ଗାବାରେ ଚମକିଲେ ବୁମ୍ରା; ଭାଙ୍ଗିଲେ ଏକାଧିକ ରେକର୍ଡ

୫ ୱିକେଟ ସଫଳତା ହାସଲ କରି କପିଲ ଦେବଙ୍କୁ ପଛରେ ପକାଇଲେ ବୁମ୍ରା। ଅନୀଲ କୁମ୍ବଲେଙ୍କ ରେକର୍ଡ ବି ସଂକଟରେ।

ଜସପ୍ରୀତ ବୁମ୍ରା

  • Published: Sunday, 15 December 2024
  • , Updated: 15 December 2024, 05:01 PM IST

ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ବ୍ୟାକଫୁଟରେ ଭାରତ, ହେଲେ ଚମକିଲେ ବୁମ୍ରା। ଦ୍ୱିତୀୟ ଦିବସରେ ଶତକୀୟ ପାଳି ଖେଳି ଟ୍ରାଭିସ ହେଡ୍ ଓ ଷ୍ଟିଭେନ ସ୍ମିଥ ଅଷ୍ଟ୍ରେଲିଆକୁ ଡ୍ରାଇଭିଂ ସିଟକୁ ନେଇଛନ୍ତି ସତ। ହେଲେ ୫ ୱିକେଟ ସଫଳତା ହାସଲ କରି ବୁମ୍ରା ରଚିଛନ୍ତି ଇତିହାସ। ଚିରାଚରିତ ଭାବେ ଟିମ ଇଣ୍ଡିଆ ପାଇଁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଏକ ରେକର୍ଡକୁ ପଛରେ ପକାଇଛନ୍ତି ବୁମ୍ରା।

ରବିବାର ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଟ୍ରାଭିସ୍ ହେଡ୍ ଓ ଷ୍ଟିଭ୍ ସ୍ମିଥଙ୍କ ଶତକୀୟ ପାଳି ଆଗରେ ଭାରତୀୟ ବୋଲିଂ ପ୍ରଦର୍ଶନ ଫିକା ପଡ଼ିଥିଲା। ହେଲେ ଭାରତ ପକ୍ଷରୁ ୱାନ୍ ମ୍ୟାନ୍ ଶୋ ଦେଖାଇଥିଲେ ବୁମ୍ରା। ଗୋଟିଏ ପଟେ ଅନ୍ୟ ଭାରତୀୟ ବୋଲରମାନେ ରନ ରୋକିବାକୁ ସଂଘର୍ଷ କରୁଥିବାବେଳେ ବୁମ୍ରା ଏକାକୀ ୫ଟି ୱିକେଟ ଅକ୍ତିଆର କରିଥିଲେ। ସେ ଯଥାକ୍ରମେ ଖାୱାଜା, ନାଥାନ୍, ସ୍ମିଥ୍, ହେଡ୍, ଏବଂ ମାର୍ଶଙ୍କ ଭଳି ବ୍ୟାଟରଙ୍କୁ ପାଭିଲିୟନ ଫେରାଇଥିଲେ। ଏହା ସେନା ଦେଶରେ ବୁମ୍ରାଙ୍କ ଅଷ୍ଟମ ୫ ୱିକେଟ ସଫଳତା।

ଏହି ସଫଳତା ସହ ସେ SENA(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ସର୍ବାଧିକ ଥର ୫ ୱିକେଟ ସଫଳତା ହସଲ କରିଥିବା ଭାରତୀୟ ବୋଲର ହୋଇପାରିଛନ୍ତି। ବୁମ୍ରାଙ୍କ ପୂର୍ବରୁ ଏହି ରେକର୍ଡ ଭାରତର ପୂର୍ବତନ କ୍ରିକେଟ ଲିଜେଣ୍ଡ କପିଲ ଦେବଙ୍କ ନାଁରେ ରହିଥିଲା। କପିଲ ଦେବ ସେନା ଦେଶରେ ୭ଥର ୫ ୱିକେଟ ସଫଳତା ହସଲ କରିଥିଲେ। ଏହି ତାଲିକାରେ ତୃତୀୟରେ ରହିଛନ୍ତି ଜାହିର ଖାନ (୬ଥର) ଓ ଚତୁର୍ଥରେ ରହିଛନ୍ତି ବି.ଚନ୍ଦ୍ରଶେଖର (୬ଥର)।

SENA ଦେଶରେ ସର୍ବାଧିକ ୫ ୱିକେଟ ସଫଳତା ହସଲ କରିଥିବା ଭାରତୀୟ ବୋଲର (ଟେଷ୍ଟରେ)

  • ଜସପ୍ରୀତ ବୁମ୍ରା- ୮ଥର
  • କପିଲ ଦେବ- ୭ଥର
  • ଜାହିର ଖାନ- ୬ଥର
  • ବି.ଚନ୍ଦ୍ରଶେଖର- ୬ଥର

ବିଦେଶ ମାଟିରେ ସର୍ବାଧିକ ୫ ୱିକେଟ ସଫଳତା ହସଲ କରିଥିବା ଭାରତୀୟ ବୋଲର (ଟେଷ୍ଟରେ)

  • କପିଲ ଦେବ- ୧୨
  • ଜସପ୍ରୀତ ବୁମ୍ରା- ୧୦*
  • ଅନୀଲ କୁମ୍ବଲେ- ୧୦
  • ଈଶାନ୍ତ ଶର୍ମା- ୯
  • ଭଗବତ ଚନ୍ଦ୍ରଶେଖର- ୮
  • ରବିଚନ୍ଦ୍ରନ ଅଶ୍ୱୀନ- ୮

ଟେଷ୍ଟରେ ସର୍ବାଧିକ ୫ ୱିକେଟ ସଫଳତା ହସଲ କରିଥିବା ଭାରତୀୟ ଦ୍ରୁତ ବୋଲର

  • କପିଲ ଦେବ- ୨୩
  • ଜସପ୍ରୀତ ବୁମ୍ରା- ୧୨*
  • ଜାହିର ଖାନ- ୧୧
  • ଈଶାନ୍ତ ଶର୍ମା- ୧୧
  • ଜବାଗଲ ଶ୍ରୀନାଥ- ୧୦

Related story