Advertisment

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ମୁରଲୀ ବିଜୟ

ଏକଦା ଟିମ ଇଣ୍ଡିଆ ପାଇଁ ଟେଷ୍ଟରେ ନିୟମିତ ଓପନିଂ କରୁଥିବା ବିଜୟ ୨୦୧୮ ପରଠାରୁ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରି ଚାଲିଥିଲେ।

author-image
Hemant Lenka
Murali Vijay

Murali Vijay

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଟିମ ଇଣ୍ଡିଆର ଭେଟରାନ ବ୍ୟାଟର ମୁରଲୀ ବିଜୟ। ୩୮ ବର୍ଷୀୟ ବିଜୟ ଟ୍ୱିଟ ଯୋଗେ ନିଜର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପାଇଁ ଏହା ଉପଯୁକ୍ତ ସମୟ ବୋଲି ତାମିଲନାଡୁ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ବିଜୟ କହିଛନ୍ତି।

Advertisment

ଏକଦା ଟିମ ଇଣ୍ଡିଆ ପାଇଁ ଟେଷ୍ଟରେ ନିୟମିତ ଓପନିଂ କରୁଥିବା ବିଜୟ ୨୦୧୮ ପରଠାରୁ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରି ଚାଲିଥିଲେ। ୨୦୧୮ ସିଜିନ ତାଙ୍କ ପାଇଁ ଅତ୍ୟନ୍ତ ଖରାପ ଯିବାରୁ ସେ ଦଳରୁ ବାଦ ପଡ଼ିଥିଲେ। ୨୦୧୮ ସିଜିନରେ ବିଜୟ କେବଳ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ। ସେ କ୍ରମାଗତ ଫେଲ ମାରିବାରୁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ସ୍କ୍ୱାଡରୁ ବିଦା କରିଥିଲା। ସେବେଠାରୁ ଆଉ ସେ ଦଳକୁ ଫେରି ନାହାନ୍ତି।

ଭାରତ ପାଇଁ ୬୧ଟି ଟେଷ୍ଟ ଖେଳିଥିବା ବିଜୟ ୧୨ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଦେଶ ପାଇଁ ୩୮.୨୮ ହାରରେ ମୋଟ ୩୯୮୨ ରନ କରିଛନ୍ତି। କେବଳ ଭାରତ ନୁହେଁ, ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବା ବିଜୟ ନିଜର ଛାପ ମଧ୍ୟ ଛାଡ଼ିଥିଲେ। ଆଇପିଏଲରେ ସେ ୧୦୬ଟି ମ୍ୟାଚ୍‌ ଖେଳି ଦୁଇଟି ଶତକ ସହ ମୋଟ ୨୬୧୯ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୨୧.୮୭ ରହିଥିଲା।

Advertisment

ବିଜୟ ନିଜର ଟ୍ୱିଟର ଆକାଉଣ୍ଟରେ ଗୋଟିଏ ବିବୃତି ଜାରି କରି କହିଛନ୍ତି ଯେ “ମୁଁ ଆଜି ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରୁଛି। ୨୦୨୨ରୁ ୨୦୧୮ ଯାଏ ମୁଁ କରିଥିବା ଯାତ୍ରା ମୋ ଜୀବନର ସବୁଠାରୁ ସୁନ୍ଦର ସମୟ। ଭାରତକୁ କ୍ରୀଡ଼ାର ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ୱ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ମୋତେ ସୁଯୋଗ ଦେଇଥିବା ବିସିସିଆଇ, ତାମିଲନାଡୁ କ୍ରିକେଟ ଆସୋସିଏସନ, ଚେନ୍ନାଇ ସୁପର କିଙ୍ଗସ ଓ ଚେମ୍ପଲାଷ୍ଟ ସନମରୁ ଧନ୍ୟବାଦ। ମୋର ସବୁ ସାଥୀ ଖେଳାଳି, କୋଚ୍, ମେଣ୍ଟୋର ଓ ସର୍ପୋଟ ଷ୍ଟାଫଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ବର୍ତ୍ତମାନ ବିଶ୍ୱ କ୍ରିକେଟରେ ମୁଁ ନିଜକୁ ସାମିଲ କରିବି। ମୁଁ ବ୍ୟବସାୟ ସହ କ୍ରିକେଟରେ ମଧ୍ୟ ଭାଗ ନେବି।” ବିଜୟ ନିଜର ବିବୃତିରେ ତାଙ୍କ ସାଥୀ ଖେଳାଳି ଓ ଭାରତୀୟ ଟିମକୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଟେଷ୍ଟ ବ୍ୟାଟର ଭାବେ ଜଣାଶୁଣା ବିଜୟ ଭାରତ ପାଇଁ ୧୭ଟି ଦିନିକିଆ ଓ ୯ଟି ଟି-୨୦ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ଦିନିକିଆରେ ସେ ଭାରତ ପାଇଁ ମୋଟ ୩୩୯ ରନ କରିଥିଲେ। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା ୭୨। ସେ ଟି-୨୦ରେ ଦେଶ ପାଇଁ ୧୬୯ ରନ କରିଥିଲେ।

Indian Cricket Team Cricket Murali Vijay