Advertisment

ମହିଳା ଲଙ୍ଗ୍ ଜମ୍ପ ଓ ମିକ୍ସଡ ରିଲେରେ ଭାରତକୁ ରୌପ୍ୟ, ପଦକ ସଂଖ୍ୟା ୬୦ ଛୁଇଁଲା

ଭାରତ ପାଇଥିବା ୬୦ଟି ପଦକ ମଧ୍ୟରେ ରହିଛି ୧୩ଟି ସ୍ୱର୍ଣ୍ଣ ପଦକ।

author-image
Jitendra Garnayak
Ancy Sojan

Ancy Sojan

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା (Asian Games)ରେ ମହିଳା ଲଙ୍ଗ ଜମ୍ପରେ ରୌପ୍ୟ ପଦକ ଜିତିଛି ଭାରତ। ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ଆନ୍‌ସୀ ସୋଜନ। ସେ ୬.୬୩ ମିଟର ଡେଇଁ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଚୀନର ଜିଓଙ୍ଗ ଶିକି ୬.୭୩ ମିଟର ଡେଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିରେ ଭାରତର ଶୈଲି ସିଂହ ୬.୪୮ ମିଟର ଡେଇଁ ୫ମ ସ୍ଥାନରେ ରହିଥିଲେ।

Advertisment

ସେହିପରି ମିକ୍ସଡ ୪ ଗୁଣା ୪୦୦ ମିଟର ରିଲେରେ ଭାରତ ଜିତିଛି ରୌପ୍ୟ ପଦକ। ମହମ୍ମଦ ଆଜମଲ, ବିଥ୍ୟା ରାମରାଜ, ରାଜେଶ ରମେଶ ଓ ଶୁଭା ଭେଙ୍ଗଟେସନ ଏହି ପଦକ ଜିତିଛନ୍ତି। ସେମାନେ ୩:୧୪.୩୪ ମିନିଟ୍‌ରେ ଧାର୍ଯ୍ୟ ଦୂରତା ଅତିକ୍ରମ କରିଥିଲେ।

ଭାରତ ଏହି ଇଭେଣ୍ଟରେ ପ୍ରଥମେ ବ୍ରୋଞ୍ଜ ପଦକ ଜିତିଥିଲା। ହେଲେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାତେଇଥିବା ଶ୍ରୀଲଙ୍କା ଅଯୋଗ୍ୟ ଘୋଷିତ ହୋଇଯିବାରୁ ଭାରତକୁ ରୌପ୍ୟ ପଦକ ମିଳିଛି। ଶ୍ରୀଲଙ୍କାର ଖେଳାଳି ଟ୍ରାକ୍‌ ବଦଳାଇ ଦେଇଥିବାରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

Advertisment

ଏହା ସହିତ ଚଳିତ ଏସୀୟ କ୍ରୀଡ଼ାରେ ଏଯାବତ ଭାରତ ୬୦ଟି ପଦକ ଜିତିଛି। ତା’ ମଧ୍ୟରେ ୧୩ଟି ସ୍ୱର୍ଣ୍ଣ ପଦକ ଥିବା ବେଳେ ୨୪ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି। 

Asian Games Asian Games 2023 19th Asian Games