ଭାରତୀୟ ଫୁଟବଲ ଟିମ
ଅଢ଼େଇ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ କୌଣସି ହିଂସା ନୁହେଁ, ବରଂ ସଫଳତା ପାଇଁ କୁକି-ମୈତୈ ଚର୍ଚ୍ଚାକୁ ଆସିଛନ୍ତି। ସଂଘର୍ଷଗ୍ରସ୍ତ ମଣିପୁରରେ କୁକି-ମୈତୈ ସମ୍ପର୍କ କାହାକୁ ବି ଅଛପା ନାହିଁ। ଦୁଇ ସଂପ୍ରଦାୟ ମଧ୍ୟରେ ଅଢ଼େଇ ବର୍ଷ ତଳେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ମଣିପୁର(Manipur)କୁ ଅଶାନ୍ତ କରିଥିଲା। ହେଲେ ପ୍ରଥମଥର ପାଇଁ କୁକି-ମୈତୈ ଯୋଡ଼ିଙ୍କ କାରଣରୁ ଭାରତକୁ ଫୁଟବଲରେ ମିଳିତ ଐତିହାସିକ ସଫଳତା।
ରବିବାର ରାତିରେ ଭାରତର ଅଣ୍ଡର ୧୭ ଫୁଟବଲ ଟିମ ଇତିହାସ ରଚିବା ସହ ଏସିଆର ସର୍ବଶ୍ରେଷ୍ଠ ଟିମ ଇରାନକୁ ୨-୧ରେ ହରାଇ ଦେଇଥିଲା। ଏଏଫସି ଅଣ୍ଡର ୧୭ ଏସିଆ କପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟର ଫାଇନାଲରେ ଭାରତୀୟ ଫୁଟବଲ ଟିମ ଏପରି ଇତିହାସ ସୃଷ୍ଟି କରିଥିଲା। ଅହମଦାବାଦର ଇକେଏ ଏରିନାରେ ବିଜୟୀ ହୋଇ ଭାରତର ଅଣ୍ଡର ୧୭ ଫୁଟବଲ(Football) ଟିମ ଆସନ୍ତା ବର୍ଷ ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ସ ପାଇଁ ଯୋଗ୍ୟତା ମଧ୍ୟ ଅର୍ଜନ କରିଛି।
ଭାରତ ଏପରି ଐତିହାସିକ ସଫଳତା ପାଇଥିବା ବେଳେ ଇରାନକୁ ଚକିତ କରିବା ଭଳି ଦୁଇଟି ଗୋଲ ମଣିପୁରର ଦୁଇ ଷ୍ଟାରଙ୍କ ପାଖରୁ ଆସିଥିଲା। ଜଣେ କୁକି(Kuki) ସଂପ୍ରଦାୟର ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ମୈତୈ(Meitei Group) ସଂପ୍ରଦାୟର। କୁକି-ମୈତୈ ଯୋଡ଼ି ଭାରତକୁ ଆଣି ଦେଇଛନ୍ତି ଐତିହାସିକ ସଫଳତା।
ମ୍ୟାଚର ୧୯ତମ ମିନିଟରେ ଇରାନ ଗୋଲ ସ୍କୋର କରି ୧-୦ରେ ଆଗୁଆ ହୋଇଯାଇଥିଲା। ହେଲେ ହାଫ ଟାଇମର ଠିକ ପୂର୍ବରୁ ଡାଲ୍ଲାଲମୁଅନ ଗାଙ୍ଗେଟ ଭାରତ ପାଇଁ ଗୋଲ ଦେଇ ସ୍ଥିତିକୁ ୧-୧ କରି ଦେଇଥିଲେ। ଏହାପରେ ଟିମର ଫରୱାର୍ଡ ଖେଳାଳି ଗୁନଲେଇବା ୱାଙ୍ଗଖେଇରାକପାମ ଭାରତ ପାଇଁ ଦେଇଥିଲେ ବିଜୟ ଗୋଲ। ସେ କାଉଣ୍ଟର ଆଟାକରେ କରିଥିବା ଗୋଲ ଭାରତକୁ ୨-୧ ସ୍ଥିତିକୁ ଆଣି ଦେଇଥିଲା। ଏହି ଗୋଲ ଯୋଗୁ ଭାରତ ବିଜୟ ସହ ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ମଧ୍ୟ ଅର୍ଜନ କରିଥିଲା।
ଏବେ ମଣିପୁରକୁ ଫେରନ୍ତୁ। ୨୦୨୩ ମେ’ ମାସରୁ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ୬୦ ହଜାର ଲୋକ ବାସହରା ହୋଇଛନ୍ତି। ସେହିପରି ୨୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। କୁକି-ମୈତୈଙ୍କ ସଂଘର୍ଷ ଯୋଗୁ ଏପରି ଘଟଣା ଘଟିଛି।
ମଣିପୁର ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେଉଥିଲେ ହେଁ ଏବେ ବି ଚାପା ଉତ୍ତେଜନା ରହିଛି। ଭାରତର ବିଜୟ ପରେ ମୈତୈ ସଂପ୍ରଦାୟର ଲୋକମାନେ ତାଙ୍କ ପିଲାଙ୍କୁ ପ୍ରଶଂସା କରିଛନ୍ତି। କୁକି ସଂପ୍ରଦାୟ ମଧ୍ୟ ନିଜ ଖେଳାଳିଙ୍କ ପାଇଁ ଉତ୍ସବ ପାଳିଛି। ସେମାନେ ପୃଥକ ପୃଥକ ଉତ୍ସବ ପାଳିଥିଲେ ହେଁ ଉଭୟ ଭାରତ ପାଇଁ ହିଁ ଗୋଲ କରିଛନ୍ତି। କିଛି ଆକାଉଉଣ୍ଟ ଏପରି ପୃଥକ କଥାକୁ ଉଠାଇ ନଥିବା ବେଳେ ସେମାନେ ଶାନ୍ତି ପ୍ରତିଷ୍ଠାର ଆଶା ମଧ୍ୟ କରିଛନ୍ତି।
ସର୍ବ ଭାରତୀୟ ଫୁଟବଲ ମହାସଂଘ ଘୋଷଣା କରିଥିବା ୨୩ ଜଣିଆ ସ୍କ୍ୱାଡରେ ମଣିପୁରର ୯ ଜଣ ଖେଳାଳି ରହିଛନ୍ତି। ଏମାନଙ୍କ ମଧ୍ୟରେ ୭ ଜଣ ମୈତୈ ଓ ୨ ଜଣ କୁକି ସଂପ୍ରଦାୟର ପିଲା ଅଛନ୍ତି।
ରବିବାର ସଫଳତା ପରେ ଭାରତ ଗତ ୨୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏଏଫସି ଅଣ୍ଡର ୧୭ ଏସିଆ କପ ଫାଇନାଲ୍ସକୁ ଯୋଗ୍ୟତା ଅର୍ଜନ କରିଛି। ସାଉଦିରେ ଅନୁଷ୍ଠିତ ଫାଇନାଲ୍ସରେ ଯଦି ଭାରତ ଟପ ୪ରେ ରହିବ, ତା’ହେଲେ ୨୦୨୭ ଫିଫା ଅଣ୍ଡର ୧୭ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ଆଦୌ ସହଜ ନୁହେଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/02/football-2025-12-02-13-56-17.jpg)