ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ପାଇଁ ଏସିଆନ୍ ଗେମ୍ସରେ ୧୨ ଜଣ ଓଡ଼ିଆ ପ୍ରତିନିଧିତ୍ୱ କରୁଛନ୍ତି। ଆଥଲେଟିକ୍ସ, ହକି , ବ୍ୟାଡ୍ମିଣ୍ଟନ, ଜିମ୍ନାଷ୍ଟିକ୍ସ ଓ ନୌଚାଳନାରେ ଓଡ଼ିଶାର ୯ଜଣ ମହିଳା ଏବଂ ୩ ଜଣ ପୁରୁଷ ଖେଳାଳି ଅଂଶ ଗ୍ରହଣ କରିବେ। ସେମାନଙ୍କଠାରୁ ସାରା ଦେଶ ବିଶେଷ କରି ଓଡ଼ିଶାବାସୀ ମେଡାଲର ଆଶା ରଖିଛନ୍ତି।
ଓଡ଼ିଆ ଧାବିକା ଦୂତି ଚାନ୍ଦ ୧୦୦ ମିଟର ଓ ୪ ଗୁଣା ଶହେ ମିଟର ରିଲେରେ ଭାଗ ନେଉଛନ୍ତି। ତାଙ୍କଠାରୁ ସମସ୍ତେ ମେଡାଲ୍ ଆଶା ରଖିଛନ୍ତି।
୪ଶହ ମିଟର ଦୌଡ଼ ଇଭେଣ୍ଟରେ ଜଉନା ମୁର୍ମ ଏବଂ ହେପଟାଥଲେନ ଇଭେଣ୍ଟରେ ପୂର୍ଣ୍ଣିମା ହେମ୍ବ୍ରମ୍ଙ୍କ ଠାରୁ ମଧ୍ୟ ଦେଶବାସୀ ମେଡାଲ ଆଶା ରଖିଛନ୍ତି।
ଏସିଆନ୍ ଗେମ୍ସରେ ଓଡ଼ିଶାର ପ୍ରଥମ ମହିଳା ବ୍ୟାଡମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ସିକି ରେଡ୍ଡୀଙ୍କ ସହ ମିଶି ମହିଳା ଡବଲ୍ସ ଇଭେଣ୍ଟରେ ମେଡାଲ ପାଇଁ ଲଢ଼େଇ କରିବେ।
ଭାରତୀୟ ହକି ଟିମ୍ର ଉଭୟ ପୁରୁଷ ଓ ମହିଳା ଦଳରେ ଏକାଧିକ ଓଡ଼ିଆ ରହିଛନ୍ତି। ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ରହିଛନ୍ତି। ସେହିପରି ମହିଳା ଦଳରେ ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଏବଂ ସୁନୀତା ଲାକ୍ରା ରହିଛନ୍ତି।
ସେହିପରି ଜିମ୍ନାଷ୍ଟିକ୍ସରେ ରାକେଶ ପାତ୍ର ଏବଂ ନୌଚାଳନାରେ ସଂଯୁକ୍ତା ଡୁଙ୍ଗଡୁଙ୍ଗ ମଧ୍ୟ ଦେଶ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି।