India vs New Zealand, 3rd Test
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଆଜି ଆରମ୍ଭ ହୋଇଛି। ୨-୦ରେ ଏହି ସିରିଜ୍ ଆଗୁଆ କବଜା କରିସାରିଛି ଭ୍ରମଣକାରୀ ଦଳ। ଅନ୍ୟପଟେ ଭାରତ ଘରୋଇ ମାଟିରେ ୧୨ ବର୍ଷ ପରେ ଏକ ଟେଷ୍ଟ ସିରିଜ ହାରିବା ପରେ ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା ପାଇଁ ମୈଦାନକୁ ଓହ୍ଲାଇଛି।
ନ୍ୟୁଜିଲ୍ୟାଣ୍ଡ ଦଳରେ ନାହାନ୍ତି ସାଣ୍ଟନର
ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟମ ଲାଥମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। କିୱି ଅଧିନାୟକ ନିଜ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛନ୍ତି। ଗତ ଦୁଇଟି ମ୍ୟାଚରେ ଭାରତକୁ ଅଡ଼ୁଆରେ ପକାଇଥିବା ମିଚେଲ ସାଣ୍ଟନର ଏହି ମ୍ୟାଚ୍ ଖେଳୁନାହାନ୍ତି। ତାଙ୍କ ସ୍ଥାନରେ ଇଶ ସୋଡିଙ୍କୁ ମିଳିଛି ସୁଯୋଗ। ଏହା ସହିତ ଟିମ ସାଉଦିଙ୍କ ସ୍ଥାନରେ ମ୍ୟାଟ୍ ହେନେରୀ ଚୂଡ଼ାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ବୁମରାଙ୍କ ସ୍ଥାନରେ ସିରାଜ
ଅନ୍ୟପଟେ ଭାରତୀୟ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ସ୍ପିଡଷ୍ଟାର ଜସପ୍ରୀତ ବୁମରା ଖେଳୁନାହାନ୍ତି। ତାଙ୍କ ଦେହ ଅସୁସ୍ଥ ଥିବାରୁ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିବା କହିଛନ୍ତି ଅଧିନାୟକ ରୋହିତ ଶର୍ମା। ଅନ୍ୟପକ୍ଷରେ ବୁମରାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବିସିସିଆଇ ମଧ୍ୟ ଏକ ବଡ଼ ଅପଡେଟ୍ ଦେଇଛି। ବୁମରା ଭାଇରାଲ ସଂକ୍ରମଣରେ ପୀଡ଼ିତ ଥିବାରୁ ସେ ତୃତୀୟ ଟେଷ୍ଟ ପାଇଁ ଉପଲବ୍ଧ ନାହାନ୍ତି ବୋଲି ଆଧିକାରୀକ 'ଏକ୍ସ' ହ୍ୟାଣ୍ଡେଲରେ ପୋଷ୍ଟ କରିଛି ବିସିସିଆଇ।
ସ୍ପିନରଙ୍କୁ ସୁହାଉଛି ପିଚ୍
ମୁମ୍ବାଇର ୱାଙ୍ଖେଡେରେ ଖେଳାଯାଉଥିବା ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଝଟକା ଦେଇଥିଲେ ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପ। ଦଳୀୟ ସ୍କୋର କେବଳ ୧୫ ରନ ହୋଇଥିବାବେଳେ ଡେଭନ କନୱେଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ଆକାଶ। ଏହାପରେ କିନ୍ତୁ ପିଚରେ ବଲ୍ ଘୂରିବା ଆରମ୍ଭ କରିଥିଲା। ଯାହା ସ୍ପିନରଙ୍କୁ ସୁହାଇଥିଲା। ନ୍ୟୁଜିଲ୍ୟାଣ୍ଡର ସ୍କୋର ୫୯ ହୋଇଥିବାବେଳେ ଅଧିନାୟକ ଲାଥମଙ୍କ ଶିକାର କରିଥିଲେ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର। ଏହାପରେ ରଚିନ ରବିନ୍ଦ୍ରଙ୍କୁ ମଧ୍ୟ ପାଭିଲିୟନ ଫେରାଇଥିଲେ ସୁନ୍ଦର। ୱିଲ ୟଙ୍ଗ ଓ ଟମ ବ୍ଲଣ୍ଡେଲଙ୍କ ୱିକେଟ ନେଇ ଭ୍ରମଣକାରୀ ଦଳଙ୍କୁ ଅଡ଼ୁଆରେ ପକାଇଛନ୍ତି ଜାଡେଜା। ରିପୋର୍ଟ ଲେଖାହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୫୦ ଓଭର ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୧୭୫ ରନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us