Advertisment

ଭାରତର ଦମ୍‌ଦାର ବିଜୟ; ୬ ୱିକେଟ୍‌ରେ ଅଷ୍ଟ୍ରେଲିଆ ପରାସ୍ତ

ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ୨୦୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଓପ୍‌ନିଂ କରିବାକୁ ଆସିଥିଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ଓ ଈଶାନ କିଶନ।

author-image
Manoranjan Sial
ଅଦ୍ୟତନ ହୋଇଛି
Cricket

Cricket

ଦିନିକିଆ କ୍ରିକେଟ୍‌ ମହାକୁମ୍ଭ ବିଶ୍ୱକପ୍‌ରେ ଭାରତର ଦମ୍‌ଦାର ବିଜୟ ହୋଇଛି। ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଛି ଭାରତ। ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବିରାଟ୍‌ କୋହଲି ଓ କେ.ଏଲ୍‌ ରାହୁଲ୍‌। ବିପର୍ଯ୍ୟୟ ପରେ ଉଭୟ ପାଳିକୁ ସମ୍ଭାଳିଥିଲେ ଓ ବିଜୟ ଦ୍ୱାରରେ ପହଞ୍ଚାଇ ଥିଲେ।

Advertisment

ଚେନ୍ନାଇର ଏମ୍‌ଏ ଚିଦାମ୍ୱାରମ୍‌ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ୨୦୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଓପ୍‌ନିଂ କରିବାକୁ ଆସିଥିଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ଓ ଈଶାନ କିଶନ। ହେଲେ ଈଶାନ ଖାତା ଖୋଲି ନପାରି ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ପାଭିଲିୟନ୍‌ ଫେରି ଯାଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ସେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ତା’ପରେ ଆସିଥିଲେ ବିରାଟ୍‌ କୋହଲି।

ଦ୍ୱିତୀୟ ଓଭରରେ ବୋଲିଂ କରିବାକୁ ଆସିଥିବା ଜୋଶ ହାଜେଲଉଡ ଭାରତ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ନିଜର ବ୍ୟକ୍ତିଗତ ଭାବେ ପ୍ରଥମ ଓଭରର ତୃତୀୟ ବଲ୍‌ରେ ରୋହିତଙ୍କୁ LBW କରିବା ବେଳେ ଷଷ୍ଠ ବଲ୍‌ରେ ଶ୍ରେୟସ ଆୟରଙ୍କୁ କ୍ୟାଚ୍‌ ଆଉଟ୍‌ କରିଥିଲେ ଜୋଶ ହାଜେଲଉଡ। ଅର୍ଥାତ ଈଶାନଙ୍କ ପରି ରୋହିତ ଓ ଶ୍ରେୟସ ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ। ମାତ୍ର ୨ ରନ୍‌ରେ ୩ଟି ୱିକେଟ୍‌ ଯାଇଥିଲା ଭାରତ।

Advertisment

ଶ୍ରେୟସ୍‌ ପରେ ଆସିଥିଲେ କେ.ଏଲ୍‌ ରାହୁଲ୍‌। କୋହଲି ଓ ରାହୁଲ୍‌ ମିଶି ପାଳିକୁ ସମ୍ଭାଳି ଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କୁ କଡ଼ ଯବାବ ଦେଇଥିଲେ। କ୍ରିଜ୍‌ରେ ସେଟ୍‌ ହେବା ପରେ ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। କୋହଲି ୧୧୬ ବଲ୍‌ରେ ୮୫ ରନ୍‌ କରି ଜୋଶ ହାଜେଲଉଡଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ତା’ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ୮ ବଲ୍‌ରେ ୧୧ ରନ୍‌ କରିଥିବା ବେଳେ ରାହୁଲ୍‌ ୧୧୫ ବଲ୍‌ରେ ୯୭ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ୪୧.୨ ଓଭରରେ ଭାରତ ବିଜୟୀ ହୋଇଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁବାହିନୀ। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ। ୪୯.୩ ବଲରେ ସମସ୍ତ ୱିକେଟ୍ ହରାଇ ଦଳ ସଂଗ୍ରହ କରିଛି ୧୯୯ ରନ୍। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ କୁଲଦୀପ୍‌ ଦୁଇଟି ଲେଖାଏଁ ନେଇଥିଲେ। ସେହିପରି ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Cricket ICCT20 World Cup 2021