ଭାରତକୁ ୨୩ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଓଡ଼ିଆ ପୁଅ ଅମିତ ରୋହିତଦାସ ଗୋଲରେ ପରିଣତ କରି ପାରି ନଥିଲେ। ସେହିପରି ୨୫ତମ ମିନିଟରେ ମିଳିଥିବା ପିସି ମଧ୍ୟ ହରମନପ୍ରୀତ ସିଂହ ବେକାର କରି ଦେଇଥିଲେ। କିନ୍ତୁ ରି-ବାଉଣ୍ତରେ ଆସିଥିବା ବଲ୍‌କୁ ସୁଖଜିତ ସିଂହ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲେ। 

ଦ୍ୱିତୀୟ କ୍ୱାର୍ଟର ସରିବାକୁ କିଛି ମିନିଟ ବାକି ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସାମ ଲେନ ଗୋଲ କରି ସ୍ଥିତି ୨-୧ କରିଥିଲେ। ହାଫଟାଇମ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟର ୯ମ ମିନିଟରେ ଭାରତକୁ ମ୍ୟାଚ୍‌ର ୬ଷ୍ଠ ପିସି ମିଳିଥିଲା। ହେଲେ ହରମନପ୍ରୀତ ଏହାକୁ ମଧ୍ୟ ଗୋଲରେ ପରିଣତ କରି ପାରି ନଥିଲେ। ତେବେ ୪୨ ତମ ମିନିଟରେ ମିଳିଥିବା ପିସିକୁ ବରୁଣ କୁମାର ଗୋଲରେ ପରିଣତ କରି ସ୍ଥିତିକୁ ୩-୧ କରି ଦେଇଥିଲେ। 

୪୪ତମ ମିନିଟରେ ନ୍ୟୁଜିଲ୍ୟାଣ୍ଡକୁ ମ୍ୟାଚ୍‌ର ପ୍ରଥମ ପିସି ମିଳିଥିଲା। ଏହାକୁ ବେଶ ଚମତ୍କାର ଢଙ୍ଗରେ କେନ ରସେଲ ଗୋଲର ପରିଣତ କରି ଦେଇଥିଲେ। ୪ର୍ଥ କ୍ୱାର୍ଟର ଅର୍ଥାତ ଶେଷ ୧୫ ମିନିଟ ନ୍ୟୁଜିଲ୍ୟାଣ୍ଡ ଘନଘନ ଆକ୍ରମଣ କରିଥିଲା। ଭାରତ ମଧ୍ୟ କାଉଣ୍ଟର ଆଟାକ କରିବାରେ କୌଣସି ପ୍ରକାରର ଅବହେଳା କରି ନଥିଲା। ଏହି କାଉଣ୍ଟର ଆଟାକ ଯୋଗୁ ଭାରତକୁ ଏକାଧିକ ପିସି ମଧ୍ୟ ମିଳିଥିଲା। ତଥାପି ଦଳ ଏହାକୁ ଗୋଲରେ ପରିବର୍ତ୍ତନ କରିପାରି ନଥିଲା। 

ମ୍ୟାଚ୍‌ର ୫୦ତମ ମିନିଟରେ ସାନ ଫିଣ୍ଡଲେ ଚମତ୍କାର ଗୋଲ ସ୍କୋର କରି ସ୍ଥିତି ୩-୩ କରି ଦେଇଥିଲେ। ନ୍ୟୁଜିଲ୍ୟାଣ୍ତ ସ୍ଥିତି ବରାବର କରି ଦେବାକୁ କଳିଙ୍ଗ ଷ୍ଟାଡିୟମ ପୂରା ଚୁପ ହୋଇଯାଇଥିଲା। ଭାରତୀୟ ଖେଳାଳି ମଧ୍ୟ ଚାପ ଅନୁଭବ କରିଥିଲେ। ତଥାପି ଶେଷ ଯାଏ କୌଣସି ଗୋଲ ସ୍କୋର କରିବାକୁ ଦେଇଥିଲେ। ନିର୍ଦ୍ଧାରିତ ସମୟ ସୁଦ୍ଧା ସ୍ଥିତି ୩-୩ ରହିବାକୁ ମ୍ୟାଚ୍‌ର ଫଳାଫଳ ପାଇଁ ଶୁଟଆଉଟ ଆରମ୍ଭ ହୋଇଥିଲା। ପ୍ରଥମ ୫ ଶଟ୍‌ ପରେ ଉଭୟ ଦଳ ସମାନ ୩ଟି ଲେଖାଏ ଗୋଲ କରିଥିଲେ।

ଏହାପରେ ଭାରତ ସାମାନ୍ୟ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା। ଫିଣ୍ଡଲେ ନ୍ୟୁଜିଲ୍ୟାଣ୍ତ ପାଇଁ ୪ର୍ଥ ଗୋଲ କରିଥିବା ବେଳେ ରାଜକୁମାର ଭାରତ ପାଇଁ ଗୋଲ କରି ସ୍ଥିତି ବରାବର କରିଥିଲେ। ଫିଲିପ୍ସ ଗୋଲ ଦେଇ ନ ପାରିବାରୁ ସ୍ଥିତି ୪-୪ ରହିଥିଲା। ଭାରତ ପାଖରେ ଲିଡ ପାଇଁ ସୁଯୋଗ ଥିଲେ ହେଁ ସୁଖଜିତ ସିଂହ ଗୋଲ ଦେଇ ପାରି ନଥିଲେ। ନ୍ୟୁଜିଲ୍ୟାଣ୍ତ ପାଇଁ ପରବର୍ତ୍ତୀ ଗୋଲ ଶୁଟ ଆଉଟରେ ସାନ ଲେନ ଦେଇଥିଲେ। କିନ୍ତୁ ଭାରତର ଶମଶେର ସିଂହ ଗୋଲ କରିବାରେ ବିଫଳ ହେବାରୁ ନ୍ୟୁଜିଲ୍ୟାଣ୍ତଡ ୫-୪ରେ ମ୍ୟାଚ୍‌କୁ ଜିତି ନେଇଥିଲା। ଦମଦାର ପ୍ରଦର୍ଶନ ପାଇଁ ନ୍ୟୁଜିଲ୍ୟାଣ୍ଡର ଫିଣ୍ତଲେ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। 

୪ ବର୍ଷ ତଳେ ଭାରତ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ନେଦରଲ୍ୟାଣ୍ଡ୍ସ ଠାରୁ ହାରି ବିଦାୟ ନେଇଥିଲେ। ହେଲେ ଏଥର ଦଳ କ୍ରସ ଓଭର ମ୍ୟାଚ୍‌ରୁ ବିଦା ହୋଇଛି। 

Indian Hockey