ରୋନାଲ୍ଡୋ ଓ ମେସିଙ୍କୁ ପଛରେ ପକାଇ ମୋଡ୍ରିଚ୍ ହେଲେ ଫିଫାର ଶ୍ରେଷ୍ଠ ଫୁଟ୍‌ବଲର୍‌

ଲଣ୍ଡନ: ଫୁଟ୍‌ବଲ୍‌ ଇତିହାସରେ ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କର ଦୀର୍ଘବର୍ଷ ଧରି ଜାରି ରହିଥିବା ଆଧିପତ୍ୟକୁ ଶେଷରେ ଭାଙ୍ଗି ଦେଇଛନ୍ତି କ୍ରୋଏସିଆ ଅଧିନାୟକ ଲୁକା ମୋଡ୍ରିଚ୍। ରୋନାଲ୍ଡୋ ଓ ମେସିଙ୍କୁ ପଛରେ ପକାଇ ମୋଡ୍ରିଚ୍‌ ଚଳିତ ବର୍ଷ ଫିଫା ପକ୍ଷରୁ ଶ୍ରେଷ୍ଠ ଫୁଟ୍‌ବଲ୍‌ ଖେଳାଳି ପୁରସ୍କାର ହାସଲ କରିଛନ୍ତି।

ମୋଡ୍ରିଚ୍‌ଙ୍କ କ୍ୟାପ୍ଟେନଶିପ୍‌ରେ କ୍ରୋଏସିଆ ୨୦୧୮ ଫିଫା ବିଶ୍ୱକପ୍‌ରେ ପ୍ରଥମଥର ଫାଇନାଲ୍‌ରେ ପହଞ୍ଚିବା ସହ ଇତିହାସ ରଚିଥିଲା । କ୍ରୋଏସିଆ ଟିମ୍‌ର ଏହି ତାରକା ଫରୱାର୍ଡ ଚାରିବର୍ଷ ଧରି ଇଂଲଣ୍ଡରେ କ୍ଲବ୍ ଫୁଟ୍‌ବଲ୍‌ ଖେଳିବା ପରେ ୨୦୧୨ରେ ସ୍ପାନିଶ୍ କ୍ଲବ୍ ରିଅଲ ମାଡ୍ରିଡରେ ସାମିଲ ହୋଇଥିଲେ। ମୋଡ୍ରିଚ୍ କହିଛନ୍ତି, ଏଭଳି ସମ୍ମାନ ପାଇ ମୁଁ ନିଜକୁ ଗର୍ବିତ ମନେ କରୁଛି ।


ମୋଡ୍ରିଚ୍‌ଙ୍କ ବ୍ୟତୀତ ଚଳିତ ବର୍ଷ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ତାଲିକାରେ ଲିଭରପୁଲ୍‌ ପକ୍ଷରୁ ଖେଳୁଥିବା ଇଜିପ୍ଟ ଫୁଟ୍‌ବଲ୍‌ର ମହମ୍ମଦ ସଲାହ ଓ ରୋନାଲ୍ଡୋ ରହିଥିଲେ। ତେବେ ମୋଡ୍ରିଚ୍‌ ଦୁହିଁକୁ ପଛରେ ପକାଇ ଦେଇଛନ୍ତି ।
ଲଣ୍ଡନରେ ଆୟୋଜିତ ଏହି ପୁରସ୍କାର ସମାରୋହରେ ରୋନାଲ୍ଡୋ କିମ୍ବା ମେସି କେହି ବି ଅଂଶଗ୍ରହଣ କରି ନଥିଲେ। ଏଭଳି ଅନୁପସ୍ଥିତିକୁ ଅନେକ ଅନେକ ସମାଲୋଚନା କରିଛନ୍ତି।
ଏ ନେଇ ମୋଡ୍ରିଚ୍ କହିଛନ୍ତି, ପ୍ରତି ବ୍ୟକ୍ତିଙ୍କର ନିଜ ନିଜର ବ୍ୟକ୍ତିଗତ କାରଣ ଥାଏ । ଯଦି ସେମାନେ ଉପସ୍ଥିତ ଥାନ୍ତେ, ତାହେଲେ ମୋତେ ବହୁତ ଭଲ ଲାଗିଥାନ୍ତା।
ସେହିପରି ମହିଳା ଫୁଟ୍‌ବଲର୍‌ ଭାବେ ବ୍ରାଜିଲ୍‌ର ମାରଟାଙ୍କୁ ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।