Advertisment

ବକ୍ସିଂ ଡେ ଟେଷ୍ଟ: ସଅଳ ୫ ୱିକେଟ ହରାଇ ବ୍ୟାକଫୁଟରେ ଭାରତ

ପ୍ରଥମ ପାଳିରେ ୪୭୪ ରନରେ ସମସ୍ତ ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ। ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ପ୍ରଥମ ପାଳିରେ ୧୬୪ ରନ କରି ୫ଟି ବହୁମୂଲ୍ୟ ୱିକେଟ ହରାଇଛି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Boxing Day Test Day-2

Boxing Day Test Day-2

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ମେଲବର୍ଣ୍ଣ ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ଗୁରୁବାର ଆରମ୍ଭ ହୋଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆଜି (ଶୁକ୍ରବାର) ଦ୍ୱିତୀୟ ଦିନରେ ମଧ୍ୟ ଡ୍ରାଇଭିଂ ସିଟରେ ରହିଛି। ଆଜି ଘରୋଇ ଦଳ ପ୍ରଥମେ ୪୭୪ ରନରେ ସମସ୍ତ ୱିକେଟ ହରାଇଥିଲା। ଜବାବରେ ପ୍ରଥମ ଇନିଂସରେ ମୈଦାନକୁ ଓହ୍ଲାଇଥିବା ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା କେବଳ ୧୬୪ ରନ କରି ୫ଟି ବହୁମୂଲ୍ୟ ୱିକେଟ ହରାଇଛି। ଅର୍ଥାତ କଙ୍ଗାରୁ ଦଳଠୁ ଏବେ ୩୧୦ ରନ ପଛୁଆ ରହିଛି ଭାରତ।

Advertisment

ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଘରୋଇ ଦଳର ଶୀର୍ଷ ୪ଜଣ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ଭାରତକୁ ବ୍ୟାକଫୁଟକୁ ଠେଲିଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ କିଛି ମାତ୍ରାରେ କମବ୍ୟାକ୍ କରିଥିଲା ଭାରତ। ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ଟି ୱିକେଟ ହରାଇ ଅଷ୍ଟ୍ରେଲିଆ ୩୧୧ ରନ କରିଥିଲା। ଅର୍ଦ୍ଧଶତକ ହାସଲ କରି ସାରିଥିବା ସ୍ମିଥ ଓ ଅଧିନାୟକ ପାଟ କମିନ୍ସ କ୍ରିଜରେ ମହଜୁଦ ରହିଥିଲେ।

ଆଜି ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ଚମତ୍କାର ଆରମ୍ଭ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଦଳର ସ୍କୋର ୭ ୱିକେଟ ବିନିମୟରେ ୪୫୪ ରହିଥିଲା। ତେବେ ମଧ୍ୟାହ୍ନ ଭୋଜନ ବିରତି ପରେ ୧୪୦ ରନର ଦମଦାର ପାଳି ଖେଳିଥିବା ଷ୍ଟିଭେନ ସ୍ମିଥ୍ ଆଉଟ୍ ହୋଇଥିଲେ। ଅଧିନାୟକ ପାଟ୍ କମିନ୍ସ ୪୯, ମିଚେଲ ଷ୍ଟାର୍କ ୧୫ ରନ୍ ଏବଂ ନାଥନ ଲାୟନ ୧୩ ରନ୍ କରି ପାଭିଲିୟନ ଫେରିଥିଲେ। ତେବେ ଅଷ୍ଟ୍ରେଲିଆ ପାଳି ୪୭୪ ରନରେ ଶେଷ ହୋଇଥିଲା। ଏହି ପାଳିରେ ଭାରତ ପକ୍ଷରୁ ସ୍ପିଡଷ୍ଟାର ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରି ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଜାଡେଜା ୩ଟି ୱିକେଟ ହାସଲ କରିଥିବାବେଳେ ଆକାଶ ଦୀପ ୨ଟି ଓ ୱାଶିଂଟନ ସୁନ୍ଦର ଗୋଟିଏ ସଫଳତା ପାଇଥିଲେ।

Advertisment

ଏହାପରେ ପ୍ରଥମ ପାଳି ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା ଭାରତ। ଦଳ ପକ୍ଷରୁ ଯୁବ ଓପନର ଜୈସୱାଲଙ୍କ ସହ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା। ହେଲେ ଲୟ ଖୋଜି ପାଉନଥିବା ରୋହିତ କେବଳ ୩ ରନ କରି ଆଉଟ ହୋଇଥିଲେ। ଜୈସୱାଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଉଥିବା ରାହୁଲ ୨୪ ରନ କରି ଆଉଟ ହେବା ପରେ ଆସିଥିଲେ ବିରାଟ କୋହଲି। ଅନ୍ୟପଟେ ଚମତ୍କାର ବ୍ୟାଟିଂ ଜାରି ରଖିଥିବା ଜୈସୱାଲ ୮୨ ରନ ସ୍କୋର କରିଥିବାବେଳେ ରନ୍ ଆଉଟ୍ ହୋଇ ଶତକରୁ ବଞ୍ଚିତ ହୋଇଥିଲେ।

ସେପଟେ କୋହଲି ଆରମ୍ଭ ଭଲ କରିଥିଲେ ମଧ୍ୟ ପୁଣି ପୂର୍ବ ପରି ଭୁଲ କରିଥିଲେ। ସେ ସ୍କଟ ବୋଲାଣ୍ଡଙ୍କ ଓଭରରେ ଆଉଟ ଷ୍ଟମ୍ପ ବାହାର ବଲକୁ ଖେଳିବା ଚେଷ୍ଟା କରି କିପର ଆଲେକ୍ସ କ୍ୟାରୀଙ୍କ ହାତରେ ଧରା ପଡ଼ିଥିଲେ। ଏହାପରେ ନାଇଟ ୱାଚମ୍ୟାନ ଭାବେ ପାଳି ବଞ୍ଚାଇବାକୁ ଆସିଥିବା ଆକାଶ ଦୀପ ମଧ୍ୟ ଖାତା ନଖୋଲି ଆଉଟେ ହୋଇଯାଇଥିଲେ। ତେବେ ଆଜି ଦ୍ୱିତୀୟ ଦିନକର ଖେଳ ଶେଷ ହେବା ବେଳକୁ ଭାରତ ୪୬ ଓଭର ଖେଳି ୫ଟି ୱିକେଟ ହରାଇଥିବାବେଳେ କେବଳ ୧୬୪ ରନ କରିଛି। ଋଷଭ ପନ୍ତ (୬) ଓ ରବୀନ୍ଦ୍ର ଜାଡେଜା (୪) କ୍ରିଜରେ ମହଜୁଦ ରହିଛନ୍ତି।

India Vs Australia Border-Gavaskar Trophy Yashasvi Jaiswal IND Vs AUS Test Boxing Day Test