FIFA
ଇଣ୍ଟର କଣ୍ଟିନେଣ୍ଟାଲ ଓ ସାଫ କପ୍ରେ ନିଜର ଦବଦବା ଦେଖାଇଥିବା ଭାରତୀୟ ଫୁଟବଲ ଟିମ୍ ଏବେ ଫିଫା ରାଙ୍କିଙ୍ଗର ଟପ୍ ୧୦୦କୁ ଫେରିଛି। ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଭାରତୀୟ ଦଳକୁ ଏପରି ସଫଳତା ମିଳିଛି। ସୁନୀଲ ଛେତ୍ରୀଙ୍କ ଟିମ୍ ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ୱ ରାଙ୍କିଙ୍ଗର ଟପ୍ ୧୦୦ରେ ପ୍ରବେଶ କରିଛି।
ନିକଟରେ ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଜିତିଥିବା ଭାରତ ସାଫ କପ୍ରେ ମଧ୍ୟ ଅପରାଜେୟ ରହିଛି। ଦଳ ପାକିସ୍ତାନ ଓ ନେପାଳକୁ ହରାଇଥିବା ବେଳେ କୁଏତ ସହ ୧-୧ରେ ଡ୍ର କରିଛି। ସାଫ କପ୍କୁ ଆସିବା ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱର୍ରେ ଲେବାନନକୁ ୨-୦ରେ ହରାଇ ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଜିତିଥିଲା। ଏବେ ଦଳକୁ ଏହାର ଫାଇଦା ବିଶ୍ୱ ରାଙ୍କିଙ୍ଗରେ ମିଳିଛି।
ଭାରତୀୟ ଫୁଟବଲ ଟିମର ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ ରାଙ୍କିଙ୍ଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଏହି ଖବରରେ ମୁଁ ବହୁତ ଖୁସି। କିନ୍ତୁ ଏହି ସ୍ଥାନରେ ଆମକୁ ରହିବାକୁ ପଡ଼ିବ। ପରବର୍ତ୍ତୀ କିଛି ମ୍ୟାଚ୍ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।”
ସାଫ କପ୍ରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ଦବଦବା ଜାରି ରହିଛି। ସେ ୩ ମ୍ୟାଚରେ ୫ ଗୋଲ ସ୍କୋର କରିଛନ୍ତି। ଏବେ ଦଳ ଜୁଲାଇ ୧ରେ ସାଫ କପ ସେମିରେ ଲେବାନନକୁ ଭେଟିବ।
ଅନ୍ୟପକ୍ଷରେ ଭାରତ ଟପ୍ ୧୦୦ରେ ପ୍ରବେଶ କରିଥିବା ବେଳେ ବିଶ୍ୱ ବିଜେତା ଆର୍ଜେଣ୍ଟିନା ଫିଫା ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ଲିଓନେଲ ମେସିଙ୍କ ଟିମ ପାଖରେ ମୋଟ ୧୮୪୩.୭୩ ପଏଣ୍ଟ ରହିଛି।
୧୮୪୩.୫୪ ପଏଣ୍ଟ ସହ ଫ୍ରାନ୍ସ ଓ ବ୍ରାଜିଲ ତୃତୀୟ ସ୍ଥାନରେ ଅଛି। ଟପ୍ ୩ରେ କୌଣସି ପରିବର୍ତ୍ତନ ହୋଇନି। ଇଂଲଣ୍ଡ ଓ କ୍ରୋଏସିଆ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି। ହେଲେ ବେଲଜିୟମ ଓ ନେଦରଲ୍ୟାଣ୍ଡସ ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/FIFA_1688047994.jpg)