Advertisment

ପ୍ରୋ କବାଡି ଲିଗରେ କେହି କିଣିଲେନି, ଅବସର ନେଇ ଗଲେ କିମ୍ବଦନ୍ତୀ ପ୍ରଦୀପ ନରୱାଲ

୨୮ ବର୍ଷୀୟ ପ୍ରଦୀପ ୩ଥର ପ୍ରୋ କାବଡି ଲିଗରେ ଚାମ୍ପିୟନ ହେବାର ଖ୍ୟାତି ଅର୍ଜନ କରିଥିଲେ। ସେ ପିକେଏଲ ଇତିହାସର ଅନ୍ୟତମ ମହାନ ରେଡର ଭାବେ ପରିଚିତ।

author-image
Hemant Lenka
Pradeep

Pradeep

ଡୁବକି କିଙ୍ଗ ଭାବେ ପରିଚିତ ଷ୍ଟାର କବାଡି ଖେଳାଳି ପ୍ରଦୀପ ନରୱାଲ ବେଶ ଭାବବିହ୍ୱଳ ଢଙ୍ଗରେ ଅବସର ଘୋଷଣା କରିଛନ୍ତି। ଭାରତ ପାଇଁ ଏକାଧିକ ବିଶ୍ୱକପ ଓ ଏସିଆନ ଗେମ୍ସ ଖେଳିଥିବା ପ୍ରଦୀପ ପ୍ରୋ କବାଡି ଲିଗର ଅନ୍ୟତମ ଷ୍ଟାର ଖେଳାଳି। ସେ ଏକାକୀ ନିଜ ଟିମକୁ ଜିତାଇବାରେ ସକ୍ଷମ। କିନ୍ତୁ ୨୦୨୫ ପ୍ରୋ କବାଡି ଲିଗ ଅକ୍ସନରେ ପ୍ରଦୀପଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନଥିଲେ। ଏଥିରେ ମର୍ମାହତ ହୋଇ ସେ ନିଜର ପ୍ରିୟ ଖେଳ କବାଡିରୁ ଅବସର ନେଇ ଯାଇଛନ୍ତି।

Advertisment

୨୮ ବର୍ଷୀୟ ପ୍ରଦୀପ ୩ଥର ପ୍ରୋ କାବଡି ଲିଗରେ ଚାମ୍ପିୟନ ହେବାର ଖ୍ୟାତି ଅର୍ଜନ କରିଥିଲେ। ସେ ପିକେଏଲ ଇତିହାସର ଅନ୍ୟତମ ମହାନ ରେଡର ଭାବେ ପରିଚିତ। ତଥାପି ଏଥର ଦୁଇ ଦିନିଆ ଅକ୍ସନ ବେଳେ ତାଙ୍କୁ ସବୁ ପ୍ରାଞ୍ଚାଇଜ ଅଣଦେଖା କରିଥିଲେ। ସେ ୟୁପି ଯୋଦ୍ଧା, ପାଟନା ପାଏରଟ୍ସ ଓ ବେଙ୍ଗାଲୁରୁ ବୁଲ୍ସ ପାଇଁ ପିକେଏଲ ଖେଳିଥିଲେ।

ପ୍ରଥମ ଦିନ ଅନସୋଲ୍ଡ ଯାଇଥିବା ପ୍ରଦୀପଙ୍କୁ ଦ୍ୱିତୀୟ ଦିନରେ ଯେକୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେମିତି କିଛି ବି ହୋଇ ନଥିଲା। ଶେଷରେ ପ୍ରଦୀପଙ୍କ ଭଳି ମହାନ ଖେଳାଳିଙ୍କୁ ନିରାଶ ହେବାକୁ ପଡ଼ିଥିଲା।

Advertisment

ଇନଷ୍ଟାଗ୍ରାମ ଲାଇଭରେ ନରୱାଲ କହିଛନ୍ତି ଯେ ପ୍ରଥମ ଦିନ ବିକ୍ରି ନ ହେବା ପରେ ସେ ଆଦୌ ନିରାଶ ନଥିଲେ। କାରଣ ସେ ଭାବୁଥିଲେ ଯେ ତାଙ୍କୁ ନିଶ୍ଚିତ ଭାବେ କୌଣସି ଦଳ କିଣିବ। ହେଲେ ଦ୍ୱିତୀୟ ଦିନ ତାଙ୍କୁ କେହି ନ କଣିବାରୁ ସେ ସ୍ତବ୍ଧ ହୋଇଯାଇଥିଲେ। ସେ କହିଛନ୍ତି, “ପୂର୍ବରୁ ଯେତେବେଳେ ମୁଁ ପାଟନା ପାଇଁ ଖେଳୁଥିଲି ସେତେବେଳେ ୨୦୦ରୁ ୩୦୦ ପଏଣ୍ଟ ନେଉଥିଲି। ଏବେ ୧୧୧ କିମ୍ବା ୧୧୨ ପଏଣ୍ଟ ଯଥେଷ୍ଟ ହେଉନି। ମୁଁ ସବୁବେଳେ ମ୍ୟାଚ ପିଛା ୧୫ରୁ ୧୬ ପଏଣ୍ଟ ନେବାକୁ ଚାହେଁ। ୩-୪ ପଏଣ୍ଟରେ ମୁଁ ଖୁସି ନୁହେଁ।”

ଡୁବକି କିଙ୍ଗ ଭାବେ ପରିଚିତ ପ୍ରଦୀପ ସ୍ୱୀକାର କରିଛନ୍ତି ଯେ ସମୟକ୍ରମେ ତାଙ୍କ ଦକ୍ଷତା ହ୍ରାସ ପାଇଛି ଓ ତାଙ୍କ ରଣନୀତିକୁ ମାତ ଦେବାକୁ ଡିଫେଣ୍ଡର୍ସ ମଧ୍ୟ ସେହି ଅନୁସାରେ କାମ  କରୁଛନ୍ତି। ପିକେଏଲର ଗତ ସଂସ୍କରଣରେ ବେଙ୍ଗାଲୁରୁ ବୁଲ୍ସ ପାଇଁ ପ୍ରଦୀପ ୧୦୦ରୁ ଅଧିକ ପଏଣ୍ଟ ହାସଲ କରିଥିଲେ। ହେଲେ ଏଥର ତାଙ୍କୁ କେହି କିଣି ନଥିବାରୁ ସେ କବାଡି ଖେଳରୁ ଅବସର ଘୋଷଣା କରିଛନ୍ତି।

ସେ କହିଛନ୍ତି, “କବାଡି ମୋତେ ସବୁ କିଛି ଦେଇଛି। ଯାହା ବି ନାଁ ଓ ସଫଳତା ମିଳିଛି, ସେସବୁ କବାଡି ପାଇଁ। ତାକୁ ନେଇ ମୁଁ ବହୁତ ଖୁସି।” ପ୍ରଦୀପ କବାଡି ଆଉ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ହେଁ ଏବେ କୋଚିଂ ଉପରେ ଫୋକସ କରିବେ ବୋଲି କହିଛନ୍ତି।

ପିକେଏଲର ଦ୍ୱିତୀୟ ସଂସ୍କରଣ ଅର୍ଥାତ ୨୦୧୫ରେ ପ୍ରଦୀପ ବେଙ୍ଗାଲୁରୁ ବୁଲ୍ସ ପାଇଁ ଡେବ୍ୟୁ କରିଥିଲେ। ତେବେ ପାଟନା ପାଇଁ ଖେଳିବା ବେଳେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ। ପାଟନା କ୍ରମାଗତ ୩ଥର ପ୍ରଦୀପଙ୍କ ନେତୃତ୍ୱରେ ଚାମ୍ପିୟନ ହୋଇଥିଲା। ଲିଗ ଇତିହାସରେ ପ୍ରଦୀପ ପ୍ରଥମ ଖେଳାଳି ଭାବେ ୧ ହଜାର ରେଡ ପଏଣ୍ଟ ହାସଲ କରିଥିଲେ। ସେ ନିଜର ଡୁବକି ଶୈଳୀ ଦ୍ୱାରା ସେ ପ୍ରତିପକ୍ଷର ସମସ୍ତ ଡିଫେନ୍ସକୁ ମାତ ଦେବାକୁ ସକ୍ଷମ ହେଉଥିଲେ।

ପ୍ରଦୀପ ୧୯୦ଟି ପିକେଏଲ ମ୍ୟାଚ୍‌ରେ ୧୮୦୧ ରେଡ ପଏଣ୍ଟ ନେଇଛନ୍ତି। ଏଯାଏ ତାଙ୍କ ରେକର୍ଡକୁ କେହି ବି ଭାଙ୍ଗିବାକୁ ସକ୍ଷମ ହୋଇ ନାହନ୍ତି। ପ୍ରଦୀପଙ୍କ ଅବସର ପରେ ପ୍ରୋ କବାଡି ଲିଗରେ ଗୋଟିଏ ଯୁଗର ଅବସାନ ଘଟିଛି।

Asian Games Kabadi Pradeep Narwal PKL