/odisha-reporter/media/media_files/2025/09/30/rinku-2025-09-30-13-39-53.jpg)
ରିଙ୍କୁ ହୁଡା
ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତର ରିଙ୍କୁ ହୁଡା। ସେ ଭାରତର ଅନ୍ୟତମ ପାରା ଆଥଲେଟ ତଥା ବିଶ୍ୱ ରେକର୍ଡଧାରୀ ସୁନ୍ଦର ସିଂହ ଗୁରଜରଙ୍କୁ ପଛରେ ପକାଇ ଦେଇଛନ୍ତି। ଭାରତ ପାଇଁ ରିଙ୍କୁ ସ୍ୱର୍ଣ୍ଣ ଜିତି ଥିବା ବେଳେ ଗୁରଜର ରୌପ୍ୟ ପଦକ ହାସଲ କରିଛନ୍ତି। ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପର ଏଫ ୪୬ ବର୍ଗରେ ରିଙ୍କୁ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।
ରିଙ୍କୁ ୬୬.୩୭ ମିଟର ଦୂରକୁ ଜାଭେଲିନ(Javelin Throw) ଫିଙ୍ଗି ବିଶ୍ୱ ଚାମ୍ପିୟନଶିପ ଟାଇଟଲ ହାତେଇଛନ୍ତି। ଗୁରଜର ୬୪.୭୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବାରୁ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ଏହି ଇଭେଣ୍ଟରେ ଆଉ ଜଣେ ଭାରତୀୟ ଅଜିତ ସିଂହ ମଧ୍ୟ ଭାଗ ନେଇଥିଲେ। ସେ ୬୧.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବାରୁ ତାଙ୍କୁ ୪ର୍ଥ ସ୍ଥାନରେ ରହିବାକୁ ପଡ଼ିଛି। କ୍ୟୁବାର ଗୁଇଲ୍ଲେରମୋ ବାରୋନା ଗୋଞ୍ଜାଲେଜ ୬୩.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ବ୍ରୋଞ୍ଜ ପଦକ ଜିତିଛନ୍ତି।
ଏଫ ୪୬ କ୍ଲାସିଫିକେସନରେ ଭାଗ ନେଉଥିବା ଆଥଲେଟମାନଙ୍କ ବାହୁରେ ସାଧାରଣତଃ ସମସ୍ୟା ରହିଥାଏ। ସେମାନଙ୍କ ବାହୁର ମାଂସପେଶୀ ଅକାମୀ ହୋଇଥାଏ।
ରିଙ୍କୁ ଓ ଗୁରଜର ଆଜି ଭାରତ ପାଇଁ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ଜିତିବାରୁ ଭାରତର ପଦକ ସଂଖ୍ୟାରେ ବୃଦ୍ଧି ଘଟିଛି।
ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ଜବାହର ଲାଲ ନେହରୁ ଷ୍ଟାଡିୟମରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ଦୁଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି। ୫ ପଦକ ସହ ଭାରତ ପଦକ ତାଲିକାର ୬ଷ୍ଠ ସ୍ଥାନକୁ ଉଠିଛି। ଭାରତ ଉପରେ ଚାଇନା, ବ୍ରାଜିଲ, ପୋଲାଣ୍ଡ, ସ୍ୱିଜରଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡ୍ସ ରହିଛନ୍ତି। ରିଙ୍କୁଙ୍କ ପୂର୍ବରୁ ତୀରନ୍ଦାଜୀ ବର୍ଗରେ ଶୀତଳ ଦେବୀ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ।
ଆଜି ସ୍ୱର୍ଣ୍ଣ ଜିତିବା ପରେ ରିଙ୍କୁ ସିଂହ କହିଛନ୍ତି, “ଭାରତରେ ଏହା ମୋର ପ୍ରଥମ ପ୍ରତିଯୋଗିତା। ପଡ଼ିଆରେ ମୋ ଭାବନା ବେଶ ଭଲ ରହିଥିଲା। ଆଜି ମୋର ଦିନ ଥିଲା। ତେଣୁ ସବୁ କିଛି ମୋ ସପକ୍ଷରେ ଯାଇଛି। ମୁଁ ଯାହା କରିଛି, ସେସବୁ ମୋ ପାଇଁ ନୂଆ ଅଭିଜ୍ଞତା।”
Para Athletics, World Championships: Rinku Hooda! what a story! Years of disappointment of not being able to win🥇at the WChs (won🥈couple of times) & Paralympics (placed 5th in 2016 & 2024), he's crowned World champion in JT (F46 cat) in New Delhi!
— Vishank Razdan (@VishankRazdan) September 29, 2025
Well done Rinku!!!
👏🇮🇳🥇 pic.twitter.com/ONM09ArqWH
ହରିୟାଣାର ରୋହତକ ଅନ୍ତର୍ଗତ ଧାମାର ଗାଁରେ ଜନ୍ମ ଗ୍ରହଣ କରିଥିବା ରିଙ୍କୁଙ୍କ ବାମ ହାତ ବାହୁ ପାଖରୁ ନାହିଁ। ତାଙ୍କୁ ମାତ୍ର ୩ ବର୍ଷ ହୋଇଥିବା ବେଳେ ଧାନ କଟା ମେସିନରେ ତାଙ୍କ ବାମହାତ ବାହୁ ପାଖରୁ ସଂପୂର୍ଣ୍ଣ କଟି ଯାଇଥିଲା। ଘଟଣା ସମ୍ପର୍କରେ ରିଙ୍କୁ ହୁଡାଙ୍କ ମନେ ନାହିଁ। ହେଲେ ତାଙ୍କୁ ୮ ବର୍ଷ ହେବା ପରେ ପରିବାର ଲୋକ ଘଟଣା ସମ୍ପର୍କରେ ସବୁ କଥା କହିଥିଲେ।
ରିଙ୍କୁ ଗୋଟିଏ ହାତରେ ଜାଭେଲିନ ଥ୍ରୋ ଅଭ୍ୟାସ କରିବା ସହ ଦେଶ ପାଇଁ ପାରା କ୍ରୀଡ଼ାରେ ଭାଗ ନେବା ଆରମ୍ଭ କରିଥିଲେ। ଆଜିର ସ୍ୱର୍ଣ୍ଣ ପୂର୍ବରୁ ସେ ୨୦୧୮ ଏସିଆନ ପାରା ଗେମ୍ସରେ ଭାରତ ପାଇଁ ବ୍ରୋଞ୍ଜ ଓ ୨୦୨୩ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ଏବଂ ୨୦୨୩ ଏସିଆନ ପାରା ଗେମ୍ସରେ ରୌପ୍ୟ ପଦକ ଜିତିବାକୁ ସକ୍ଷମ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
