/odisha-reporter/media/media_files/2025/12/06/yashasvi-jaiswal-2025-12-06-21-06-39.jpg)
Yashasvi Jaiswal
ବିଶାଖାପଟନମରେ ବାଜି ମାରିଛି ଟିମ୍ ଇଣ୍ଡିଆ। ୯ ୱିକେଟ୍ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକାକୁ। ଆଉ ମ୍ୟାଚ୍ ଜିତିବା ସହିତ ୨-୧ରେ ଜିତିଛି ସିରିଜ୍।
ଶନିବାର ଖେଳା ଯାଇଥିବା ଦିନିକିଆ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଆଗରେ ୨୭୧ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଦକ୍ଷିଣ ଆଫ୍ରିକା। ଆଉ ଏହାକୁ ଅତି ସହଜରେ ମାତ୍ର ୩୯.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ହାସଲ କରି ନେଇଛି ଦଳ।
ଦଳ ପକ୍ଷରୁ ଓପନର ଯଶସ୍ୱୀ ଜୈସୱାଲ ସର୍ବାଧିକ ୧୧୬ (୧୨୧ ବଲ୍, ୧୨ ଚୌକା ଓ ୨ ଛକା) ରନ୍ କରିଥିବା ବେଳେ ରୋହିତ ଶର୍ମା ୭୫ (୭୩ ବଲ୍, ୭ ଚୌକା ଓ ୩ ଛକା) ରନ୍ କରିଥିଲେ। ବିରାଟ କୋହଲି ୪୫ ବଲ୍ରୁ ୬୫ ରନ୍ (୬ ଚୌକା ଓ ୩ ଛକା) କରିଥିଲେ। ଜୈସୱାଲ ଓ ବିରାଟ ଅପରାଜିତ ରହି ମ୍ୟାଚ୍କୁ ଜିତାଇଥିଲେ। ଆଜିର ମ୍ୟାଚ୍କୁ ମିଶାଇ ମାତ୍ର ୩ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଜୈସୱାଲ ଆଜି ତାଙ୍କର ପ୍ରଥମ ଦିନିକିଆ ଶତକ ମାରିଥିଲେ। ଏହି ଶତକୀୟ ଇନିଂସ ପାଇଁ ତାଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ପ୍ରଥମ ଦୁଇଟି ମ୍ୟାଚ୍ରେ ଶତକ ଓ ତଥା ଆଜି ଅର୍ଦ୍ଧଶତକ କରିଥିବା ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ ଦ ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜି ଦକ୍ଷିଣ ଆଫ୍ରିକା ପକ୍ଷରୁ କେବଳ କେଶବ ମହାରାଜଙ୍କୁ ଗୋଟିଏ ୱିକେଟ ମିଳିଥିଲା।
ଅନ୍ୟପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳକୁ ପ୍ରଥମ ଓଭରରେ ହିଁ ମିଳିଥିଲା ପ୍ରଥମ ସଫଳତା। ପ୍ରଥମ ଓଭରରେ ପଞ୍ଜମ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ରିୟାନ ରିକେଲଟନ। ଅର୍ଶଦୀପଙ୍କ ବଲ୍ରେ କେଏଲ ରାହୁଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ସେ। ଖାତା ଖୋଲି ନପାରି ପ୍ୟାଭିଲିୟନକୁ ଫେରିଯାଇଥିଲେ ସେ।
କିନ୍ତୁ ତା’ପରେ ଡି’କକ୍ ଓ ଅଧିନାୟକ ତେମ୍ବା ବଭୂମାଙ୍କ ଯୋଡ଼ି କ୍ରିଜ୍ରେ ଜମି ଯାଇଥିଲେ। ଏହି ଯୋଡ଼ି ଭାଙ୍ଗିଥିଲା ୨୦.୬ ଓଭରରେ। ଆଉଟ୍ ହୋଇଥିଲେ ଅଧିନାୟକ ତେମ୍ବା ବଭୂମା। ସେ ୬୭ଟି ବଲ୍ରୁ ୫ଟି ଚୌକା ସହାୟତାରେ ୪୮ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲ୍ରେ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ଅଧିନାୟକ ଆଉଟ୍ ହେବା ସତ୍ତ୍ୱେ ଡି’କକ୍ ଧୈର୍ଯ୍ୟର ସହିତ ତାଙ୍କର ଖେଳ ଜାରି ରଖିଥିଲେ। ତାଙ୍କୁ ବେଶ୍ ସହଯୋଗ କରିଥିଲେ ମାଥ୍ୟୁ ବ୍ରେଟଜକେ। ଏହି ଯୋଡ଼ି ଦଳୀୟ ସ୍କୋରକୁ ୧୬୮ ରନ୍ରେ ପହଞ୍ଚାଇଥିବା ବେଳେ ୨୮.୨ ଓଭରରେ ଆଉଟ ହୋଇଥିଲେ ବ୍ରେଟଜକେ। ସେ ୨୩ଟି ବଲ୍ରୁ ୨୪ ରନ୍ କରିଥିଲେ। ପ୍ରସିଦ୍ଧ କୃଷ୍ଣଙ୍କ ଦ୍ୱାରା ସେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ଏହି ୱିକେଟ ସହିତ ଖେଳ ବଦଳି ଯାଇଥିଲା। ଦକ୍ଷିଣ ଆଫ୍ରିକା ଚାପଗ୍ରସ୍ତ ହୋଇଯାଇଥିଲା ଓ ଭାରତ ହାତକୁ ମ୍ୟାଚ୍ ଚାଲିଯାଇଥିଲା।
୨୮.୨ ଓଭରରେ ବ୍ରେଟଜକେଙ୍କୁ ଏଲ୍ବିଡବ୍ଲ୍ୟୁ କରିବା ପରେ ସେହି ଓଭରର ଶେଷ ବଲ୍ରେ ଏଡେନ ମାର୍କରମଙ୍କୁ ଆଉଟ୍ କରିଥିଲେ ପ୍ରସିଦ୍ଧ କୃଷ୍ଣ। ତାଙ୍କ ବଲରେ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ମାର୍କରମ। ସେ ମାତ୍ର ୧ ରନ୍ କରିଥିଲେ।
୧୦୬ (୮୯ ବଲ୍, ୮ ଚୌକା ଓ ୬ ଛକା) ରନ୍ କରିଥିବା ବେଳେ ୩୨.୫ ଓଭରରେ ପ୍ରସିଦ୍ଧ କୃଷ୍ଣଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ ଡି’କକ୍। ସେ ଆଉଟ୍ ହେବା ପରେ ୫ ଓଭର ଧରି ସ୍ଥିତିକୁ ସମ୍ଭାଳିଥିଲେ ଡେୱାଲ୍ଡ ବ୍ରେବିସ ଓ ମାର୍କୋ ଜାନସେନ। କିନ୍ତୁ କୁଲଦୀପ ଯାଦବଙ୍କ ଗୋଟିଏ ଓଭରରେ ଉଭୟେ ଆଉଟ୍ ହୋଇଥିଲେ। ୩୮.୧ ଓଭରରେ କୁଲଦୀପ ଯାଦବଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ବ୍ରେବିସ। ସେହି ଓଭରର ତୃତୀୟ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ମାର୍କୋ ଜାନସେନ। ପରେ ପରେ କୋର୍ବିନ ବଚ (୯) ଓ ଲୁଙ୍ଗି ଏନଗିଡିଙ୍କ ୱିକେଟ ନେଇଥିଲେ କୁଲଦୀପ। ୪୭.୫ ଓଭରରେ ଓଟନୀଲ ବାର୍ଟମ୍ୟାନଙ୍କ ୱିକେଟ୍ ନେଇ ନିଜର ଚତୁର୍ଥ ୱିକେଟ୍ ହାସଲ କରିଥିଲେ ଗତ ମ୍ୟାଚ୍ ପାଇଁ ସମାଲୋଚନାର ଶିକାର ହୋଇଥିବା ପ୍ରସିଦ୍ଧ କୃଷ୍ଣ।
ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ପ୍ରସିଦ୍ଧ କୃଷ୍ଣ ୪ଟି ଲେଖାଏ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
