fd
ଶାରଜା: ଆଇପିଏଲ ଇତିହାସରେ ସବୁଠାରୁ ବଡ଼ ଧରଣର ବିପର୍ଯ୍ୟୟ ଘଟିଛି। ପ୍ରଥମଥର ପାଇଁ କୌଣସି ଏକ ଆଇପିଏଲ ସଂସ୍କରଣ ପ୍ଲେ-ଅଫରୁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ବାଦ୍ ପଡ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଆଇପିଏଲର ୧୩ଟି ସଂସ୍କରଣ ମଧ୍ୟରୁ ୧୧ଟିରେ ଚେନ୍ନାଇ ସାମିଲ ହୋଇଥିଲା। ୨୦୨୦କୁ ବାଦ୍ ଦେଲେ ବାକି ୧୦ଟି ଯାକ ସିଜିନ୍ରେ ଚେନ୍ନାଇ ଅତିକମରେ ପ୍ଲେ-ଅଫ ମ୍ୟାଚ୍ ଖେଳିଛି।
ହେଲେ ପ୍ରଥମଥର ଥର ଦଳ ଲିଗ ପର୍ଯ୍ୟାୟରୁ ବିଦାୟ ନେବା ଏକ ପ୍ରକାରର ଚୂଡ଼ାନ୍ତ ହୋଇ ସାରିଛି। ଦଳ ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚ୍ ଖେଳି ୮ଟିରେ ପରାସ୍ତ ହୋଇଥିବା ବେଳେ ୩ଟିରେ ଜିତିଛି। ଏବେ ଦଳ ପାଖରେ ଆଉ ମାତ୍ର ୩ଟି ମ୍ୟାଚ୍ ରହିଛି। ୩ଟି ଯାକ ମ୍ୟାଚ୍ ଜିତିଲେ ମଧ୍ୟ ଦଳ କେବଳ ୧୨ ପଏଣ୍ଟ ହାସଲ କରିପାରିବେ। ଏପରି ସ୍ଥିତିରେ ରନ୍ ରେଟ୍ ଓ ଅନ୍ୟ ଟିମ୍ର ପ୍ରଦର୍ଶନ ହିଁ ଚେନ୍ନାଇର ଭାଗ୍ୟ ନିର୍ଦ୍ଧାରଣ କରିବ। ଯାହା ଏକ ପ୍ରକାରର ଅସମ୍ଭବ।
ଚଳିତ ସିଜିନ୍ରେ ଚେନ୍ନାଇ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏହି ଧାରା ଆଜି ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମଷ୍ଟ ୱିନ୍ ଗେମ୍ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂରେ ଫେଲ ମାରି ମାତ୍ର ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ବୋଲିଂରେ ମଧ୍ୟ ଦଳ ପ୍ରଭାବଶୂନ୍ୟ ରହିଛି।
ଚେନ୍ନାଇ ଦେଇଥିବା ୧୧୫ ରନ୍ର ଟାର୍ଗେଟକୁ ମୁମ୍ବାଇ ବିନା କୌଣସି ୱିକେଟ ହରାଇ ହାସଲ କରିନେଇଛି। ମୁମ୍ବାଇ ପକ୍ଷରୁ ଇଶାନ କିଶନ ବିସ୍ଫୋରକ ୩୭ ବଲରେ ଅପରାଜିତ ୬୮ ରନ୍ର ଇନିଂସ ଖେଳି ବିଜୟର କର୍ଣ୍ଣଧାର ସାଜିଥିଲେ। ତାଙ୍କୁ କ୍ୱିଣ୍ଟନ ଡି’କକ ମଧ୍ୟ ଭରପୂର ସହଯୋଗ ଦେଇ ଅପରାଜିତ ୪୬ ରନ୍ ଇନିଂସ୍ ଖେଳିଛନ୍ତି।
ଚେନ୍ନାଇ ଦେଇଥିବା ୧୧୫ ରନ୍ର ଟାର୍ଗେଟକୁ ପିଛା କରୁଥିବା ମୁମ୍ବାଇ ପାଇଁ ଦୁଇ ଓପନର କିଶନ ଓ ଡି’କକ ଜବରଦସ୍ତ ଆରମ୍ଭ କରିଥିଲେ। ବିଶେଷ କରି କିଶନ ବଡ଼ବଡ଼ ଶଟ୍ ଖେଳି ଚେନ୍ନାଇକୁ ସଂପୂର୍ଣ୍ଣ ଭାବେ ବ୍ୟାକଫୁଟକୁ ଠେଲି ଦେଇଥିଲା। ପୂରା ଇନିଂସ୍ର ଗୋଟିଏ ବି ଓଭର୍ରେ ଚେନ୍ନାଇ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇ ନଥିଲା। କିଶନ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଡି’କକ ଓ ସେ ପ୍ରଥମେ ୱିକେଟ ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ଏଥିସହ ଦଳକୁ ବିନା କୌଣସି କ୍ଷତି ପହଞ୍ଚାଇ ବିଜୟୀ କରାଇଥିଲେ।
ଅପରାଜିତ ୬୮ ରନ୍ର ଇନିଂସ୍ ଖେଳିଥିବା କିଶନ ୬ଟି ଚୌକା ଓ ୫ଟି ଛକା ମାରିଛନ୍ତି। ସେହିପରି ୫ଟି ଚୌକା ଓ ୨ଟି ଚକା ବଳରେ ଡି’କକ ୪୬ ରନ୍ କରିଛନ୍ତି।
ଏହାପୂର୍ବରୁ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଆଗରେ ଚେନ୍ନାଇର ପୂରା ବ୍ୟାଟିଂ ଲାଇନ ଅପ୍ ଆତ୍ମସମର୍ପଣ କରିଥିଲା। କେବଳ ସାମ କୁରାନ ୫୨ ରନ୍ର ଇନିଂସ୍ ଖେଳିବାରୁ ଦଳ ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁମ୍ବାଇ ପକ୍ଷରୁ ବୋଲ୍ଟ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ଓ ରାହୁଲ ଚହର ଦୁଇଟି ଲେଖାଏ ୱିକେଟ ପାଇଛନ୍ତି। ସେହିପରି କୁଣ୍ଟନାଇଲଙ୍କ ଖାତକୁ ଗୋଟିଏ ୱିକେଟ ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/fd-8.jpg)