Olympics Games in India
ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ୨୦୩୬ ଆୟୋଜନ କରିବା ଦିଗରେ ଆଉ ପାଦେ ଆଗେଇଲା ଭାରତୀୟ ଅଲିମ୍ପିକ୍ ସଂଘ (IOA)। ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଅକ୍ଟୋବର ୧ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟକୁ ଏନେଇ ଏକ ଚିଠି ପଠାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ୨୦୩୬ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଭାରତରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସ୍ୱାଧୀନତା ଦିବସ ପାଳନ ଅବସରରେ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇଥିବା ଆଥଲେଟମାନଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ସେମାନଙ୍କୁ ଭାରତରେ ଅଲିମ୍ପିକ୍ସ ୨୦୩୬ ଆୟୋଜନ ପ୍ରସ୍ତୁତି ପାଇଁ ନିଜ ନିଜର ଅଭିଜ୍ଞତା କହିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।
ଅଲିମ୍ପିକ୍ ଗେମ୍ସ ୨୦୩୬ ଆୟୋଜନ କରିବାକୁ ଭାରତ ସମେତ ୧୦ ଦେଶ ପ୍ରାରମ୍ଭିକ ଆଗ୍ରହ ଦେଖାଇଛନ୍ତି। ଏହି ଦେଶ ଗୁଡ଼ିକ ମଧ୍ୟରେ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ, ପୋଲାଣ୍ଡ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ମଧ୍ୟ ରହିଛନ୍ତି। ଅଲିମ୍ପିକ୍ସ ଆୟୋଜନ ଅଧିକାର ବଣ୍ଟନ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଦ୍ୱାରା ଏକ ବିସ୍ତୃତ ହୋଷ୍ଟ ଚୟନ ପ୍ରକ୍ରିୟା ମାଧ୍ୟମରେ କରାଯିବ। ଆଇଓସିର ଏକ ଉତ୍ସର୍ଗୀକୃତ ବିଭାଗ ହେଉଛି ଭବିଷ୍ୟତ ହୋଷ୍ଟ କମିଶନ (Future Host Commission), ଯାହା ଏହି ପ୍ରସଙ୍ଗରେ କାର୍ଯ୍ୟ କରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
