Advertisment

ସଡନ୍‌ ଡେଥ୍‌ରେ କୁଏତକୁ ମାତ୍‌ ଦେଇ ସାଫ କପ୍‌ ଜିତିଲା ଭାରତ

କୁଏତର ଅଧିନାୟକ ମାରିଥିବା ଶଟ୍‌କୁ ଭାରତୀୟ ଗୋଲକିପର ଗୁରପ୍ରୀତ ଅଟକାଇ ଦେଇଥିଲେ। ଫଳରେ ଭାରତ କୁଏତକୁ ୫-୪ରେ ହରାଇ ଚାମ୍ପିୟନ ହୋଇଛି।

ଅଦ୍ୟତନ ହୋଇଛି
SAFF Championship

SAFF Championship

Advertisment

ପୁଣିଥରେ ସାଫ କପ୍‌ ଜିତିଛି ଭାରତ। ସୁନୀଲ ଛେତ୍ରୀଙ୍କ ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ସାଫ କପ୍‌ ହାତେଇଛି। ଫାଇନାଲରେ ଦଳ ଶକ୍ତିଶାଳୀ କୁଏତକୁ ସଡନ ଡେଥ(୫-୪)ରେ ହରାଇଛି। ଶୁଟ ଆଉଟର ପ୍ରଥମ ୫ଶଟ ପରେ ସ୍ଥିତି ୪-୪(୧-୧)ରେ ରହିଥିଲା। ଏହାପରେ ଭାରତ ସଡନ ଡେଥର ପ୍ରଥମ ଶଟ୍‌ ଗୋଲରେ ପରିଣତ କରିଥିଲା।

Advertisment

କିନ୍ତୁ କୁଏତର ଅଧିନାୟକ ମାରିଥିବା ଶଟ୍‌କୁ ଭାରତୀୟ ଗୋଲକିପର ଗୁରପ୍ରୀତ ଅଟକାଇ ଦେଇଥିଲେ। ଫଳରେ ଭାରତ କୁଏତକୁ ୫-୪ରେ ହରାଇ ଚାମ୍ପିୟନ ହୋଇଛି। ୨୦୨୧ରେ ଭାରତ ୩-୦ରେ ନେପାଳକୁ ହରାଇ ଟ୍ରଫି ଜିତିଥିଲା। ଏବେ କୁଏତକୁ ମାତ ଦେଇଛି ଦଳ। ଏହାକୁ ମିଶାଇ ଭାରତ ୯ମଥର ପାଇଁ ସାଫ କପ ଜିତିବାକୁ ସକ୍ଷମ ହୋଇଛି।

ଭାରତୀୟ ଦଳ କେବଳ ୨୦୦୩ରେ ଫାଇନାଲରେ ପ୍ରବେଶ କରି ପାରି ନଥିଲା। ବାକି ସବୁ ସଂସ୍କରଣରେ ଦଳ ଫାଇନାଲ ଖେଳିଛି। ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୧୧, ୨୦୧୫ ଓ ୨୦୨୧ରେ ଦଳ ଚାମ୍ପିୟନ ହୋଇଥିଲା। ୧୯୯୫, ୨୦୦୮, ୨୦୧୩ ଓ ୨୦୧୮ରେ ଭାରତକୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୨୩ରେ ଦଳ ପୁଣି ଚାମ୍ପିୟନ ହୋଇଛି।

Advertisment

ବେଙ୍ଗାଲୁରୁରେ ଖେଳାଯାଉଥିବା ଆଜିର ଫାଇନାଲ ବେଶ ସଂଘର୍ଷମୟ ରହିଥିଲା। ତେବେ କୁଏତ ମ୍ୟାଚର ୧୪ ମିନିଟରେ ଆଟାକ କରି ପ୍ରଥମ ଗୋଲ ସ୍କୋର କରିଥିଲା। ଏହାପରେ ପୂରା ଷ୍ଟାଡିୟମ ଶାନ୍ତ ପଡ଼ି ଯାଇଥିଲା। ଭାରତ ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମ୍ୟାଚ୍‌ର ୩୮ ମିନିଟ ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା।

ମ୍ୟାଚର ୩୮ ତମ ମିନିଟରେ ସାହାଲଙ୍କ ଗୋଟିଏ ସୁନ୍ଦର ପାସ୍‌କୁ ଚାଙ୍ଗେଟ ଗୋଲର ପରିଣତ କରି ସ୍ଥିତି ବରାବର କରିଥିଲେ। ହାଫ ଟାଇମ ସୁଦ୍ଧା ଭାରତ ୧ ଓ କୁଏତ ୧ରେ ରହିଥିଲେ।

ଦ୍ୱିତୀୟାର୍ଦ୍ଧରେ ଦୁଇ ଦଳ ପରସ୍ପର ଉପରେ ଘନଘନ ଆକ୍ରମଣ କରିଥିଲେ। ଉଭୟ ଦଳ ପାଇଁ ଏକାଧିକ ସୁଯୋଗ ସୃଷ୍ଟି ହୋଇଥିଲେ ହେଁ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ପୂରା ୯୦ ମିନିଟ ସ୍ଥିତି ୧-୧ ରହିଥିଲା। ଏହାପରେ ଅତିରିକ୍ତ ସମୟ ଦିଆଯାଇଥିଲା। ଅତିରକ୍ତ ୩୦ ମିନିଟ୍‌ରେ ମଧ୍ୟ କେହି କାହାକୁ ଗୋଲ ଦେଇ ପାରି ନଥିଲେ।

ଶେଷରେ ୨୦୨୩ ସାଫ କପ୍‌ ଚାମ୍ପିୟନ କିଏ ହେବ, ତା’ର ନିଷ୍ପତ୍ତି ପେନାଲ୍ଟି ଶୁଟ ଆଉଟରେ ଧାର୍ଯ୍ୟ ହୋଇଥିଲା। ଶୁଟ ଆଉଟର ପ୍ରଥମ ଶଟ ଭାରତର ଅଧିନାୟକ ଛେତ୍ରୀ ମାରିଥିଲେ। ଏହାକୁ ସେ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। କିନ୍ତୁ କୁଏତର ଅବଦୁଲ୍ଲା ପ୍ରଥମ ଶଟ ମିସ୍‌ କରି ଯାଇଥିଲେ।

ଏହାପରେ ଭାରତ କ୍ରମାଗତ ୨ଟି ଗୋଲ ସ୍କୋର କରିଥିଲା। କୁଏତ ମଧ୍ୟ ତା’ର ବାକି ଶଟ ମିସ କରି ନଥିଲା। କିନ୍ତୁ ଭାରତ ପକ୍ଷରୁ ଉଦାନ୍ତା ମାରିଥିବା ୪ର୍ଥ ଶଟ୍‌ଟି କ୍ରସ ବାର ଉପରେ ଦେଇ ଚାଲି ଯାଇଥିଲା। ୫ମ ଶଟ୍‌ ଭାରତ ଗୋଲରେ ପରିଣତ କରିଥିଲା। କୁଏତ ମଧ୍ୟ ତା’ର ଶେଷ ଦୁଇ ଶଟରେ ଗୋଲ ସ୍କୋର କରି ଶୁଟ ଆଉଟର ପ୍ରଥମ ୫ଟି ଶଟ୍‌ ପରେ ସ୍ଥିତିକୁ ୪-୪ କରି ଦେଇଥିଲା।

ସଡନ ଡେଥର ପ୍ରଥମ ଶଟ୍‌ ଭାରତ ପାଇଁ ମହେଶ ସିଂହ ମାରିଥିଲେ। ସେ ଏହାକୁ ବେଶ ଚମତ୍କାର ଢଙ୍ଗରେ ଗୋଲରେ ପରିଣତ କରି ସ୍ଥିତିକୁ ୫-୪ କରି ଦେଇଥିଲେ। ଭାରତ ଲିଡ୍‌ କରୁଥିବାରୁ କୁଏତ ଅତିରିକ୍ତ ଚାପ ଅନୁଭବ କରିଥିଲା। ଏହାର ପ୍ରଭାବ ମଧ୍ୟ ଦଳର ଅଧିନାୟକ ହଜଇହ ଉପରେ ପଡ଼ିଥିଲା।

ସେ ଗୋଲ ସ୍କୋର କରିବା ପାଇଁ ଗୁରପ୍ରୀତଙ୍କ ବାମ ପଟକୁ ଶଟ ମାରିଥିଲେ। ହେଲେ ଏହାକୁ ଡାଇଭ ମାରି ସେ ଅଟକାଇ ଦେଇଥିଲେ। ଗୋଲ ସେଭ ହେବା ମାତ୍ରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ସାଫ କପ ଚାମ୍ପିୟନ ହୋଇ ଯାଇଥିଲା।

ସାଫ କପ ପୂର୍ବରୁ ଭାରତୀୟ ଦଳ ଭୁବନେଶ୍ୱର୍‌ରେ ଇଣ୍ଟର କଣ୍ଟିନେଣ୍ଟାଲ କପ ମଧ୍ୟ ଜିତିଥିଲା। ଦଳ ଲବେନନଙ୍କୁ ହରାଇ ଟ୍ରଫି ହାତେଇଥିଲା।

Football Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe