/odisha-reporter/media/post_attachments/uploadimage/library/16_9/16_9_0/Kabadi_1696416859.jpg)
Kabadi
ଏସିଆ ଗେମ୍ସରେ ଭାରତର ଉଭୟ ପୁରୁଷ ଓ ମହିଳା କବାଡି ଟିମ ସେମାନଙ୍କ ଜଲୱା ଦେଖାଇ ଚାଲିଛନ୍ତି। ଆଜି ଉଭୟ ପୁରୁଷ ଓ ମହିଳା ଟିମ ନିଜ ନିଜର ମ୍ୟାଚ୍କୁ ଏକତରଫା ଭାବେ ଜିତି ନେଇଛନ୍ତି। ଉଭୟ ଟିମ ଥାଇଲ୍ୟାଣ୍ଡକୁ ହରାଇଛନ୍ତି। ମହିଳା ଟିମ ଥାଇଲ୍ୟାଣ୍ଡକୁ ହରାଇବା କ୍ଷଣି ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ଦେଶ ପାଇଁ ପଦକ ପକ୍କା କରିଛି।
ଆଜି ଭାରତୀୟ ମହିଳା କବାଡି ଟିମ ୫୪-୨୨ରେ ଥାଇଲ୍ୟାଣ୍ଡକୁ ହରାଇ ଦେଶ ପାଇଁ ପଦକ ନିଶ୍ଚିତ କରିଛି। ୨୦୧୮ରେ ମହିଳା ଟିମକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏଥର ଦଳ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛି।
୨୦୧୦ ଓ ୨୦୧୪ ଏସିଆନ ଗେମ୍ସରେ ଭାରତୀୟ ମହିଳା କବାଡି ଟିମ ସ୍ୱର୍ଣ୍ଣ ପଦକ ଜିତିଥିଲା। ଚଳିତ ଏସିଆ ଗେମ୍ସରେ ଦଳ ପ୍ରଥମ ମ୍ୟାଚ୍କୁ ଚାଇନିଜ ତାଇପେଇ ସହ ୩୪-୩୪ରେ ଡ୍ର ରଖିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ କୋରିଆରକୁ ହରାଇଥିଲା। ଆଜି ଦଳ ଥାଇଲ୍ୟାଣ୍ତକୁ ହରାଇଛି। ଗ୍ରୁପ ପର୍ଯ୍ୟାୟରେ ୩ ମ୍ୟାଚ୍ରୁ ୫ ପଏଣ୍ଟ ପାଇଁ ଭାରତୀୟ ଟିମ ସେମିରେ ପ୍ରବେଶ କରିଛି।
ଗ୍ରୁପ ବି’ରେ ଡିଫେଣ୍ଡିଂ ଚାମ୍ପିୟନ ଇରାନ ଟପରେ ଥିବା ବେଳେ ନେପାଳ ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଭାରତର ମୁକାବିଲା ସେମିରେ ନେପାଳ ସହ ହେବ। ଏହି ମ୍ୟାଚ୍ ଶୁକ୍ରବାର ଖେଳାଯିବ।
ଅନ୍ୟପକ୍ଷରେ ଭାରତର ପୁରୁଷ କବାଡି ଟିମ ବୃହତ୍ତ ୩୭ ପଏଣ୍ଟ ବ୍ୟବଧାନରେ ଥାଇଲ୍ୟାଣ୍ଡକୁ ହରାଇଛି। ଏହି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ର ଆରମ୍ଭରୁ ଶେଷ ଯାଏ ଭାରତୀୟ ଟିମର ଜଲୱା ଦେଖିବାକୁ ମିଳିଥିଲା। ଶେଷରେ ଦଳ ମ୍ୟାଚ୍କୁ ୬୩-୨୬ ପଏଣ୍ଟରେ ଜିତି ନେଇଛନ୍ତି।
ଏଯାଏ ୭ଥର ଏସିଆ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତ ଚଳିତ ଥର ବାଂଲାଦେଶ ବିପକ୍ଷରୁ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଦଳ ଆଜି ଥାଇଲ୍ୟାଣ୍ଡକୁ ହରାଇ ଗ୍ରୁପ ଟପ୍ପର ହୋଇ ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
