Advertisment

ଆଇପିଏଲ୍ ଖେଳିବେ ଧୋନି?

ଆଇପିଏଲ୍ ୨୦୨୫ ପାଇଁ ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳି ରିଟେନସନ୍ ତାଲିକା ଜାରି କରିବା ପୂର୍ବରୁ ଖେଳିବେ କି ନାହିଁ ସ୍ପଷ୍ଟ କଲେ ଧୋନି। କହିଲେ କ୍ୟାରିୟରର ଶେଷ କିଛି ବର୍ଷ ଉପଭୋଗ କରିବାକୁ ଚାହୁଁଛି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
MS Dhoni

MS Dhoni

ଆଇପିଏଲ୍ ୨୦୨୫ ଖେଳିବେ କି ନାହିଁ ଏମଏସ୍ ଧୋନି? ଦୀର୍ଘ ଦିନ ଧରି ଏହି ପ୍ରଶ୍ନ ପ୍ରଶଂସକଙ୍କ ମଧ୍ୟର ଆଲୋଚନାର ପ୍ରସଙ୍ଗ ପାଲଟିଛି। ଅକ୍ଟୋବର ୩୧ ସୁଦ୍ଧା ବିଭିନ୍ନ ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳି ରିଟେନସନ୍ ତାଲିକା ଜାରି କରିବେ। ମେଗା ଅକ୍ସନ ପୂର୍ବରୁ ଧୋନିଙ୍କୁ ଚେନ୍ନାଇ ରିଟେନ କରିବ କି ନାହିଁ, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହାରି ଭିତରେ ଏକ କାର୍ଯ୍ୟକ୍ରମରେ ଧୋନି ନିଜେ ଏପରି କିଛି କଥା କହିଛନ୍ତି, ଯାହା ଧୋନି ଓ ସିଏସକେ ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି।

Advertisment

ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ ମେଗା ଅକ୍ସନ ପୂର୍ବରୁ ଏକ ଘରୋଇ ପ୍ରୋମୋଶନାଲ କାର୍ଯ୍ୟକ୍ରମରେ ଯୋଗ ଦେଇ ମାହି ଯାହା କହିଛନ୍ତି, ତାହା ଆଇପିଏଲରେ ତାଙ୍କ କ୍ୟାରିୟରକୁ ନେଇ ଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର କରିଦେଇଛି। ଏହି କାର୍ଯ୍ୟକ୍ରମରେ ଧୋନି କହିଛନ୍ତି, 'ମୁଁ ମୋ କ୍ୟାରିୟରର ଶେଷ କିଛି ବର୍ଷର ଆନନ୍ଦ ନେବାକୁ ଚାହୁଁଛି।' ଏଥିରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ମାହିଙ୍କୁ ଆଉ କିଛି ବର୍ଷ କ୍ରିକେଟ ମୈଦାନରେ ଦେଖିବାକୁ ମିଳିପାରେ। ଏପରି ମଧ୍ୟ ସମ୍ଭାବନା ରହିଛି ଯେ ଧୋନି ଆହୁରି ୩ ବର୍ଷ ପର୍ଯ୍ୟନ୍ତ ସିଏସକେ ଜର୍ସିରେ ଖେଳି ପାରନ୍ତି। କାରଣ ମେଗା ଅକ୍ସନରେ ରିଟେନ କରାଯାଇଥିବା ଖେଳାଳିଙ୍କ ପାଖରେ ସେହି ଦଳରେ ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ଖେଳିବା ପାଇଁ ସୁଯୋଗ ରହିଥାଏ।

ଧୋନି ଏହି କାର୍ଯ୍ୟକ୍ରମରେ କହିଛନ୍ତି, 'ଯଦି ଆପଣ କ୍ରିକେଟକୁ ଉପଭୋଗ କରି ଖେଳୁଛନ୍ତି, ତେବେ ଉଭୟ ଖେଳାଳି ଓ ଟିମକୁ ଏହାର ଫାଇଦା ମିଳିଥାଏ। ମୁଁ ଏବେଠାରୁ କ୍ରିକେଟକୁ ଆହୁରି ଅଧିକା ଉପଭୋଗ କରିବାକୁ ଚାହୁଁଛି। ବୃତ୍ତିଗତ ଖେଳାଳି କେବେ ମଧ୍ୟ ଏହାକୁ ଉପଭୋଗ କରିପାରିନଥାନ୍ତି। କାରଣ ସେମାନଙ୍କ ସହ ସେଠାରେ ପ୍ରତିବଦ୍ଧତା ଏବଂ ଭାବନା ଜଡିତ ଥାଏ। କିନ୍ତୁ, ମୁଁ ଆଉ ବୃତ୍ତିଗତ ନୁହେଁ। ମୁଁ ଏହି ସବୁକୁ ଅଲଗା ରଖି ପରବର୍ତ୍ତୀ ନଅ ମାସ ନିଜକୁ ଫିଟ୍ ରଖିବାକୁ ଚାହୁଁଛି। ଏହି ସମୟ ମଧ୍ୟରେ ମୋତେ ମୋ ଖେଳ ଜୀବନକୁ ଉପଭୋଗ କରିବାକୁ ପଡିବ।'

Advertisment
MS Dhoni IPL 2025