/odisha-reporter/media/media_files/2025/11/30/rahul-2025-11-30-21-32-19.jpg)
ରାଞ୍ଚିରେ ରୋମାଞ୍ଚକର ମ୍ୟାଚ୍। କେତେ ବେଳେ ଭାରତର ପଲା ଭରି ରହିଲା ତ କେତେବେଳେ ଦକ୍ଷିଣ ଆଫ୍ରିକାର। ତେବେ ଶେଷରେ ଭାରତ ୧୭ ରନ୍ରେ ବିଜୟୀ ହେଲା।
ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ହାରିବା ପରେ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଛି ଭାରତ। ଭାରତ ୮ ୱିକେଟ୍ ହରାଇ ୩୪୯ ରନ୍ କରିଥିବା ବେଳେ ୪୯.୨ ଓଭରରେ ୩୩୨ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା ଦକ୍ଷିଣ ଆଫ୍ରିକା।
ଦକ୍ଷିଣ ଆଫ୍ରିକା ଆଗରେ ୩୫୦ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଏହାର ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭ୍ରମଣକାରୀ ଦଳକୁ ଲାଗିଥିଲା ପ୍ରାରମ୍ଭିକ ଝଟକା। ଦ୍ୱିତୀୟ ଓଭରରେ ଝଡ଼ି ଯାଇଥିଲା ଦୁଇଟି ୱିକେଟ୍। ଆଉଟ୍ ହୋଇଥିଲେ ରିୟାନ ରିକେଲଟନ ଓ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କ୍ୱିଣ୍ଟନ ଡି’କକ। ଉଭୟ ଖାତା ଖୋଲିପାରି ନଥିଲେ। ଉଭୟଙ୍କ ୱିକେଟ୍ ନେଇଥିଲେ ହର୍ଷିତ ରାଣା। ରିୟାନ ରିକେଲଟନ ବୋଲ୍ଡ ହୋଇଥିବା ବେଳେ ଡି’କକ କ୍ୟାଚ୍ ଆଉଟ୍ ହୋଇଥିଲେ।
୪.୪ ଓଭରରେ ଦକ୍ଷିଣ ଆଫ୍ରିକାକୁ ଲାଗିଥିଲା ତୃତୀୟ ଝଟକା। ଆଉଟ୍ ହୋଇଥିଲେ ଓପନର ତଥା ଅଧିନାୟକ ଏଡେନ ମାର୍କରମ। ସେ ୧୫ଟି ବଲ୍ରୁ ୭ ରନ୍ କରି ଅର୍ଶଦୀପ ସିଂହଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ।
କିନ୍ତୁ ତା’ପରେ ସ୍ଥିତିକୁ ସମ୍ଭାଳି ନେଇଥିଲେ ମାଥ୍ୟୁ ବ୍ରେଟଜକେ ଓ ଟୋନୀ ଡି ଜୋର୍ଜୀ। ୧୦ ଓଭର ଧରି ଏମାନଙ୍କ ମଧ୍ୟରେ ଭାଗିଦାରୀ ହୋଇଥିଲା। ୧୪.୬ ଓଭରରେ ଜୋର୍ଜୀ ଆଉଟ୍ ହେବା ପରେ ଏହି ପାର୍ଟନରଶିପ ଭାଙ୍ଗିଥିଲା। ସେ ୩୫ଟି ବଲରେ ୭ଟି ଚୌକା ସହାୟତାରେ ୩୯ ରନ୍ କରିଥିଲେ। କୁଲଦୀପ ଯାଦବଙ୍କ ବଲରେ ସେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ।
ସେ ଆଉଟ୍ ହେବା ପରେ ଆସିଥିଲେ ଡେୱାଲ୍ଡ ବ୍ରେବିସ। ମାଥ୍ୟୁ ବ୍ରେଟଜକେ ଓ ତାଙ୍କର ଯୋଡ଼ି ମଧ୍ୟ ବେଶ୍ ଜମି ଥିଲା। ୨୧.୪ ଓଭରରେ ଆଉଟ୍ ହୋଇଥିଲେ ବ୍ରେବିସ। ତାଙ୍କ ୱିକେଟ ନେଇଥିଲେ ହର୍ଷିତ ରାଣା। ସେ ୨୮ଟି ବଲ୍ରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୭ ରନ୍ କରିଥିଲେ। ସେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଗଲା ବେଳକୁ ଦଳ ୫ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା।
ଏହା ପରେ ଆସିଥିଲେ ମାର୍କୋ ଜାନସେନ। ମାଥ୍ୟୁ ଓ ତାଙ୍କର ଯୋଡ଼ି ଟିମ୍କୁ ଦେଇଥିଲା ନୂଆ ଆଶା। ୧୨ ଓଭର ଧରି ସେମାନଙ୍କୁ ଆଉଟ୍ କରି ପାରି ନଥିଲେ ଟିମ୍ ଇଣ୍ଡିଆର ବୋଲର। ସେମାନଙ୍କ ମଧ୍ୟରେ ୯୦ରୁ ଅଧିକ ରନ୍ର ଭାଗିଦାରୀ ହୋଇଥିଲା। ଲାଗୁଥିଲା ଏ ଦୁହେଁ ମିଶି ଭାରତ ପାଖରୁ ମ୍ୟାଚ୍ ଛଡ଼ାଇ ନେବେ। ମାର୍କୋ ଜାନସେନ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସେ ୩୯ଟି ବଲ୍ରୁ ୭୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୮ଟି ଚୌକା ଓ ୩ଟି ଛକା ସହାୟତାରେ ୭୦ ରନ୍ କରିଥିଲେ। ସେ ୩୩.୧ ଓଭରରେ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୨୨୭ରେ ପହଞ୍ଚିଥିଲା। କୁଲଦୀପ ଯାଦବଙ୍କ ବଲରେ ସେ ଋତୁରାଜ ଗାଏକ୍ୱାଡଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ମାର୍କୋ ଆଉଟ୍ ହେବା ପରେ ସେହି ଓଭରରେ ଗୋଟିଏ ବଲ୍ ଛାଡ଼ି ଅର୍ଥାତ୍ ୩୩.୩ ଓଭରରେ ଆଉଟ୍ ହୋଇଥିଲେ ମାଥ୍ୟୁ ବ୍ରେଟଜକେ। ସେ ୮୦ଟି ବଲ୍ରୁ ୮ ଚୌକା ଓ ଗୋଟିଏ ଛକା ସହାୟତାରେ ୭୨ ରନ୍ କରିଥିଲେ। କୁଲଦୀପଙ୍କ ବଲ୍ରେ ବିରାଟ କୋହଲିଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
ପ୍ରେନେଲାନ ସୁବ୍ରାୟେନ ୧୬ଟି ବଲ୍ରୁ ୧୭ ରନ୍ କରି କୁଲଦୀପଙ୍କ ବଲ୍ରେ ରାହୁଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। କୋରବିନ ବଚ୍ ଭଲ ଖେଳିଥିଲେ। ସେ ଦଳର ବିଜୟୀ ଆଶାକୁ ବହୁ ସମୟ ପର୍ଯ୍ୟନ୍ତ ଉଜ୍ଜୀବିତ କରି ରଖିଥିଲେ। କିନ୍ତୁ ଦଳକୁ ବିଜୟୀ କରିପାରି ନଥିଲେ। ସେ ୫୧ଟି ବଲ୍ରେ ୫ ଚୌକା ଓ ୪ ଛକା ସହାୟତାରେ ୬୭ ରନ୍ କରିଥିଲେ। ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିବା ଏହି ବ୍ୟାଟରଙ୍କୁ ଆଉଟ୍ କରିଥିଲେ ପ୍ରସିଦ୍ଧ କୃଷ୍ଣ।
ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ହର୍ଷିତ ରାଣା ୩ଟି ଓ ଅର୍ଶଦୀପ ସିଂହ ଏବଂ ପ୍ରସିଦ୍ଧ କୃଷ୍ଣ ଗୋଟିଏ ଲେଖାଏ ୱିକେଟ୍ ପାଇଛନ୍ତି।
ବିରାଟଙ୍କ ଶତକ, ରୋହିତ ଓ ରାହୁଲଙ୍କ ଅର୍ଦ୍ଧଶତକ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୯ ରନ୍ କରିଥିଲା। ତା’ ମଧ୍ୟରେ ରହିଛି ବିରାଟ କୋହଲିଙ୍କ ୧୩୫ ରନ୍ ସହିତ ରୋହିତ ଶର୍ମାଙ୍କ ୫୭, କେଏଲ ରାହୁଲଙ୍କ ୬୦ ଓ ରବୀନ୍ଦ୍ର ଜାଡେଜାଙ୍କ ୩୨ ରନ୍। ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକ୍ୱାଡ୍ ଓ ୱାଶିଂଟନ ସୁନ୍ଦରଙ୍କ ପ୍ରଦର୍ଶନ ଦର୍ଶକଙ୍କୁ ନିରାଶ କରିଥିଲେ।
ଭାରତକୁ ପ୍ରଥମ ଝଟକା ଲାଗିଥିଲା ୩.୧ ଓଭରରେ। ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୮ ରନ୍ କରି ଆଉଟ୍ ହୋଇଥିଲେ ଯଶସ୍ୱୀ ଜୈସୱାଲ। ସେତେବେଳକୁ ଦଳର ସ୍କୋର ୨୫ରେ ପହଞ୍ଚିଥିଲା। ଏହା ପରେ କ୍ରିଜ୍ରେ ବେଶ୍ ଜମି ଯାଇଥିଲେ ରୋହିତ ଶର୍ମା ଓ ବିରାଟ କୋହଲି। ସେମାନଙ୍କ ମଧ୍ୟରେ ୧୩୬ ରନ୍ର ପାର୍ଟନରଶିପ ହୋଇଥିଲା। ଏହି ଯୋଡ଼ି ୮୨ ବଲ୍ରେ ୧୦୦ ରନ୍ କରିଥିଲେ।
୨୧.୨ ଓଭରରେ ଭାଙ୍ଗିଥିଲା ଏହି ଯୋଡ଼ି। ମାର୍କୋ ଜାନସେନଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲେ ରୋହିତ ଶର୍ମା। ସେ ୫୧ଟି ବଲ୍ରେ ୫ ଚୌକା ଓ ୩ ଛକା ସହାୟତାରେ ୫୭ ରନ୍ କରି ଆଉଟ୍ ହୋଇଥିଲେ। ସେ ୪୮ଟି ବଲ୍ରୁ ୫୦ ରନ୍ ପୂରଣ କରିଥିଲେ। ଏହା ହେଉଛି ତାଙ୍କ ଦିନିକିଆ କ୍ୟାରିୟରର ୭୬ତମ ଅର୍ଦ୍ଧଶତକ। ଆଜି ୩ଟି ଛକା ମାରିଥିବା ରୋହିତ ଏକ ବିଶ୍ୱରେକର୍ଡ କରିଛନ୍ତି। ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଛି। ସେ ଏଯାତବ ୩୫୨ଟି ଛକା ମାରିଛନ୍ତି। ଆଜି ୨୧.୨ ଓଭରରେ ସେ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୧୬୧ରେ ପହଞ୍ଚି ଯାଇଥିଲା।
ରୋହିତ ଆଉଟ୍ ହେବା ପରେ ଦଳ ଋତୁରାଜ ଗାଏକ୍ୱାଡ୍ ଓ ୱାଶିଂଟନ ସୁନ୍ଦର ସହଳ ଆଉଟ୍ ହୋଇଯାଇଥିଲେ। ଏହି ଦୁଇ ବ୍ୟାଟର ଯଥାକ୍ରମେ ୮ ଓ ୧୩ ରନ୍ କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ। ତେବେ ଏଥିଯୋଗୁ କୋହଲି ଚାପଗ୍ରସ୍ତ ହୋଇନଥିଲେ। ସେ ଧୈର୍ଯ୍ୟର ସହିତ ଖେଳି ତାଙ୍କ ଦିନିକିଆ କ୍ୟାରିୟରର ୫୨ତମ ଶତକ ହାସଲ କରିଥିଲେ। ସେ ୧୨୦ଟି ବଲ୍ରୁ ୧୩୫ ରନ୍ କରି ଆଉଟ୍ ହୋଇଥିଲେ। ତା’ ମଧ୍ୟରେ ଥିଲା ୧୧ଟି ଚୌକା ଓ ୭ଟି ଛକା।
ବିରାଟ ଆଉଟ୍ ହେବା ପରେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଯୋଡ଼ି ଭାରତର ସ୍କୋରକୁ ଆଗେଇ ନେଇଥିଲା। ରାଲ ୫୬ଟି ବଲ୍ରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୬୦ ରନ୍ କରିଥିଲେ। ଜାଡେଜା ୨୦ଟି ବଲ୍ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୨ ରନ୍ କରିଥିଲେ। ହର୍ଷିତ ରାଣା ୩ ରନ୍ କରି ଅପରାଜିତ ରହିଥିବା ବେଳେ ଅର୍ଶଦୀପ ସିଂହ ଖାତା ଖୋଲିପାରି ନଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ, ନାନ୍ଦ୍ରେ ବର୍ଗର, କୋରବିନ୍ ବଚ୍ ଓ ଓଟନୀଲ ବାର୍ଟମ୍ୟାନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
